Image Courtesy of Business Today
ନୂଆଦିଲ୍ଲୀ : ବିବାଦୀୟ ୩ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ କୃଷକମାନେ ଆଗାମୀ ଦିନରେ ସେମାନଙ୍କ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ। ବର୍ତ୍ତମାନ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକ ସଂଗଠନଗୁଡ଼ିକ ଆସନ୍ତା ମୌସୁମୀ ଅଧିବେଶନରେ ପ୍ରତ୍ୟେକ ଦିନ ସଂସଦ ଭବନ ସମ୍ମୁଖରେ ଧାରଣା ଦେବେ। ଏହା ସହିତ ସଂସଦ ଭବନ ଘେରାଉ କରିବା ପାଇଁ ମଧ୍ୟ ଚାଷୀମାନେ ଯୋଜନା ରଖିଛନ୍ତି। ସିଂଘୁ ସୀମାରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ଏକ ବୈଠକରେ ଆଗାମୀ ଦିନର ଆନ୍ଦୋଳନ ରଣନୀତି ସଂପର୍କରେ ନିଷ୍ପତ୍ତି ହୋଇଛି। ସଂସଦର ମୌସୁମୀ ଅଧିବେଶନ ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ। ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ପ୍ରତିଦିନ ଚାଷୀମାନେ ସଂସଦ ଭବନ ବାହାରେ ଧାରଣା ଦେବେ। ଆସନ୍ତା ୧୭ ତାରିଖରେ ବିରୋଧୀ ଦଳ ନେତାମାନଙ୍କୁ ଭେଟି ସେମାନଙ୍କୁ ‘ଚେତାବନୀ ପତ୍ର’ ଦେବେ । ସଂସଦ ଭିତରେ ‘ନିରବତା ଭାଙ୍ଗ, ନଚେତ୍ ଆସନ ଛାଡ଼’ ବୋଲି ସେମାନଙ୍କୁ ଆହ୍ବାନ କରାଯିବ। ଏହାର ୫ ଦିନ ପରେ ସିଂଘୁରେ ଆନ୍ଦୋଳନରତ କୃଷକମାନେ ସଂସଦ ଭବନ ନିକଟକୁ ଯାଇ ଗୃହରେ କାର୍ଯ୍ୟ ବନ୍ଦ କରିବା ପାଇଁ କହିବେ।
ଦେଶବ୍ୟାପୀ ଚାଷୀ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି। ବିକେୟୁ ନେତା ବୁଟା ସିଂହ ବୁର୍ଜଗିଲ୍ କହିଛନ୍ତି ଆମେ ସଂସଦ ବାହାରେ ବସିବୁ ଏବଂ ପ୍ରତିଦିନ ସଂସଦ ବାହାରେ ଅତିକମ୍ରେ ୨୦୦ କୃଷକ ବିକ୍ଷୋଭ କରିବେ। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ରହିବ ଏବଂ ଆଇନ ପ୍ରତ୍ୟାହାର ପାଇଁ ଦୃଢ଼ ବାର୍ତ୍ତା ଦିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ କୃଷକ ସଂଗଠନ ଗୁଡ଼ିକ ଘୋଷଣା କରିଥିଲେ ଯେ ଅତ୍ୟାବଶ୍ୟକ ସାମଗ୍ରୀ ପେଟ୍ରୋଲ, ଡିଜେଲ୍ର ଦରବୃଦ୍ଧି ବିରୋଧରେ ଆସନ୍ତା ୮ ତାରିଖ ପୂର୍ବାହ୍ନ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ପ୍ରତିବାଦ କରାଯିବ।
Follow Us