ଦେଶବ୍ୟାପୀ କୃଷକଙ୍କ ରେଳରୋକ: ପଂଜାବ, ହରିୟାଣା, ୟୁପିରେ ବିଶେଷ ପ୍ରଭାବ

ଦିଲ୍ଲୀରେ ମେଟ୍ରୋ ସେବା ପ୍ରଭାବିତ‌, କୌଣସି ସ୍ଥାନରେ ଅପ୍ରୀତିକର ଘଟଣା ହୋଇନାହିଁ

ଦେଶବ୍ୟାପୀ କୃଷକଙ୍କ ରେଳରୋକ: ପଂଜାବ, ହରିୟାଣା, ୟୁପିରେ ବିଶେଷ ପ୍ରଭାବ

The Indian Express

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୩ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆଜି ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ କରାଯାଇଛି। ହଜାର ହଜାର ଚାଷୀ ରେଳ ଧାରଣା ଉପରେ ବସି ରହିଥିବା ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ମେଟ୍ରୋ ସେବା ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଇଥିବା ବେଳେ ରେଳରୋକ ଆନ୍ଦୋଳନର ସର୍ବାଧିକ ପ୍ରଭାବ ପଂଜାବ, ହରିୟାଣା, ଉତ୍ତରପ୍ରଦେଶ, ପଶ୍ଚିମବଂଗ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରେ ରହିଥିଲା। ଆନ୍ଦୋଳନ ପାଇଁ ଆଗୁଆ ସତର୍କମୂଳକ ପଦ‌କ୍ଷେପ ଗ୍ରହଣ କରି ଆଜି ବିଭିନ୍ନ ଅଞ୍ଚଳରେ ଟ୍ରେନ୍‌ ସେବା ବନ୍ଦ ରଖାଯାଇଥିଲା। ପଂଜାବ ଏବଂ ହରିୟାଣାରେ ରେଳବାଇ ପୁଲିସ ଏବଂ ରାଜ୍ୟ ପୁଲିସ ମୁତୟନ ସହ ସୁରକ୍ଷା ଅତ୍ୟନ୍ତ କଡ଼ାକଡ଼ି ରହିଥିଲା। ରେଳବାଇ ପକ୍ଷରୁ ପଂଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଉପରେ ଫୋକସ୍‌ କରି ଆରପିଏସଏଫ୍‌ର ୨୦ ଅତିରିକ୍ତ କମ୍ପାନି ମୁତୟନ କରାଯାଇଥିଲା।

ହରିୟାଣାରେ ସୋନିପତ, ଅମ୍ବାଲା ଏବଂ ଜିନ୍ଦରେ ରେଳ ଷ୍ଟେସନ୍‌ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ବହୁ ସଂଖ୍ୟାରେ ମହିଳା ମଧ୍ୟ ଆଜି ରେଳରୋକ ଆନ୍ଦୋଳନରେ ସାମିଲ ହୋଇଥିଲେ। ପଂଜାବରେ ଆନ୍ଦୋଳନକାରୀମାନେ ୩୦ରୁ ଅଧିକ ସ୍ଥାନରେ ରେଳ ଧାରଣା ଉପରେ ବସି ରହିଥିଲେ। ତେବେ ରେଳରୋକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଥିବା ଭାରତୀୟ ରେଳବାଇ ପକ୍ଷରୁ କୁହାଯାଇଛି। ୪ ଘଣ୍ଟିଆ ରେଳରୋକ କାର୍ଯ୍ୟକ୍ରମରେ କୌଣସି ଅପ୍ରୀତିକର ସ୍ଥିତି ଉପୁଜିନାହିଁ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି। ଯେଉଁ ସବୁ ରାଜ୍ୟରେ ଟ୍ରେନ୍‌ ଚଳାଚଳ ପ୍ରଭାବିତ ହୋଇଥିଲା ସେଠାରେ ଅପରାହ୍ନ ୪ଟା ପରେ ସବୁକିଛି ସ୍ବାଭାବିକ ହୋଇଛି ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ରେଳରୋକକୁ ନେଇ ବିଭିନ୍ନ କୃଷକ ସଂଗଠନ ମଧ୍ୟରେ ଅସନ୍ତୋଷ ମଧ୍ୟ ସାମ୍ନାକୁ ଆସିଛି। ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିବା ୪୦ ସଂଗଠନ ମଧ୍ୟରୁ ପ୍ରାୟ ୧୨ଟି ସଂଗଠନ ଏଭଳି ଆନ୍ଦୋଳନକୁ ବିରୋଧ କରିଛନ୍ତି। ଲୋକଙ୍କୁ ସମସ୍ୟାରେ ପକାଇବା ଉଚିତ ନୁହେଁ ବୋଲି ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଦେଶବ୍ୟାପୀ ରୋଳରୋକ ଆନ୍ଦୋଳନ ସଫଳ ହୋଇଥିବାରୁ ଚାଷୀ ନେତା ରାକେଶ ଟିକାୟତ ଚାଷୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe