The New York Times
ମସ୍କୋ : ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଆସନ୍ତାକାଲି ୨ ମାସ ପୂରୁଥିବା ବେଳେ ରୁଷ୍ ପୂର୍ବ ୟୁକ୍ରେନ୍ରେ ଏହାର ଆକ୍ରମଣକୁ ଜୋରଦାର କରିଛି। ମାରିୟୁପୋଲ୍ ପରେ ଏବେ ରୁଷ୍ ଖାରକିଭ, ମାଇକୋଲେଭ୍ ଏବଂ ଲୁହାଂସ୍କରେ ଜୋରଦାର ଗୋଳାବର୍ଷା କରୁଛି। ରକେଟ୍ ଆକ୍ରମଣରେ ବ୍ୟାପକ ଅଞ୍ଚଳ ଛାରଖାର ହୋଇଯାଇଛି। ଗତକାଲିଠାରୁ ରୁଷ୍ ଉତ୍ତର ପୂର୍ବ ୟୁକ୍ରେନ୍ରେ ଭୟଙ୍କର ଆକ୍ରମଣ ଆରମ୍ଭ କରିଛି। ରୁଷ୍ ଏଠାରେ ୪୨ରୁ ଅଧିକ ସହର ନିଜ ଦଖଲକୁ ନେଇ ସାରିଛି। ୟୁକ୍ରେନ୍ ଅଧିକାରୀମାନେ ଏହା ସ୍ବୀକାର କରିଛନ୍ତି। ମେ’ ୯ ତାରିଖରେ ରୁଷ୍ ୟୁକ୍ରେନ୍ ଯୁଦ୍ଧରେ ବିଜୟ ଘୋଷଣା କରିବାପାଇଁ ଯୋଜନା କରୁଥିବା କୁହାଯାଉଛି। ତେଣୁ ଏହାପୂର୍ବରୁ ରୁଷ୍ ଏହାର ଆକ୍ରମଣକୁ ଅଧିକ ତୀବ୍ର କରିଛି। ଏହା ପୂର୍ବରୁ ରୁଷ୍ ଡୋନେସ୍କ ଏବଂ ଲୁହାଂସ୍କକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଚେଷ୍ଟା କରୁଛି। ପୂର୍ବ ଏବଂ ଦକ୍ଷିଣ ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ରୁଷ୍ର ମୂଳ
ଲକ୍ଷ୍ୟ ବୋଲି ରୁଷ୍ ଜେନେରାଲ କହିଛନ୍ତି। ତେବେ ପୂର୍ବ ୟୁକ୍ରେନ୍ରେ ରୁଷ୍ର ଆକ୍ରମଣର ମୁକାବିଲା କରିବା ପାଇଁ ୟୁକ୍ରେନ୍ ବାହିନୀ ସବୁ ଉଦ୍ୟମ କରୁଛନ୍ତି। ସେମାନେ ରୁଷ୍ର ୯ଟି ଟ୍ୟାଙ୍କ୍, ୧୩ଟି ସାମରିକ ଯାନ , ଗୋଟିଏ ଟ୍ୟାଙ୍କର୍ ଏବଂ ୩ଟି ଆର୍ଟିଲେରି ସିଷ୍ଟମ୍ ଧ୍ବଂସ କରିଦେଇଥିବା ଦାବି କରିଛନ୍ତି।
ଲୁହାଂସ୍କରେ ଅନବରତ ବୋମା ଓ ରକେଟ୍ ମାଡ଼ ଜାରି ରହିଛି। ୟୁକ୍ରେନ୍ ନିୟନ୍ତ୍ରଣରେ ଥିବା ସମସ୍ତ ଅଂଚଳକୁ ରୁଷ୍ ଟାର୍ଗେଟ୍ କରି ବୋମାବର୍ଷା କରୁଛି। ପୂର୍ବଦିନ ତୁଳନାରେ ୧୨ ଗୁଣ ଅଧିକ ଗୋଳାବର୍ଷା ହେଉଛି ବୋଲି ଲୁହାଂସ୍କ ଗଭର୍ଣ୍ଣର କହିଛନ୍ତି। ପୋପାସନାରେ ସାଧାରଣ ଜନବସତି ଅଞ୍ଚଳଗୁଡ଼ିକୁ ଟାର୍ଗେଟ୍ କରି ବୋମାମାଡ଼ ହେଉଛି। ରାସ୍ତାଘାଟରେ ବି ଲଢ଼େଇ ଆରମ୍ଭ ହୋଇଯାଇଛି। ଦକ୍ଷିଣ ସହର ମାଇକୋଲେବରେ ରୁଷ୍ ଗତକାଲି ରାତିସାରା ବୋମାବର୍ଷା କରିଛି। ଆଗକୁ ଇଷ୍ଟର ଥିବାବେଳେ ମାଇକୋଲେବରେ କର୍ଫ୍ୟୁ ଘୋଷଣା ହୋଇଛି। ଉତ୍ତରପୂର୍ବ ସହର ଖାରକିବ୍ରେ ମଧ୍ୟ ରୁଷ୍ ସାଧାରଣ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଗୋଳାବର୍ଷା କରୁଛି। ଖାରକିଭ୍ରେ ରୁଷ୍ ୟୁକ୍ରେନ୍ର ଏକ ଯୁଦ୍ଧ ବିମାନ ଖସାଇ ଦେଇଛି ବୋଲି ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଦାବି କରାଯାଇଛି।
Follow Us