ଅଯୋଧ୍ୟା ରାୟ ପୂର୍ବରୁ ଆତଙ୍କ, ସବୁ ରାଜ୍ୟ ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ଅଯୋଧ୍ୟାରେ ଲୋକେ ଭୟରେ ଘର ଛାଡ଼ୁଛନ୍ତି, ରାସନ ମହଜୁଦ୍‌ ରଖୁଛନ୍ତି

ଅଯୋଧ୍ୟା ରାୟ ପୂର୍ବରୁ ଆତଙ୍କ, ସବୁ ରାଜ୍ୟ ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ଅଯୋଧ୍ୟା: ଅଯୋଧ୍ୟାରେ ଏବେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଭୟର ବାତାବରଣ ଲାଗି ରହିଛି ଏବଂ କେତେବେଳେ କିଭଳି ସ୍ଥିତି ସୃଷ୍ଟି ହେବ କହିହେଉ ନାହିଁ। ଆଉ କିଛଦିନ ମଧ୍ୟରେ ଅଯୋଧ୍ୟା ମାମଲାର ରାୟ ଆସିବାକୁ ଥିବାରୁ ସାରା ବିଶ୍ବର ନଜର ଏବେ ଅଯୋଧ୍ୟା ଉପରେ କେନ୍ଦ୍ରୀଭୂତ। ସହର ବାସିନ୍ଦାମାନେ ଏବେ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ନେଇ ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବାକୁ ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। କିଛି ଲୋକ ରାସନ୍‌ ସାମଗ୍ରୀ ମହୁଜଦ୍‌ କରି ରଖୁଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ପରିବାରର ମହିଳା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରୁଛନ୍ତି। ଏପରିକି ବିବାହ ଉତ୍ସବ ବି ବାତିଲ କରାଯାଉଛି। ଉଭୟ ହିନ୍ଦୁ ଓ ମୁସ୍‌ଲିମ ପକ୍ଷର ସଂଗଠନଗୁଡ଼ିକ ମଧ୍ୟରେ ଉଦ୍‌ବିଗ୍ନତା ବଢ଼ିଛି। ସରକାର ସୋସିଆଲ ମିଡିଆର ଦୁରୁପଯୋଗ ରୋକିବା ପାଇଁ କଡ଼ା ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇସାରିଛନ୍ତି ଏବଂ ପୁଲିସ ପ୍ରଶାସନ ମଧ୍ୟ ଏ ଦିଗରେ ସତର୍କ ରହିଛି । ତେବେ ଅଯୋଧ୍ୟାରେ ବିଭିନ୍ନ ସ୍ପର୍ଶକାତର ଅଂଚଳରେ ସୁରକ୍ଷା କଡ଼ାକଡ଼ି ଥିବା ସତ୍ତ୍ବେ ଲୋକେ ଆତଙ୍କ ଭିତରେ ରହୁଛନ୍ତି। କୌଣସି ଗୋଷ୍ଠୀ ଗୋପନ ବୈଠକ କିମ୍ବା ସମାବେଶ କରିପାରିବେ ନାହିଁ ବୋଲି ପ୍ରଶାସନ ନିର୍ଦ୍ଦେଶନାମା ଜାରି କରିଛି। ସହରର ଟ୍ରାଫିକ୍‌ ନିୟନ୍ତ୍ରଣଠାରୁ ଆରମ୍ଭ ସାହି ଗଳିରେ ଯାତାୟତ ପର୍ଯ୍ୟନ୍ତ ସବୁକିଛି ଉପରେ ଅହରହ ନଜର ରଖିବାକୁ ବ୍ୟବସ୍ଥା ହୋଇଛି। ଜନସାଧାରଣ ଭୟଭୀତ ନହେବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସବୁ ସମ୍ପ୍ରଦାୟର ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଅବସ୍ଥାନ କରିବାକୁ କୁହାଯାଇଛି। ଜିଲ୍ଲାପାଳ ଅନୁଜ ଝା କହିଛନ୍ତି, ଗତ ଅକ୍ଟୋବର ଏବଂ ନଭେମ୍ବର‌ରେ ଅନେକ ବୈଠକ କରାଯାଇ ଶାନ୍ତି ରକ୍ଷା ସୁନିଶ୍ଚିତ କରିବା ପାଇଁ ଯୋଜନା ହୋଇଛି। ସମସ୍ତ ସମ୍ବେଦନଶୀଳ ସ୍ଥାନମାନଙ୍କୁ ଚିହ୍ନଟ କରି ସେଠାରେ ଅତିରିକ୍ତ ବାହିନୀ ମୁତୟନ କରାଯାଇଛି।

ସବୁ ରାଜ୍ୟ ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ
ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସବୁ ସମ୍ବେଦନଶୀଳ ସ୍ଥାନମାନଙ୍କ‌ରେ ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୦ କମ୍ପାନି ଅର୍ଦ୍ଧସାମରିକ ଯବାନ ଉତ୍ତରପ୍ରଦେଶ ତଥା ବିଶେଷ କରି ଅଯୋଧ୍ୟାରେ ମୁତୟନ ପାଇଁ ପଠାଯାଇଛି। ଅଯୋଧ୍ୟାରେ ୩୦ରୁ ଅଧିକ ବୋମା ନିରୋଧକ ସ୍କ୍ବାଡ୍‌ ମୁତୟନ ହୋଇଛନ୍ତି। ସମସ୍ତ ଧର୍ମଶାଳାରେ ଥିବା ‌ଲୋକମାନଙ୍କୁ ନଭେମ୍ବର ୧୨ ସୁଦ୍ଧା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ମନ୍ତ୍ରୀଙ୍କୁ ଅଯୋଧ୍ୟା ରାୟ ସଂକ୍ରାନ୍ତରେ କୌଣସି ଅନାବଶ୍ୟକ ମତ ରଖିବାକୁ ବାରଣ କରିଛନ୍ତି। ଦେଶରେ ଶାନ୍ତି ଓ ସଦ୍‌ଭାବନା ରକ୍ଷା କରିବାପାଇଁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷେ ବହୁ ବରିଷ୍ଠ ନେତା ତଥା ଏନ୍‌ସିପି ସୁପ୍ରିମୋ ଶରଦ ପାୱାର, ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲୋକଙ୍କୁ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବାପାଇଁ ଅନୁ‌ରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe