ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଭାରତ ବିଦେଶରୁ ଆମଦାନି କରୁଥିବା ସାର ପରିମାଣ ବଢ଼ିବ। ଫଳରେ ସାର ଆମଦାନି ମୂଲ୍ୟ ୧୮ ବିଲିଅନ୍‌ ଡଲାରରେ ପହଞ୍ଚିଯିବା ଆକଳନ କରାଯାଉଛି। ଦେଶର କେତେକ ଅଞ୍ଚଳରେ ଚାଷୀମାନେ ଅଧିକ ଜମିରେ ଚାଷ କରିଥିବାରୁ ପୂର୍ବ ବର୍ଷ ଅପେକ୍ଷା ସାର ଚାହିଦା ବଢ଼ିଛି। ଫଳରେ ଡିଏପି ଓ ୟୁରିଆ ସାର ଆମଦାନି ଯଥେଷ୍ଟ ବୃଦ୍ଧି ପାଇଥିବା ଏକ ସୂତ୍ରରୁ ଜଣାପଡ଼ିଛି। ଇତିମଧ୍ୟରେ ଆର୍ଥିକ ବର୍ଷର ପ୍ରଥମ ୯ ମାସରେ ଭାରତକୁ ସାର ଆମଦାନି ୧୩.୯୮ ବିଲିଅନ୍‌ ଡଲାରରେ ପହଞ୍ଚିସାରିଛି। ଗତ ଆର୍ଥିକ ବର୍ଷରେ ସାର ଆମଦାନିରେ ଭାରତ ସରକାର ୧୦.୨୩ ବିଲିଅନ୍‌ ଡଲାର ଖର୍ଚ୍ଚ କରିଥିଲେ। କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ନଅ ମାସରେ ଏଥିରେ ୭୧ ପ୍ରତିଶତ ବୃଦ୍ଧି ଘଟି ସାରିଲାଣି।

Advertisment

ଅଧିକପଢ଼ନ୍ତୁ:ପାରିବାରିକ କଳହକୁ ନେଇ ପୁଅକୁ ଛୁରୀ ଭୁସିଲା ବାପା

ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବରୁ ସାର ଆମଦାନି ଖର୍ଚ୍ଚ ଅଧିକ

ସୂଚନାଯୋଗ୍ୟ, ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତର ସାର ଆମଦାନି ଖର୍ଚ୍ଚ ସର୍ବାଧିକ ଥିଲା। ସେହିବର୍ଷ ଭାରତ ୧୭.୨୧ ବିଲିଅନ୍‌ ଡଲାର ମୂଲ୍ୟର ସାର ଆମଦାନି କରିଥିଲା। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପ୍ରଭାବରୁ ସାର ଆମଦାନି ଖର୍ଚ୍ଚ ଅଧିକ ହୋଇଥିଲା। ତେବେ ଚଳିତ ବର୍ଷ ଏହା ପୁଣି ନୂଆ ରେକର୍ଡ ଛୁଇଁବାର ସମ୍ଭାବନା ରହିଛି। ତେବେ ଚଳିତ ମୌସୁମୀ ଋତୁରେ ଭଲ ବର୍ଷା ହୋଇଥିବାରୁ ଭାରତୀୟ ଚାଷୀମାନେ ଅଧିକ ଜମିରେ ଚାଷ କାର୍ଯ୍ୟ କରିଛନ୍ତି। ତେଣୁ ଏହା ସାର ଚାହିଦାକୁ ବଢ଼ାଇ ଦେଇଛି ବୋଲି ଦେଶରେ ପ୍ରମୁଖ ସାର ଆମଦାନିକାରୀ ସଂସ୍ଥା ‘ଇଣ୍ଡିଆନ୍‌ ପଟାସ୍‌’ର ନିର୍ଦ୍ଦେଶକ ପି ଏସ ଗେହଲଟ୍‌ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଗତ ବର୍ଷ ତୁଳନାରେ ଭାରତରେ ସାର ଚାହିଦା ୫ ପ୍ରତିଶତ ଅଧିକ ରହିଛି। ଫର୍ଟିଲାଇଜର ଆସୋସିଏସନ୍‌ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ଏସ୍‌ ଶଂକର ସୁବ୍ରମଣ୍ୟନ କହିଛନ୍ତି ଯେ ଭଲ ମୌସୁମୀ ବର୍ଷା ଯୋଗୁ ଧାନ ଚାଷ ଅଧିକ ହୋଇଛି। ଏହା ୟୁରିଆ ସାରର ଚାହିଦାକୁ ବଢ଼ାଇ ଦେଇଛି। ୟୁରିଆ ଆମଦାନି ପୂର୍ବ ବର୍ଷ ତୁଳନାରେ ୬୧ ପ୍ରତିଶତ ଓ ଡିଏପି ଆମଦାନି ୫୨ ପ୍ରତିଶତ ବୃଦ୍ଧି ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଭାରତ ଓମାନ, ରୁଷ୍‌, ଚୀନ୍‌ ଓ ସାଉଦିଆରବରୁ ୟୁରିଆ ଓ ଡିଏପି ସାର ଆମଦାନି କରିଥାଏ।

ଅଧିକପଢ଼ନ୍ତୁ:ହାର୍ଲି ଡେଭିଡସନ ବାଇକ୍‌ ଶସ୍ତା ହେବ