ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ୧୫୦ ପ୍ରଶ୍ନ, ସନ୍ତୋଷଜନକ ଉତ୍ତର ନ ମିଳିଲେ କଳା ତାଲିକାଭୁକ୍ତ ହେବ

Advertisment
ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ୧୫୦ ପ୍ରଶ୍ନ, ସନ୍ତୋଷଜନକ ଉତ୍ତର ନ ମିଳିଲେ କଳା ତାଲିକାଭୁକ୍ତ ହେବ

The Nation

ଇସଲାମାବାଦ : ଆତଙ୍କବାଦୀ ସଂଗଠନମାନେ ପାକିସ୍ତାନର ବିଭିନ୍ନ ମଦ୍ରାସା ମାଧ୍ୟମରେ ଅର୍ଥ କାରବାର କରୁଛନ୍ତି ଏବଂ ସେମାନଙ୍କ ଉପରେ ପାକିସ୍ତାନ ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ ବୋଲି ‘ଦି ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ’ (ଏଫ୍‌ଏଟିଏଫ୍‌) ଦର୍ଶାଇବା ସହ ଏ ସଂକ୍ରାନ୍ତରେ ପାକିସ୍ତାନକୁ ୧୫୦ ପ୍ରଶ୍ନ କରିଛି। ବେଆଇନ୍‌ ଅର୍ଥ କାରବାର ଏବଂ ଆତଙ୍କବାଦୀ ସଂଗଠନମାନଙ୍କ ବିରୋଧରେ ନେଇଥିବା କାର୍ଯ୍ୟାନୁଷ୍ଠାନ ନେଇ ପାକିସ୍ତାନ ଦେଇଥିବା ତଥ୍ୟକୁ ନେଇ ବଡ଼ ବିବାଦ ଦେଖିବାକୁ ମିଳିଛି। ଏଥିରେ କିଛି ବି ସ୍ପଷ୍ଟ ନଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ୧୫୦ ପ୍ରଶ୍ନ କରିଛି। ଆତଙ୍କବାଦୀ ସଂଗଠନ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ଗ୍ରେ ଲିଷ୍ଟ୍‌ରେ ରଖିଥିଲା। ପାକିସ୍ତାନ ଏସବୁ ପ୍ରଶ୍ନର ସଠିକ୍‌ ଉତ୍ତର ରଖି ନ ପାରିଲେ କଳା ତାଲିକାଭୁକ୍ତ କରିବାକୁ ଏଫ୍‌ଏଟିଏଫ୍‌ ଚେତାବନୀ ଦେଇଛି। ପାକିସ୍ତାନ ଆତଙ୍କବାଦୀ ସଂଗଠନଙ୍କ ସ୍ବର୍ଗ ପାଲଟିଛି ବୋଲି ଏଫ୍‌ଏଟିଏଫ୍‌ ହୃଦ୍‌ବୋଧ କରିଛି। ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜାମାତ୍‌-ଉଦ୍‌-ଦାୱାର ମୁଖ୍ୟ ହାଫିଜ୍‌ ସୟିଦର କେବଳ ୩୦୦ ମଦ୍ରାସା ପାକିସ୍ତାନରେ ଚାଲିଛି। ଏସବୁ ମଦ୍ରାସା ନାମରେ ବ୍ୟାପକ ଭାବେ ବେଆଇନ୍‌ ଅନ୍ତର୍ଜାତୀୟ ପାଣ୍ଠି ବିନିଯୋଗ ହେଉଛି। ୨୦୧୯ ମାର୍ଚ୍ଚରେ ପାକିସ୍ତାନ ସରକାର ଆତଙ୍କବାଦୀ ସଂଗଠନ ଜାମାତ୍‌-ଉଦ୍‌-ଦାୱା ଦ୍ବାରା ପରିଚାଳିତ ୧୬୦ ବେଆଇନ୍‌ ମଦ୍ରାସା, ୩୨ ସ୍କୁଲ, ୨ଟି କଲେଜ, ୪ଟି ହସ୍ପିଟାଲ୍‌, ୧୭୮ ଆମ୍ବୁଲାନ୍‌ସ, ୧୫୩ ଡିସ୍‌ପେନ୍‌ସାରି ଜବତ କରାଯାଇଥିଲା। ତେବେ ଏହିଭଳି ବହୁ ଆତଙ୍କବାଦୀ ସଂଗଠନ ଦ୍ବାରା ପରିଚାଳିତ ବେଆଇନ୍‌ ମଦ୍ରାସା ପାକିସ୍ତାନରେ ସକ୍ରିୟ ଅଛନ୍ତି। ଏହା ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବାକୁ ଏଫ୍‌ଏଟିଏଫ୍‌ ଚେତାବନୀ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe