Image Courtesy of NDTV
ନୂଆଦିଲ୍ଲୀ: ଆଫଗାନିସ୍ତାନର ଶେଷ ବିଦ୍ରୋହୀ ପ୍ରଦେଶ ପଞ୍ଜଶୀରକୁ ନିୟନ୍ତ୍ରଣାଧୀନ କରିଛନ୍ତି ବୋଲି ତାଲିବାନ୍ ଯାହା ଦାବି କରୁଛି ‘ଦି ନ୍ୟାସ୍ନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ (ଏନ୍ଆର୍ଏଫ୍) ଆଜି ତାହାକୁ ଖଣ୍ଡନ କରି କହିଛି ଯେ, ତାଲିବାନ୍ ବିରୋଧରେ ସେମାନଙ୍କର ଲଢ଼େଇ ଚାଲୁ ରହିବ।
‘ଫ୍ରଣ୍ଟ୍’ର ନେତାମାନେ କହିଛନ୍ତି ଯେ, ଲଢ଼େଇ ଜାରି ରଖିବା ଲାଗି ପଞ୍ଜଶୀର ଉପତ୍ୟକାର ସମସ୍ତ ଯୁଦ୍ଧ ଉପଯୋଗୀ ସ୍ଥାନମାନଙ୍କରେ ‘ରେଜିଷ୍ଟାନ୍ସ୍ ଫୋର୍ସ’ ଉପସ୍ଥିତ ଅଛନ୍ତି। ସେମାନେ ଆଫଗାନ୍ବାସୀଙ୍କୁ ଭରସା ଦେଇ କହିଛନ୍ତି ଯେ, ନୈତିକତା ଏବଂ ସ୍ବାଧୀନତା ପ୍ରାପ୍ତି ହେବା ପର୍ଯ୍ୟନ୍ତ ତାଲିବାନ୍ ଏବଂ ସେମାନଙ୍କ ସହଯୋଗୀମାନଙ୍କ ବିରୋଧରେ ସଂଗ୍ରାମ ଚାଲୁ ରହିବ।
ଉପରୋକ୍ତ ସୂଚନା ‘ନ୍ୟାସ୍ନାଲ୍ ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍ ଅଫ୍ ଆଫଗାନିସ୍ତାନ’ର ଯାଞ୍ଚ କରାଯାଇ ନ ଥିବା ଟୁଇଟର୍ ଆକାଉଣ୍ଟ୍ ମାଧ୍ୟମରେ ସେୟାର୍ ହୋଇଛି। ଏଥିରେ ଉଲ୍ଲେଖ ଅଛି, ପଞ୍ଜଶୀର ଅଧିକାର କରିଛି ବୋଲି ତାଲିବାନ୍ କରିଥିବା ଦାବି ମିଥ୍ୟା। ଲଢ଼େଇ ବଜାୟ ରଖିବା ପାଇଁ ଉପତ୍ୟକାର ସବୁ ଯୁଦ୍ଧ ଉପଯୋଗୀ ସ୍ଥାନମାନଙ୍କରେ ‘ଏନ୍ଆର୍ଏଫ୍’ ଫୌଜ ଉପସ୍ଥିତ ଅଛନ୍ତି।
 Image Courtesy of Zee Newsସେହିପରି, ‘ରେଜିଷ୍ଟାନ୍ସ୍ ଫ୍ରଣ୍ଟ୍’ର ଅସ୍ତ୍ରବିରତି ପ୍ରସ୍ତାବକୁ ତାଲିବାନ୍ ଅସ୍ବୀକାର କରିଛି। ତାଲିବ୍ମାନେ ପଞ୍ଜଶୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିଥିବାର ଭିଡିଓ ମଧ୍ୟ ସେୟାର୍ କରିଛନ୍ତି।
ଏହାଛଡ଼ା, ‘ପ୍ରେଜିଡେନ୍ସିଆଲ୍ ପାଲେସ୍’ରୁ ମଧ୍ୟ ତାଲିବାନ ଆଫଗାନିସ୍ତାନ ପତାକା ଅବତରଣ କରାଇବା ସହ କାବୁଲ୍ ପ୍ରାଚୀରରୁ ହଟାଇ ଦେଇଛି। ଏଥିସହ ଚେତାବନୀ ଦେଇ ତାଲିବାନ୍ କହିଛି ଯେ, ସମସ୍ୟା ସୃଷ୍ଟିକାରୀମାନଙ୍କୁ ‘ପଞ୍ଜଶୀର ରେଜିଷ୍ଟାନ୍ସ୍ ଫୋର୍ସ’ଙ୍କ ଭଳି ଦମନ କରାଯିବ।
ଅସ୍ତ୍ରଉତ୍ତୋଳନକାରୀଙ୍କୁ ଆଫଗାନିସ୍ତାନର ଶତ୍ରୁ ବୋଲି ବିବେଚନା କରାଯିବ। ଲୋକେ ଜାଣିବା ଉଚିତ ଯେ, ଆକ୍ରମଣକାରୀମାନେ ଆମ ଦେଶର ପୁନର୍ଗଠନ କରିବେ ନାହିଁ। ତାହା କରିବା ଆମ ଦେଶବାସୀଙ୍କ ଦାୟିତ୍ବ। କ୍ବତାର, ତୁର୍କୀ ଓ ୟୁନାଇଟେଡ୍ ଆରବ ଏମିରେଟସ୍ର କମ୍ପାନିମାନଙ୍କରୁ ଆସିଥିବା ବୈଷୟିକ ଟିମ୍ ସବୁ କାବୁଲ ବିମାନ ବନ୍ଦର ପୁନଃଚାଳନା ପାଇଁ କାର୍ଯ୍ୟ କରୁଛନ୍ତି।
ସମଗ୍ର ବିଶ୍ବ, ବିଶେଷକରି ଚୀନ୍ ସହ ଉତ୍ତମ ସମ୍ପର୍କ ରଖିବା ଲାଗି ତାଲିବାନ ଚାହେଁ। ତାଲିବାନ୍ କହୁଛି କି, ଚୀନ୍ ଗୋଟାଏ ବିଶାଳ ଅର୍ଥନୈତିକ ଶକ୍ତି ଏବଂ ଆଫଗାନିସ୍ତାନ ପାଇଁ ବେଶ୍ ଗୁରତ୍ବପୂର୍ଣ୍ଣ। ପୁନର୍ନିମାଣ ଏବଂ ବିକାଶ ଲାଗି ଆଫଗାନିସ୍ତାନ ସହାୟତା ଆବଶ୍ୟକ କରୁଛି।
  
 Follow Us