ବିଧାୟକଙ୍କ ଦ୍ବାରା ବର୍ଜନର ଭୟ ସଚିନଙ୍କୁ ପଛକୁ ଫେରାଇଥିଲା

ମୋଦୀ, ଅୱେସିଙ୍କ ବିରୋଧରେ ବର୍ଷିଲେ ପାଇଲଟ୍‌: ନିର୍ବାଚନ ଅଛି ବୋଲି ରାଜସ୍ଥାନ ଆସୁଛନ୍ତି, ନିର୍ବାଚନ ସରିଗଲେ ଅଦୃଶ୍ୟ ହୋଇଯିବେ

The Indian Express

ନୂଆଦିଲ୍ଲୀ: ବିଦ୍ରୋହୀ କଂଗ୍ରେସ ନେତା ସଚିନ ପାଇଲଟ୍‌ ସୋମବାର ରାହୁଲ ଗାନ୍ଧିଙ୍କୁ ଭେଟି ବିବାଦର ଅବସାନ ଘଟିଛି ବୋଲି କହିବା ପରେ ରାଜସ୍ଥାନରେ ଦୀର୍ଘ ମାସେ ହେଲା ଚାଲିଥିବା ରାଜନୈତିକ ନାଟକର ଯବନିକା ପଡ଼ିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାଜସ୍ଥାନର ବିଜେପି ୟୁନିଟ୍‌ରେ ଅସନ୍ତୋଷ ଦେଖାଦେଇଥିବା ଖବର ପାଇ ସଚିନ ରବିବାର କଂଗ୍ରେସର ମହାସଚିବ(ସାଂଗଠନିକ) କେ ସି ବେଣୁଗୋପାଳଙ୍କୁ ସାକ୍ଷାତ କରିଥିଲେ। ଏହି ବୈଠକ ସଚିନ୍‌ଙ୍କ ଶିବିରରେ ଏକ ଫାଟ ଆଣିଥିଲା। କାରଣ କିଛି ବିଦ୍ରୋହୀ ବିଧାୟକଙ୍କୁ ସେମାନଙ୍କ ରାଜନୈତିକ ଭବିଷ୍ୟତ ପ୍ରତି ସତର୍କ କରାଇ ଦିଆଯାଇଥିଲା। ଏହା ଦ୍ବାରା ଦଳର ନେତାମାନଙ୍କୁ ତିନି ଜଣ ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପ୍ରୟାସ କରାଯାଇଥିଲା। ନିଜ ଶିବିରରେ ଏକଘରିକିଆ ହୋଇଯିବାର ଭୟ ହିଁ ସଚିନଙ୍କୁ ଅଧିକ କିଛି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ଏଣେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ଶିବିରର ସ୍ବାର୍ଥକୁ ଅକ୍ଷୁଣ୍ଣ ରଖି ବିଦ୍ରୋହୀ ସଚିନ୍‌ଙ୍କୁ କିପରି ସନ୍ତୁଷ୍ଟ କରାଗଲା, ସେ ସମ୍ପର୍କରେ ଦଳୀୟ ମହଲ କିଛି ବି କହିବାକୁ ଉଚିତ ମନେ କରୁନି। ସଚିନଙ୍କ ସମେତ ୧୯ ବିଧାୟକ ଫେରି ଆସିବା ଘଟଣା ମୁଖ୍ୟମନ୍ତ୍ରୀ ଗେହଲଟ୍‌ଙ୍କୁ ଆଶ୍ବସ୍ତି ଦେଇଛି।

ଏହି ଅବସରରେ ସଚିନ୍‌, ପ୍ରିୟଙ୍କା ଗାନ୍ଧି, ବେଣୁଗୋପାଳ ଓ ଅହମଦ ପଟେଲଙ୍କ ମଧ୍ୟରେ ବହୁବାର ଆଲୋଚନା ହୋଇଛି, ମାତ୍ର ସଚିନ ଶିବିରକୁ ଏହା ଭାଙ୍ଗିବାରେ ବିଫଳ ହୋଇଛି। ଗତ ଶନିବାର ଘଟଣାର ଅସଲ ମୋଡ଼ ଆସିଥିଲା ଯେତେବେଳେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଅତି ନିକଟତର ୬ ଜଣ ବିଜେପି ବିଧାୟକ ହଠାତ୍ ଗୁଜରାଟର ସୋମନାଥ ମନ୍ଦିର ଅଭିମୁଖେ ଯାତ୍ରା କଲେ। ଆସନ୍ତା ୧୪ ତାରିଖରେ ଆରମ୍ଭ ହେଉଥିବା ବିଧାନସଭାର ଗୁରୁତ୍ବପୂର୍ଣ୍ଣ ମୌସୁମୀ ଅଧିବେଶନ ବେଳେ ନିଜର ବିଧାୟକମାନଙ୍କୁ ଏକଜୁଟ ରଖିବା ଲାଗି ବିଜେପିର ଏହା ପ୍ରତିଷେଧକ ବ୍ୟବସ୍ଥା ବୋଲି ଚର୍ଚ୍ଚା ହୋଇଥିଲା। ଏହାପରେ ହିଁ ସଚିନ କଂଗ୍ରେସର ଦଳୀୟ ନେତୃତ୍ବ ସହ କଥାବାର୍ତ୍ତା ପାଇଁ ରାଜି ହୋଇଥିଲେ। ଅନ୍ୟ ବିଧାୟକମାନଙ୍କ ସହ ଜୟସାଲମେରରେ ଡେରା ପକାଇଥିବା ବେଣୁଗୋପାଳ ତୁରନ୍ତ ଦିଲ୍ଲୀ ଆସିଥିଲେ। ରବିବାର ସଚିନ-ବେଣୁଗୋପାଳ ଆଲୋଚନା ଚାଲିଥିବା ବେଳେ ଏ ସମ୍ପର୍କରେ ଅନ୍ଧକାରରେ ରହିଥିବା ଅନ୍ୟ ବିଦ୍ରୋହୀ ବିଧାୟକମାନଙ୍କର ସଚିନଙ୍କ ଭୂମିକାରେ ସନ୍ଦେହ ଜାତ ହୋଇଥିଲା। ସେମାନେ ନିଜର ଭବିଷ୍ୟତ ସମ୍ପର୍କରେ ବିବ୍ରତ ହେବା ସହ ଗାନ୍ଧି ପରିବାର ଓ ଦଳ ପ୍ରତି ନିଜର ଆନୁଗତ୍ୟ ଥିବା ଶପଥ କରିଥିଲେ। ଅନ୍ୟତମ ବିଦ୍ରୋହୀ ତଥା ବରିଷ୍ଠ ବିଧାୟକ ଭଁଵାର ଲାଲ ଶର୍ମା ଏବଂ ଅନ୍ୟ ଦୁଇ ଜଣ ବିଧାୟକ ମଧ୍ୟ ବେଣୁଗୋପାଳଙ୍କ ସହ ଯୋଗାଯୋଗ କରିଥିଲେ। ତେବେ ବିଶେଷ କରି ଭଁଵର ଲାଲଙ୍କ ଆଭିମୁଖ୍ୟ ହିଁ ସଚିନ୍‌ଙ୍କୁ ଏକଘରିକିଆ ହୋଇଯିବାର ଭୟ ଘାରିଥିଲା। ସୁତରାଂ ସେ ଅନନ୍ୟୋପାୟ ହୋଇ ସୋମବାର ରାହୁଲ ଓ ପ୍ରିୟଙ୍କାଙ୍କୁ ଭେଟି ବିବାଦରେ ଅନ୍ତ ଘଟିଲା ବୋଲି ସଂକେତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe