Image Courtesy of India.com
ମସ୍କୋ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଏବଂ ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କିଙ୍କ ସହ ସିଧାସଳଖ କଥାବାର୍ତ୍ତା ଏତେ ସହଜ ନୁହେଁ। ଉଭୟ ରାଷ୍ଟ୍ରମୁଖ୍ୟ ସିଧାସଳଖ କଥା ହେଲେ ଏହାର ଓଲଟା ଫଳ ମିଳିପାରେ। ୟୁକ୍ରେନ୍ ପାଖରେ ରଖାଯାଇଥିବା ସର୍ତ୍ତ ପ୍ରତି ସେହି ଦେଶର ଆଭିମୁଖ୍ୟ କଣ ରହିଛି ତାହା ଭଲଭାବେ ସ୍ପଷ୍ଟ ହେବାପରେ ହିଁ ଦୁଇ ରାଷ୍ଟ୍ରମୁଖ୍ୟଙ୍କ କଥାବାର୍ତ୍ତା ପାଇଁ ବାଟ ଫିଟି ପାରିବ ବୋଲି ରୁଷ୍ ବିଦେଶ ମନ୍ତ୍ରୀ କହିଛନ୍ତି। ସମସ୍ତ ପ୍ରମୁଖ ପ୍ରସଙ୍ଗ ଗୁଡ଼ିକର ସମାଧାନ ପ୍ରସଙ୍ଗରେ ସ୍ପଷ୍ଟୀକରଣ ମିଳିବାପରେ ହିଁ ବୈଠକର ଆବଶ୍ୟକତା ରହିଛି ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସେର୍ଗି ଲାବରବ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଜେଲେନ୍ସ୍କି ଆଜି ପ୍ରଥମେ କହିଥିଲେ, ବିନା ବିଳମ୍ବରେ ଶାନ୍ତି ରକ୍ଷା ପାଇଁ ସେ ୟୁକ୍ରେନ୍ର ନିରପେକ୍ଷତା ଏବଂ ସୁରକ୍ଷା ଗ୍ୟାରେଣ୍ଟି ସଂକ୍ରାନ୍ତରେ ରୁଷ୍ ରାଷ୍ଟ୍ରପତିଙ୍କ ସହ କଥାବାର୍ତ୍ତା ପାଇଁ ପ୍ରସ୍ତୁତ। ରୁଷ୍ ନେତାଙ୍କ ସହ ମୁହାଁମୁହିଁ କଥାବାର୍ତ୍ତା ହେବା ପରେ ହିଁ ଯୁଦ୍ଧ ଶେଷ ହୋଇପାରିବ ବୋଲି ସେ କହିଥିଲେ। କିନ୍ତୁ ଲାବରବ କହିଛନ୍ତି, ସିଧାସଳଖ ବୈଠକ ଦ୍ବାରା ଓଲଟା ଫଳ ମିଳିପାରେ।
ଅନ୍ୟପକ୍ଷେ ତୁର୍କୀରେ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ହେବ ବୋଲି ରୁଷ୍ ସ୍ପଷ୍ଟ କରିଛି। ୨୮ରୁ ୩୦ ତାରିଖ ମଧ୍ୟରେ ତୁର୍କୀର ଇସ୍ତାନବୁଲ୍ରେ ଦୁଇ ରାଷ୍ଟ୍ରର ପ୍ରତିନିଧିଙ୍କ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହୋଇପାରେ। କିନ୍ତୁ ଏଯାବତ୍ ରୁଷ୍ ଏବଂ ୟୁକ୍ରେନ୍ ମଧ୍ୟରେ ହୋଇଥିବା କଥାବାର୍ତ୍ତାରୁ ସେଭଳି କୌଣସି ଗୁରୁତ୍ବପୂର୍ଣ୍ଣ ଫଳାଫଳ ମିଳିନାହିଁ। ଲାବରବଙ୍କ ଅନୁଯାୟୀ ପୁଟିନ ଜେଲେନ୍ସ୍କିଙ୍କୁ ଭେଟିବାପାଇଁ କେବେ ମନା କରିନାହାନ୍ତି। କିନ୍ତୁ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ବୈଠକର ଯୋଜନା ଠିକ୍ ଭାବେ ହେବା ଉଚିତ୍। ଲାବରବ କହିଛନ୍ତି, ବର୍ତ୍ତମାନ ଯେଉଁ ସଙ୍କଟ ଉପୁଜିଛି, ତାହା ଦୀର୍ଘ ବର୍ଷର। ଅନେକ ସମସ୍ୟା ରହିଛି। ତାହା କେବଳ ଗୋଟିଏ ମାତ୍ର ବୈଠକରେ ସମାଧାନ ହୋଇପାରିବନି। ଏହାଦ୍ବାରା ଫଳ ଓଲଟା ହୋଇପାରେ।
ଜେଲେନ୍ସ୍କିଙ୍କୁ ପୁଣି ହତ୍ୟା ଉଦ୍ୟମ ପଣ୍ଡ
କିବ୍ : ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନ୍ସ୍କି ଅନ୍ୟ ଏକ ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି। ରୁଷ୍ ସ୍ବତନ୍ତ୍ର ବାହିନୀ ଦ୍ବାରା ଜେଲେନ୍ସ୍କିଙ୍କ ବିରୋଧରେ କରାଯାଇଥିବା ଅନ୍ୟ ଏକ ହତ୍ୟା ଉଦ୍ୟମକୁ ପଣ୍ଡ କରାଯାଇଛି ବୋଲି ୟୁକ୍ରେନ୍ ଦାବି କରିଛି। ସ୍ଲୋଭାକିଆ-ହଙ୍ଗେରି ସୀମାରୁ ୟୁକ୍ରେନ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ରୁଷ୍ ସ୍ବତନ୍ତ୍ର ବାହିନୀର ୨୫ ସେନା ସଦସ୍ୟଙ୍କୁ କବ୍ଜାକୁ ନିଆଯାଇଛି। ରିପୋର୍ଟ ଅନୁଯାୟୀ ସେମାନଙ୍କ ଏକମାତ୍ର ଲକ୍ଷ୍ୟ ଥିଲା ଜେଲେନ୍ସ୍କିଙ୍କୁ ହତ୍ୟା କରିବା। ଜେଲେନ୍ସ୍କି ଏହା ମଧ୍ୟ କହିଛନ୍ତି ଯେ ସେ ହେଉଛନ୍ତି ରୁଷ୍ର ନମ୍ବର ୱାନ୍ ଟାର୍ଗେଟ୍। ରୁଷ୍ ସେନା ବାହିନୀ ତାଙ୍କୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଖୋଜୁଛନ୍ତି।
Follow Us