ଦୁଇ ଓଡ଼ିଆ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

Advertisment

ଓଡ଼ିଶା ଇତିହାସରେ ପ୍ରଥମ

ଓଡ଼ିଶା ଇତିହାସରେ ପ୍ରଥମ

ଦୁଇ ଓଡ଼ିଆ ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଓଡ଼ିଶାର ଦୁଇ ଏସ୍‌ଓଜି କମାଣ୍ଡୋଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଦ୍ବିତୀୟ ପର୍ଯ୍ୟାୟ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସହିଦ ଏସ୍‌ଓଜି କମାଣ୍ଡୋ ସୁଧୀର ଟୁଡ଼ୁଙ୍କ ମାଆ ଜଉନା ଟୁଡ଼ୁ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସହିଦ ଏସ୍‌ଓଜି କମାଣ୍ଡୋ ଦେବାଶିଷ ସେଠିଙ୍କ ମାଆ ଛାୟା ସେଠି ଓ ପିତା ସନାତନ ସେଠି ରାଷ୍ଟ୍ରପତିଙ୍କ ଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଗୋଟିଏ ବର୍ଷରେ (୨୦୨୧) ଦୁଇଜଣ ଓଡ଼ିଆ ବୀରଙ୍କୁ ସମ୍ମାନଜନକ ଶୌର୍ଯ୍ୟଚକ୍ର ପ୍ରଦାନ କରାଯିବା ଓଡ଼ିଶା ଇତିହାସରେ ପ୍ରଥମ। ଏହି ଦୁଇ ଓଡ଼ିଆ ବୀର ମାଓ ବି‌ରୋଧୀ ଲଢ଼େଇରେ ନିଜର ଅସୀମ ସାହସ, ପରାକାଷ୍ଠା ଓ ବୀରତ୍ବ ପ୍ରଦର୍ଶନ କରି ଦେଶ ପାଇଁ ପ୍ରାଣବଳି ଦେଇଥିଲେ।

୨୦୨୦ ସେପ୍ଟେମ୍ବର ୯ରେ କଳାହାଣ୍ଡି ଜିଲ୍ଲାର କେ.ରାମପୁରର ସିକ୍ରି ଗାଁ’ ନିକଟରୁ ଦୁଇଜଣଙ୍କୁ ମାଓବାଦୀ ଅପହରଣ କରିନେଇଥିବା ଜିଲ୍ଲା ପୋଲିସ ନିକଟକୁ ଖବର ଆସିଥିଲା। ସୂଚନ‌ା ମିଳିବା ପରେ ତୁରନ୍ତ ଏସ୍‌ଓଜିର ୧୭ ଜଣିଆ ଟିମ ଘଞ୍ଚ ଜଙ୍ଗଲକୁ ଅପରେସନ ପାଇଁ ଯାଇଥିଲା। ମାଓବାଦୀମାନେ ଚାରିଆଡ଼ୁ ଏସ୍‌ଓଜି ଯବାନଙ୍କୁ ଘେରିଯାଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା। ଦେବାଶିଷଙ୍କ ଦେହରେ ତିନିଟି ଗୁଳି ବାଜିଥିଲା। ଏହାସତ୍ତ୍ବେ ଦେବାଶିଷଙ୍କ ଶରୀର ନିସ୍ତେଜ ହେବା ପର୍ଯ୍ୟନ୍ତ ସେ ଗୁଳି ଚଳାଇବା ଜାରି ରଖିଥିଲେ। ସେହିଭଳି ସହିଦ ସୁଧୀର ଟୁଡ଼ୁ ଅସୀମ ସାହସ ପ୍ରର୍ଦଶନ କରି ମାଓ କ୍ୟାମ୍ପ ପର୍ଯ୍ୟନ୍ତ ପହଞ୍ଚିବାରେ ସଫଳ ହୋଇଥିଲେ। ଦୁଇ ଓଡ଼ିଆ ଏସ୍‌ଓଜି କମାଣ୍ଡୋଙ୍କ ସାହସିକତା ପାଇଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ ଓ ୫ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ଗତବର୍ଷ ଅଗଷ୍ଟ ୧୪ରେ ଓଡ଼ିଶାର ଏହି ଦୁଇ ଓଡ଼ିଆ ବୀର ସହିଦଙ୍କୁ ମରଣୋତ୍ତର ଶୌର୍ଯ୍ୟଚକ୍ର ପ୍ରଦାନ କରିବା ଲାଗି ଘୋଷଣା କରାଯାଇଥିଲା। ଆଜି ରାଷ୍ଟ୍ରପତି ୬ ଜଣଙ୍କୁ ମରଣୋତ୍ତର ସହ ମୋଟ ୧୩ ଜଣଙ୍କୁ ଶୌର୍ଯ୍ୟଚକ୍ର ପ୍ରଦାନ କରିଛନ୍ତି। ଆଜିର ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ‌ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe