ରାଞ୍ଜି: ରାତିରେ ଚାଟାର୍ଡ ବିମାନ ଉଡ଼ାଣ ପାଇଁ ଝାଡ଼ଖଣ୍ଡର ଦେଓଘର ବିମାନ ବନ୍ଦର କର୍ମଚାରୀମାନଙ୍କୁ ବାଧ୍ୟ କରିଥିବା ଅଭିଯୋଗରେ ‘ବିଜେପି’ ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରି ଏବଂ ଆଉ ୭ଜଣଙ୍କ ନାମରେ ‘ଏଫ୍ଆଇଆର୍’ ଦାଏର କରାଯାଇଛି।
ବିମାନ ବନ୍ଦରର ‘ଡିଏସ୍ପି’ ସୁମନ୍ ଆନନ୍ଙ୍କ ଅଭିଯୋଗକୁ ଭିତ୍ତି କରି ‘ବିଜେପି’ ନେତାମାନଙ୍କ ନାଁରେ ଉକ୍ତ ଅଭିଯୋଗ ଦାଏର କରାଯାଇଛି। ନିଶିକାନ୍ତ ଦୁବେ, ମନୋଜ ତିୱାରି ଏବଂ ବିମାନ ବନ୍ଦରର ନିର୍ଦେଶକଙ୍କ ସମତେ ୯ଜଣଙ୍କ ନାମରେ ଅନ୍ୟମାନଙ୍କ ଜୀବନ ଓ ନିରାପତ୍ତାକୁ ବିପନ୍ନ କରିବା ଏବଂ ଅପରାଧିକ ଅନୁପ୍ରବେଶ ମାମଲା ରୁଜୁ କରାଯାଇଛି।
Image Courtesy of News, Spiritual and Financeଦାଏର କରାଯାଇଥିବା ‘ଏଫ୍ଆଇଆର୍’ ଅନୁସାରେ, ଅଗଷ୍ଟ ୩୧ ତାରିଖ ଦିନ ଗୋଡ୍ଡାର ଲୋକସଭା ସାଂସଦ ନିଶିକାନ୍ତ ଦୁବେ, ତାଙ୍କ ପୁତ୍ର କନିଷ୍କକାନ୍ତ ଦୁବେ, ମହିକାନ୍ତ ଦୁବେ, ସାଂସଦ ମନୋଜ ତିୱାରି, ମୁକେଶ ପାଠକ, ଦେବତା ପାଣ୍ଡେ ଏବଂ ପିଣ୍ଟୁ ତିୱାରି ବିନା ଅନୁମତିରେ ଦେଓଘର ବିମାନ ବନ୍ଦରର ‘ହାଇ-ସିକ୍ୟୁରିଟି’ ‘ଏୟାର୍ ଟ୍ରାଫିକ୍ କଣ୍ଟ୍ରୋଲ୍’ (ଏଟିସି) ମଧ୍ୟକୁ ପ୍ରବେଶ କରି ସେମାନଙ୍କ ଚାଟାର୍ଡ ବିମାନକୁ ଉଡ଼ାଣ ପାଇଁ କ୍ଲିଅରାନ୍ସ୍ ଦେବା ପାଇଁ ଚାପଗ୍ରସ୍ତ କରିବା ଲାଗି ନିଜ ନିଜର ପ୍ରଭାବ ବିସ୍ତାର କରିଥିଲେ।
କିନ୍ତୁ, ନବ ଉଦ୍ଘାଟିତ ଉକ୍ତ ବିମାନ ବନ୍ଦର ରାତ୍ରକାଳୀନ ଉଡ଼ାଣ ନିମନ୍ତେ ଅନୁମତି ବ୍ୟବସ୍ଥା ଆରମ୍ଭ କରାଯାଇ ନ ଥିଲା। ଏବେ ସେଠାରେ ସୂର୍ଯ୍ୟାସ୍ତର ୩୦ ମିନିଟ୍ ପୂର୍ବରୁ ବିମାନ ଉଡ଼ାଣ ପାଇଁ ଅନୁମତି ମିଳୁଛି।
କିନ୍ତୁ, ଅଭିଯୋଗକାରୀଙ୍କ ବିବୃତି ଅନୁସାରେ, ଘଟଣା ଦିନ ସୂର୍ଯ୍ୟାସ୍ତ ସମୟ ଥିଲା ୬.୦୩। ‘ବିଜେପି’ ନେତାଙ୍କ ଚାଟାର୍ଡ ବିମାନଟି ସନ୍ଧ୍ୟା ୬.୧୭ରେ ଉଡ଼ାଣ ଆରମ୍ଭ କରିଥିଲା।
‘ଏଫ୍ଆଇଆର୍’ କଥାରେ ପ୍ରତିକ୍ରିୟା ବ୍ୟକ୍ତ କରି ଗଣମାଧ୍ୟମକୁ ନିଶିକାନ୍ତ ଦୁବେ କହିଛନ୍ତି, ବିମାନ ବନ୍ଦର କର୍ତ୍ତୃପକ୍ଷ ଆପତ୍ତି କଲେନାହିଁ। ବିମାନ ବନ୍ଦର ନିର୍ଦେଶକଙ୍କଠାରୁ ଅନୁମତି ଆଣିଥିବାରୁ ମୁଁ ଏହି ମାମଲା ଲଢ଼ିବା ପାଇଁ ପ୍ରସ୍ତୁତ।
Follow Us