ଇଭିଏମ୍‌ରେ ଉତ୍ତରାଖଣ୍ଡ, ଗୋଆ ନେତାଙ୍କ ଭାଗ୍ୟ

ୟୁପିରେ ଦ୍ବିତୀୟ ପର୍ଯ୍ୟାୟରେ ୫୫ ଆସନରେ ମତଦାନ, ବିଶୁଦ୍ଧ ପାନୀୟ ଜଳ ନଥିବାରୁ ଭୋଟ୍‌ ବର୍ଜନ କଲେ ୨ଟି ଗାଁ

ଇଭିଏମ୍‌ରେ ଉତ୍ତରାଖଣ୍ଡ, ଗୋଆ ନେତାଙ୍କ ଭାଗ୍ୟ

Voter showing mark of indelible ink after casting their votes, at a polling booth, during the Uttarakhand Assembly Election, at Shri Guru Ram Rai Public School, in Dehradun, Uttarakhand on February 14, 2022.

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ସୋମବାର ଦିନ ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଉତ୍ତରପ୍ରଦେଶ ବାଦ୍‌ ଉତ୍ତରାଖଣ୍ଡରେ ସମସ୍ତ ୭୦ ଆସନ ଏବଂ ଗୋଆରେ ୪୦ ଆସନରେ ଆଜି ଭୋଟ୍‌ ଗ୍ରହଣ ହୋଇଛି।

ଉତ୍ତରପ୍ରଦେଶରେ ଦ୍ବିତୀୟ ପର୍ଯ୍ୟାୟରେ ୫୫ ବିଧାନସଭା ଆସନରେ ଭୋଟ୍‌ ଗ୍ରହଣ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୮୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌କୁ ଯାଇଛି। ସନ୍ଧ୍ୟା ୫ଟା‌ ସୁଦ୍ଧା ଉତ୍ତରପ୍ରଦେଶରେ ୬୦.୫୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍‌ ୨.୦୨ କୋଟି ଭୋଟରଙ୍କ ମଧ୍ୟରୁ ୧.୦୮ କୋଟି ପୁରୁଷ, ୯୪ ଲକ୍ଷ ମହିଳା ଭୋଟର ଅଛନ୍ତି। ସକାଳ ୭ଟା‌ରେ ଭୋଟ୍‌ ଗ୍ରହଣ ଆରମ୍ଭ ହେଇ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ଅମରୋହା, ବଦୌଁ, ବରେଲି, ବିଜ୍‌ନୋର, ମୋରାଦାବାଦ, ରାମପୁର, ଶାହରନପୁର, ସମ୍ଭଲ୍‌ ଏବଂ ଶାହଜାହନପୁରର ୫୫ ଆସନରେ ଭୋଟ୍‌ ଥିଲା। ରାଜନୈତିକ ଦୃଷ୍ଟି କୋଣରୁ ଏହି ଆସନ ଗୁଡ଼ିକ ଖୁବ୍‌ ଗୁରୁତ୍ବପୂର୍ଣ୍ଣ।

ଉତ୍ତରାଖଣ୍ଡରେ ସୋମବାର ଦିନ ଗୋଟିଏ ପର୍ଯ୍ୟାୟରେ ୧୩ ଜିଲ୍ଲାରେ ସମସ୍ତ ୭୦ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ୬୩୨ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ବନ୍ଦ ରହିଛି। ପ୍ରାୟ ୮୧ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ସନ୍ଧ୍ୟା ୫ଟା ସୁଦ୍ଧା ଉତ୍ତରାଖଣ୍ଡରେ ୫୯.୩୭ ପ୍ରତିଶତ ମତଦାନ ହୋଇଛି। ଚଳିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ କିମ୍ବା ବିଜେପି କେହି ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ‌ଘୋଷଣା କରିନାହାନ୍ତି।

ଗୋଆରେ ସମସ୍ତ ୪୦ ଆସନରେ ସୋମବାର ଦିନ ଗୋଟିଏ ପର୍ଯ୍ୟାୟରେ ଭୋଟ୍‌ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୭୫.୨୯ ପ୍ରତିଶତ ମତଦାନ ‌ହୋଇଛି। ଗୋଆରେ ୩୦୧ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ‌ଗୋଆରେ ଚଳିତ ଥର ବହୁମୁଖୀ ଲଢ଼େଇ ଚାଲିଛି। ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ବିରୋଧୀ ଦଳ ନେତା ଦିଗମ୍ବର କାମାତ, ପୂର୍ବତନ ମୁଖ୍ୟମନ୍ତ୍ରୀ ଚର୍ଚ୍ଚିଲ୍‌ ଆଲେମାଓ (ଟିଏମ୍‌ସି), ରବି ନାଏକ (ବିଜେପି), ଲକ୍ଷ୍ମୀକାନ୍ତ ପାର୍ସେକର (ସ୍ବାଧୀନ)। ମାର୍ଚ୍ଚ ୧୦ରେ ଉତ୍ତରାଖଣ୍ଡ, ଗୋଆ, ପଞ୍ଜାବ, ମଣିପୁର ସମେତ ଉତ୍ତର ପ୍ରଦେଶର ନିର୍ବାଚନ ଫଳାଫଳ ଘୋଷଣା ହେବ।

ବିଶୁଦ୍ଧ ପାନୀୟ ଜଳ ନଥିବାରୁ ଭୋଟ୍‌ ବର୍ଜନ କଲେ ୨ଟି ଗାଁ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ଆଜି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ୫୫ ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଛି। ତେବେ ବିଶୁଦ୍ଧ ପାନୀୟ ଜଳ ନଥିବାରୁ ଶେଖୁପୁର ନିର୍ବାଚନମଣ୍ଡଳୀ ଅଧୀନ‌ରେ ଥିବା ୨ଟି ଗାଁ ଭୋଟ୍‌ ବର୍ଜନ କରିଛନ୍ତି। ଭୋଟ ବର୍ଜନ କରିଥିବା ଦୁଇଟି ଗାଁ ହେଉଛି ବଦୌଁ ଜିଲ୍ଲାର ନରାଉ ଏବଂ ମିଲାଲ୍‌ ନାଙ୍ଗ୍‌ଲା। ଗ୍ରାମକୁ ସଂକ୍ରମିତ ପାନୀୟ ଜଳ ଯୋଗାଣ ହେଉଥିବାରୁ ଏଥିରେ ସେମାନେ ଉତ୍‌କ୍ଷିପ୍ତ ଅଛନ୍ତି। ବଦୌଁ ଏସଡିଏମ୍‌ ବିପି ଶର୍ମା କହିଛନ୍ତି, ଆମେ ଗ୍ରାମବାସୀଙ୍କ ସହ ଏନେଇ କଥା ହୋଇଥିଲୁ। ଉଝନି ପୌର ଅଞ୍ଚଳରୁ ପାଣି ଯୋଗାଣ ହେଉଛି ବୋଲି କୁହାଯାଇଥିଲା। କିନ୍ତୁ ପାନୀୟ ଜଳ ସଂକ୍ରାମକ ବୋଲି ସେମାନେ କହିଛନ୍ତି। ସଂକ୍ରମିତ ଜଳ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଗ୍ରାମବାସୀମାନେ ଭୋଟ୍‌ ଦେବେନି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe