କୋଝିକୋଡ଼ : କେରଳର କୋଝିକୋଡ଼ରେ ପଞ୍ଚମ ନିପା ମାମଲା ଚିହ୍ନଟ ହୋଇଛି। କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ୍ ଆଜି ଏହା ସ୍ପଷ୍ଟ କରିଛନ୍ତି। କୋଝିକୋଡ଼ର ଏକ ଘରୋଇ ହସ୍ପିଟାଲ୍ର ଜଣେ ୨୪ ବର୍ଷୀୟା ସ୍ବାସ୍ଥ୍ୟକର୍ମୀ ନିପାରେ ଆକ୍ରାନ୍ତ ହୋଇଛନ୍ତି। ଉକ୍ତ ସ୍ବାସ୍ଥ୍ୟକର୍ମୀଙ୍କ ସଂସ୍ପର୍ଶରେ ୭୦୬ ଜଣ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ୧୫୩ ଜଣ ହେଉଛନ୍ତି ସ୍ବାସ୍ଥ୍ୟକର୍ମୀ। ସେମାନଙ୍କ ମଧ୍ୟରେ ୬୬ ଜଣ ହାଇ-ରିସ୍କ ଶ୍ରେଣୀରେ ଅଛନ୍ତି। ହସ୍ପିଟାଲ୍ରେ ଏବେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କ ଠାରେ ନିପାର ସାମାନ୍ୟ ଲକ୍ଷଣ ରହିଛି।
ତେବେ ହାଇ ରିସ୍କ କଣ୍ଟାକ୍ଟ ତାଲିକାରେ ଥିବା ଲୋକମାନେ ଘରେ ରହିବାପାଇଁ ସରକାର ପରାମର୍ଶ ଦେଇଛନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ଟିମ୍ ନିପା ମୁକାବିଲା ପାଇଁ କେରଳରେ କାମ କରୁଛନ୍ତି ଏବଂ କେରଳ ସରକାର ମଧ୍ୟ ୧୯ ସଦସ୍ୟ ବିଶିଷ୍ଟ ଏକ କୋର୍ କମିଟି ଗଠନ କରିଛନ୍ତି। ନିପାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ୯ ବର୍ଷର ଶିଶୁ ସମେତ ୨ ଜଣ ଏବେ ହସ୍ପିଟାଲ ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି। କୋଝିକୋଡ଼ରେ ୭ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
Follow Us