Deccan Herald
ଅହମଦାବାଦ: ଦେଶରେ ସମ୍ପ୍ରତି କୋଭିଡ୍-୧୯ ସଂକ୍ରମଣର ଅହେତୁକ ବୃଦ୍ଧି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟରେ ରାତି କର୍ଫ୍ୟୁ ଓ ସାପ୍ତାହିକ ଲକ୍ଡାଉନ୍ ପରି କଟକଣା ଆରମ୍ଭ ହୋଇଯାଇଛି। ତେଣୁ ପୁଣି ଥରେ ଗତବର୍ଷ ପରି ଅକଥନୀୟ କଷ୍ଟଦାୟକ ସ୍ଥିତି ସହ ଅନିଶ୍ଚିତ ଭବିଷ୍ୟତ ଆଶଙ୍କାରେ ବିଭିନ୍ନ ରାଜ୍ୟରେ ପେଟପାଟଣା ପାଇଁ କାମ କରୁଥିବା ପ୍ରବାସୀ ଶ୍ରମିକମାନଙ୍କ ନିଦ ହଜିଯାଇଛି। ବିଶେଷ କରି ଦିଲ୍ଲୀ, ମହାରାଷ୍ଟ୍ର ଓ ଗୁଜରାଟରେ କାମ କରୁଥିବା ସଂଖ୍ୟାଧିକ ଶ୍ରମିକ ଏବେ ସପରିବାର ନିଜ ରାଜ୍ୟକୁ ଫେରିବା ଆରମ୍ଭ କରୁଥିବା ଦେଖାଯାଇଛି।
ସୂଚନାନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାର ବସ୍ ଟର୍ମିନାଲ୍ରେ ବିହାର, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଆସିଥିବା ଏହି ପ୍ରବାସୀମାନଙ୍କ ଭିଡ଼ ଲାଗି ରହିଛି। ସ୍ଥିତି ଯେପରି ସଙ୍ଗିନ ହେବାରେ ଲାଗିଛି ଆଗକୁ ଲକ୍ଡାଉନ୍ର ପୁନରାବୃତ୍ତି ଭୟରେ ସେମାନେ ନିଜ ଭିଟାମାଟିକୁ ଫେରିଯିବାକୁ ବସିଛନ୍ତି ବୋଲି କହିଛନ୍ତି। ଗତବର୍ଷ ପରି ପରିବର୍ତ୍ତିତ ସ୍ଥିତିରେ ସହରରେ ହାତବାନ୍ଧି ବିନା ରୋଜଗାରରେ ଭୋକଉପବାସରେ ପଡ଼ି ରହିବା ଅପେକ୍ଷା ଆଗୁଆ ସେମାନେ ନିଜ ଗାଁକୁ ଟିକେଟ୍ କାଟିବାକୁ ଶ୍ରେୟ ମଣିଥିବା କହିଛନ୍ତି। ସେହିପରି ମୁମ୍ବାଇରେ ମଧ୍ୟ ପ୍ରବାସୀମାନଙ୍କ ଅନୁରୂପ ଜନ୍ମମାଟି ଯାତ୍ରା ଦେଖିବାକୁ ମିଳିଛି। ବିଶେଷ କରି ଝାଡ଼ଖଣ୍ଡ, ଛତିଶଗଡ଼, ଆସାମ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟରୁ ଆସି ଦିନ ମଜୁରିଆ ଭାବେ ଦିନ କାଟୁଥିବା ଶ୍ରମିକମାନେ ଆତଙ୍କିତ ହୋଇ ରହିଛନ୍ତି।
ଗତବର୍ଷ ହଜାର ହଜାର ଶ୍ରମଜୀବୀ ଯାତାୟତ ମାଧ୍ୟମ ନପାଇ ଶହ ଶହ କିମି ପାଦରେ ଚାଲି ଚାଲି ଘରକୁ ଫେରିବାର ଯନ୍ତ୍ରଣାଦାୟକ ଦୃଶ୍ୟ ମନେ ପଡ଼ିଗଲେ, ବାହାରକୁ ଆସି ଟଙ୍କା କମାଇବାର ମୋହ ଭାଙ୍ଗିଯାଉଛି ବୋଲି କେହି କେହି କହିଛନ୍ତି। ସେହିପରି ଗୁଜରାଟର ଅଧିକ କୋଭିଡ୍ କ୍ଷତିଗ୍ରସ୍ତ ଅହମଦାବାଦ ଓ ସୁରତ ସହରରେ କାମ କରୁଥିବା ଏପରି ପ୍ରବାସୀ ଶ୍ରମିକମାନେ ବେଳୁହୁଁ ନିଜ ନିଜ ଜନ୍ମମାଟିକୁ ଫେରିଯିବାକୁ ପସନ୍ଦ କରିଛନ୍ତି। ଅବଶ୍ୟ ଗୁଜରାଟ ଛାଡୁଥିବା ଦାଦନଙ୍କ ସଂଖ୍ୟା ଖୁବ୍ କମ୍ ବୋଲି ସରକାରୀ ଅଧିକାରୀମାନେ ଦାବି କରିଛନ୍ତି।
Follow Us