ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନେ ଆଜି ବିଭିନ୍ନ ଆନ୍ଦୋଳନ ସ୍ଥଳରେ କୃଷି ଆଇନ କପି ପୋଡ଼ି ବିରୋଧ ପ୍ରଦର୍ଶନ କରିଛନ୍ତି । ସିଂଘୁ ଏବଂ ଟିକ୍ରି ସୀମା ସମେତ ଅନ୍ୟ ଆନ୍ଦୋଳନ ସ୍ଥଳମାନଙ୍କରେ ଆଜି ବଡ଼ ଧରଣର ଚାଷୀ ସମାବେଶ ଦେଖିବାକୁ ମିଳିଥିଲା। ସିଂଘୁ ସୀମାରେ ନୂଆ କୃଷି ଆଇନ୍ର ୧ ଲକ୍ଷ କପି ପୋଡ଼ା ଯାଇଥିଲା। କୃଷି ଆଇନର କାର୍ଯ୍ୟକାରିତା ଉପରେ ଗତକାଲି ସୁପ୍ରିମକୋର୍ଟ ରୋକ୍ ଲଗାଇବାପରେ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି। ଏକ ପ୍ରେସ୍ ବିବୃତି ଜାରି କରି ସର୍ବଭାରତୀୟ କିଷାନ ସଂଘର୍ଷ ସମନ୍ବୟ କମିଟି କହିଛି ଯେ ଆନ୍ଦୋଳନକୁ ଅଧିକ ତୀବ୍ର କରିବାପାଇଁ ଉଦ୍ୟମ ଜାରି ରହିଛି। ଜାନୁଆରି ୨୬ରେ ‘କିଷାନ୍ ଟ୍ରାକ୍ଟର ପରେଡ୍’ ପାଇଁ ଦିଲ୍ଲୀ ସୀମା ସଂଲଗ୍ନ ସମସ୍ତ ଜିଲ୍ଳାମାନଙ୍କରେ ପ୍ରସ୍ତୁତି ଜାରି ରହିଛି। ଆଜି , ଦେଶବ୍ୟାପୀ ୨୦ ହଜାରରୁ ଅଧିକ ସ୍ଥାନରେ ନୂଆ କୃଷି ଆଇନ କପି ପୋଡ଼ା ଯାଇଥିବା ଦାବି କରାଯାଇଛି। ବିକେୟୁ (ଭାରତୀୟ କିଷାନ୍ ୟୁନିଅନ୍) ନେତା ରାକେଶ ଟିକାୟତ କହିଛନ୍ତି, କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।
ଆଜି ମଧ୍ୟ ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀମାନେ ପୁଲିସ ବ୍ୟାରିକେଡ ହଟାଇ ରାସ୍ତା ଅବରୋଧ କରିବାକୁ ସମସ୍ୟା ଉପୁଜିଥିଲା। ସାଧାରଣ ଲୋକଙ୍କ ଯାତାୟତ କ୍ଷେତ୍ରରେ ଯେଭଳି କୌଣସି ସମସ୍ୟା ନହୁଏ ସେ ଦିଗରେ ସହଯୋଗ କରିବାକୁ ଚାଷୀ ସଂଗଠନମାନଙ୍କୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
Follow Us