ଡରାଉଛି କରୋନା ସଂକ୍ରମଣ: କମୁଛି ପୁରୁଣା, ବଢ଼ୁଛି ନୂଆ

Advertisment

ଜୁନ୍‌ ପରେ ଦେଶରେ ସବୁଠୁ କମ୍‌ ସଂକ୍ରମଣ, ମହାରାଷ୍ଟ୍ର,‌କେରଳ, ଛତିଶଗଡ଼ ସର୍ବାଧିକ ପ୍ରଭାବିତ ରାଜ୍ୟ

ଜୁନ୍‌ ପରେ ଦେଶରେ ସବୁଠୁ କମ୍‌ ସଂକ୍ରମଣ, ମହାରାଷ୍ଟ୍ର,‌କେରଳ, ଛତିଶଗଡ଼ ସର୍ବାଧିକ ପ୍ରଭାବିତ ରାଜ୍ୟ

ଡରାଉଛି କରୋନା ସଂକ୍ରମଣ: କମୁଛି ପୁରୁଣା,  ବଢ଼ୁଛି ନୂଆ

ନୂଆଦିଲ୍ଲୀ: ଚୀନ୍‌ର ଉହାନ ସହରରୁ ବ୍ୟାପିଥିବା କରୋନା ଭୂତାଣୁ ଜନିତ ସଂକ୍ରମଣ ଏବେ ଭାରତରେ କମିବାରେ ଲାଗିଛି। ଗତ କିଛିଦିନ ହେଲା ଏହା କମୁଥିବାରୁ ସରକାର ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। କିନ୍ତୁ ଏଭଳି ସ୍ଥିତିରେ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନାର ନୂଆ ତଥା ରୂପାନ୍ତରିତ ଭୂତାଣୁ (ବି ୧.୧.୭)ରେ ସଂକ୍ରମିତ ଲୋଙ୍କ ସଂଖ୍ୟା ଭାରତରେ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦେଶରେ ରୂପାନ୍ତରିତ ଭୂତାଣୁରେ ସଂକ୍ରମିତଙ୍କ ସଂଖ୍ୟା ୩୮ ଥିବାବେଳେ ଆଜି ଏହା ୭୧ରେ ପହଞ୍ଚିଛି। ବ୍ରିଟେନର ଏହି କରୋନା ଭୂତାଣୁ ଅପେକ୍ଷାକୃତ ଭାବେ ବହୁ ଅଧିକ ମାତ୍ରାରେ ବ୍ୟାପୁଛି।

ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ୨୫ ପରେ ଦେଶରେ ଆଜି ସବୁଠୁ କମ୍‌ କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତ ୨୪ ଘଣ୍ଟା‌ ମଧ୍ୟରେ ୧୬ ହଜାର ୩୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୨୦୧ ଜଣଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ୬ ମାସପରେ ଦେଶର ସଂକ୍ରମଣ ମାମଲା ଆଜି ଏତେ କମ୍‌ ରହିଛି। ଜୁନ୍‌ ୨୫ରେ ଶେଷ ଥର ପାଇଁ ଦେଶର ସଂକ୍ରମଣ ମାମଲା ସବୁଠୁ କମ୍‌ ତଥା ୧୬,୯୨୨ ଥିଲା। ଏହାପରେ ସଂକ୍ରମଣ ହଠାତ୍‌ ବଢ଼ିଚାଲିଲା। ମୋଟ୍‌ ସଂକ୍ରମଣ ମାମଲା ୧,୦୩,୫୬,୮୪୪କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ୧.୪୯ ଲକ୍ଷ ପହଞ୍ଚିଛି। ମହାରାଷ୍ଟ୍ର, ‌କେରଳ ଏବଂ ଛତିଶଗଡ଼ ଏବେ ଦେଶରେ ସର୍ବାଧିକ ପ୍ରଭାବିତ ରାଜ୍ୟ ପାଲଟିଛି। ମହାରାଷ୍ଟ୍ରର କ‌ରୋନା ସଂକ୍ରମଣ ମାମଲା ୧,୯୪୭,୦୧୧କୁ ବୃଦ୍ଧି ପାଇଛି। ଗତକାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୪,୮୭୫ ମାମଲା ଚିହ୍ନଟ ହୋଇଛି ଏବଂ ୧୦,୩୬୨ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷେ ୨୯ ଜଣ କରୋନାରେ ପ୍ରାଣ ହାରିଛନ୍ତି। ଦ୍ବିତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟଭାବେ କେରଳରେ ଗତକାଲି ୩,୦୨୧ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୭୮,୮୭୩କୁ ବୃଦ୍ଧି ପାଇଥିବାବେଳେ ୩,୧୬୦ ଜଣଙ୍କର ମୃତ୍ୟୁ ହୋଇଛି।

ଅନ୍ୟପକ୍ଷରେ ଦେଶରେ ନୂଆ ରୂପାନ୍ତରିତ କରୋନା ଭୂତାଣୁ (ବି ୧.୧.୭) ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୭୧ରେ ପହଞ୍ଚିଛି। ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରାଳୟ ବିଭାଗର ଜୈବପ୍ରଯୁକ୍ତି ସଚିବ ରେଣୁ ସ୍ବରୁପ ଆଜି ଏହା କହିଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଦେଶରେ ମୋଟ୍‌ ୫୮ ଜଣ ନୂଆ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ପ୍ରାୟ ୩୩ ହଜାର ଯାତ୍ରୀ ବ୍ରିଟେନ୍‌ରୁ ଆସି ଭାରତର ବିଭିନ୍ନ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ସମସ୍ତ ଯାତ୍ରୀଙ୍କୁ ବିଭିନ୍ନ ରାଜ୍ୟରେ ଟ୍ରାକ୍‌ କରାଯାଇଛି। ତେବେ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି ଏବଂ ରାଜ୍ୟମାନଙ୍କୁ ଏଦିଗରେ ନିୟମିତ ପରାମର୍ଶ ଦିଆଯାଉଛି। ନୂଆ ଭୂତାଣୁ ସଂକ୍ରମିତ ହୋଇଥିବା ରୋଗୀମାନଙ୍କୁ ସ୍ବତନ୍ତ୍ର ଭାବେ ରଖି ଚିକିତ୍ସା କରାଯାଉଛି। କିନ୍ତୁ ‌ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନେ ସେମାନଙ୍କ ଠାରେ କୌଣସି ଗୁରୁତର ଅସୁସ୍ଥତା ଦେଖିବାକୁ ପାଇ ନଥିବା ଜଣାପଡ଼ିଛି। ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ନୂଆ ପ୍ରଜାତିର କରୋନା ଭୂତାଣୁ ଏବେ ଡେନମାର୍କ, ନେଦରଲାଣ୍ଡ୍‌, ଅଷ୍ଟ୍ରେଲିଆ, ଇଟାଲି, ସ୍ବିଡେନ୍‌,ଫ୍ରାନ୍ସ, ସ୍ପେନ୍‌, ସ୍ବିଜରଲାଣ୍ଡ୍‌, ଜର୍ମାନୀ, କାନାଡ଼ା, ଜାପାନ, ଲେବାନନ୍‌, ସିଙ୍ଗାପୁର୍‌ରେ ଚିହ୍ନଟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe