moneycontrol.com
ନୂଆଦିଲ୍ଲୀ : ଫାଇନ୍ ଇଣ୍ଡିସେଲ୍ସ ଚିଟଫଣ୍ଡ ଦୁର୍ନୀତି ମାମଲାରେ ଅଭିଯୁକ୍ତ ମହମ୍ମଦ ଆରିଫଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଜେକେ ମାହେଶ୍ବରୀ ଓ ବିଚାରପତି ଜଷ୍ଟିସ ହିମା କୋହଲୀଙ୍କ ଖଣ୍ଡପୀଠ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ (ଦିବ୍ୟାଙ୍ଗ ଅଭିନେତା) ମହମ୍ମଦ ନାସୀରଙ୍କ ଦ୍ବାରା ଦାଖଲ ଜାମିନ ଆବେଦନ ସହ ମହମ୍ମଦ ଆରିଫଙ୍କ ଆବେଦନକୁ ଯୋଡ଼ିଛନ୍ତି। ଜାମିନ ଆବେଦନ ଅଗ୍ରାହ୍ୟ କରିଦେବା ସଂପର୍କୀତ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ମହମ୍ମଦ ଆରିଫ ସୁପ୍ରିମକୋର୍ଟରେ ଏସ୍ଏଲ୍ପି ଦାଖଲ କରିଛନ୍ତି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମହମ୍ମଦ ଆରିଫକୁ ନଭେମ୍ବର ୨୦୧୯ରେ ଗିରଫ କରିଥିଲା। ୨୦୦୯ରେ ବାଲେଶ୍ବରରେ ତାଙ୍କ ବିରୋଧରେ ନିବେଶକମାନଙ୍କୁ ଚିଟଫଣ୍ଡ ଯୋଜନାରେ ଠକିବା ଅଭିଯୋଗରେ ମାମଲା ରୁଜୁ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ପିଟିସନରେ କୁହାଯାଇଛି ଜାନୁଆରି ୧୦, ୨୦୨୨ରେ ପତ୍ନୀଙ୍କ ବିୟୋଗ ପାଇଁ ଗୋଟିଏ ମାସ ଅନ୍ତରୀଣ ଜାମିନ ହାଇକୋର୍ଟଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା। ଅନ୍ତରୀଣ ଜାମିନର ସମସ୍ତ ସର୍ତ୍ତକୁ ପାଳନ କରି ମାସକ ଭିତରେ ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆତ୍ମସମର୍ପଣ କରିଥିଲେ। ତାଙ୍କୁ ବିନା ନୋଟିସ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ଗିରଫ କରାଯିବା ପରଠାରୁ ବିଚାର ପ୍ରକ୍ରିୟାରେ ସେ ଭଳି କିଛି ପ୍ରଗତି ହୋଇନାହିଁ। ମାମଲାରେ ଦୁଇଟି ଅଭିଯୋଗ ଫର୍ଦ ଦାଖଲ କରାଯାଇଥିବାବେଳେ ତାଙ୍କ ଦ୍ବାରା ସାକ୍ଷ୍ୟ ପ୍ରମାଣକୁ କି ଭଳି ପ୍ରଭାବିତ କରାଯାଇପାରିବ ବୋଲି ସେ ଆବେଦନରେ ଯୁକ୍ତି ବାଢ଼ିଛନ୍ତି। ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିବା ସହିତ ଟ୍ରାଏଲ କୋର୍ଟ ମାମଲାର ବିଚାର ଛଅ ମାସରେ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ କାର୍ଯ୍ୟକାରୀ କରିବା ସମ୍ଭାବନା କ୍ଷୀଣ ବୋଲି ଆବେଦନକାରୀଙ୍କ ଓକିଲଙ୍କ ପକ୍ଷରୁ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହା ପରେ ଖଣ୍ଡପୀଠ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଥିଲେ। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ମହମ୍ମଦ ନାସୀରଙ୍କ ଦ୍ବାରା ଦାଖଲ ଜାମିନ ଆବେଦନ ମାମଲାରେ ମଧ୍ୟ ଖଣ୍ଡପୀଠ ଚଳିତ ସପ୍ତାହରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରିଛନ୍ତି।
Follow Us