ଜଳବାୟୁ ପରିବର୍ତ୍ତନ ଓ ଅପପୁଷ୍ଟି ସହ ଲଢ଼େଇ: ଦେଶର ଚାଷୀଙ୍କୁ ମିଳିଲା ୩୫ଟି ନୂଆ ଶସ୍ୟ କିସମ

Advertisment

ପ୍ରଧାନମନ୍ତ୍ରୀ ଲୋକାର୍ପଣ କଲେ

ପ୍ରଧାନମନ୍ତ୍ରୀ ଲୋକାର୍ପଣ କଲେ

ଲୁଟେରାଙ୍କ ପାଇଁ ସ୍ଥାନ ନାହିଁ: ପ୍ରଧାନମନ୍ତ୍ରୀ

Image Courtesy of India Today

ନୂଆଦିଲ୍ଲୀ: ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ଦ୍ବାରା ବିକଶିତ ୩୫ଟି ଶସ୍ୟ କିସମକୁ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ଅପପୁଷ୍ଟି ପରି ଯୁଗ୍ମ ଆହ୍ବାନକୁ ମୁକାବିଲା କରିବାରେ ଏହା ସମର୍ଥ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଇସିଏଆର୍‌ର ବିଭିନ୍ନ ଶାଖା, ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟ ଏବଂ କୃଷି ବିଜ୍ଞାନକେନ୍ଦ୍ରଗୁଡ଼ିକ ଏହି ଭିଡିଓ କନ୍‌ଫରେନ୍ସର ଆୟୋଜନ କରିଥିଲେ।

ପିଏମ୍‌ଓର ସୂଚନା ଅନୁସାରେ, ଆମ କୃଷି ବୈଜ୍ଞାନକମାନଙ୍କ ଦ୍ବାରା ବିକଶିତ ଏହି ୩୫ଟି ଶସ୍ୟରେ ଅଧିକ ପୌଷ୍ଟିକ ତତ୍ତ୍ବ ରହିଛି ଏବଂ ଏଗୁଡ଼ିକ ପ୍ରତିକୂଳ ପାଣିପାଗ ବା ଅତିବୃଷ୍ଟି ଓ ଅନାବୃଷ୍ଟି ପରି ପରିସ୍ଥିତିରେ ବି ତିଷ୍ଠି ରହିପାରିବ। ଏଗୁଡ଼ିକ ମଧ୍ୟରେ ଅଛି ମରୁଡ଼ି ସହନଶୀଳ ଚିକ୍‌ପି (ଚଣା), ୱିଲ୍‌ଟ ଓ ଷ୍ଟେରିଲିଟି ମୋଜାଇକ୍ ପରି ଫସଲରୋଗ ବିରୋଧରେ ଲଢ଼ିପାରୁଥିବା ପିଜନପି (ମସୁରଡାଲି), ସଅଳ ଅମଳକ୍ଷମ ସୋୟାବିନ୍, ରୋଗ-ପ୍ରତିରୋଧକ୍ଷମ ଧାନ ଏବଂ ଜୈବବିବର୍ତ୍ତିତ କିସମର ଗହମ, ପର୍ଲ ମିଲେଟ୍ (ବାଜରା), ମକା, ଓ ଚଣା, କିନୁଆ, ବକ୍‌ହ୍ବିଟ୍‌ (କୁଟ୍ଟୁ), ୱିଙ୍ଗ୍‌ଡ ବିନ୍ (ଡେଣାଯୁକ୍ତ ଶିମ୍ବ), ଫାବା ବିନ୍ (ଫାବା ଶିମ୍ବ) ପ୍ରଭୃତି। ଏହିସବୁ ଶସ୍ୟରେ ବିଶେଷ ପୌଷ୍ଟିକ ତତ୍ତ୍ବ ରହିଛି, ଯାହା ସ୍ବାସ୍ଥ୍ୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।

ଏହି ଅବସରରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଲେ ଯେ, ଦେଶର ୮୬ ପ୍ରତିଶତ କୃଷକ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ଏହିସବୁ ଶସ୍ୟଚାଷ ସେମାନଙ୍କ ଆୟବୃଦ୍ଧିରେ ସାହାଯ୍ୟ କରିବ। ଚାଷୀ କାହା ଦୟା ଉପରେ ନିର୍ଭର କରିବା ଉଚିତ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଚାଷୀ ତା’ ନିଜ ଶକ୍ତିରେ ଉଠିବା ପାଇଁ ସେଥିପାଇଁ ପିଏମ୍‌-କିସାନ ଓ କିସାନ ରେଲ ଦ୍ବାରା ପରିବହନ ଆଦି ଅନେକ ଯୋଜନା କରାଯାଇଛି। ବିହନ ବୁଣିବାଠାରୁ ଆରମ୍ଭ କରି ବଜାରରେ ବିକିବା ପର୍ଯ୍ୟନ୍ତ ସୁବିଧା କରାଯାଉଛି, ଯାହାଦ୍ବାରା ଚାଷୀମାନଙ୍କର ଆୟ ଦ୍ବିଗୁଣିତ ହୋଇପାରିବ ଏବଂ ତାହାଦ୍ବାରା ଭାରତ କୃଷି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। ରାୟପୁରଠାରେ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ଟଲରାନ୍ସର ନବନିର୍ମିତ କ୍ୟାମ୍ପସ ଉଦ୍‌ଘାଟନ ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅନୁଷ୍ଠାନ ରାଜ୍ୟରେ କୃଷି ବିକାଶରେ ସାହାଯ୍ୟ କରିବ ବୋଲି ସେ କହିଥିଲେ। ଉକ୍ତ ଉତ୍ସବରେ ମତ୍ସ୍ୟ, ପ୍ରାଣୀ ଓ କୁକୁଡ଼ାପାଳନ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲ, କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ ଓ ଶୋଭା କରନ୍ଦଲାଜେ ଏବଂ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe