indiatoday.in
ନୂଆଦିଲ୍ଲୀ: ଟ୍ରାଫିକ ସିଗନାଲରେ କ୍ୟାବ ଚାଳକଙ୍କୁ ମାଡ଼ ମାରିଥିବା ଯୁବତୀଙ୍କ ବିରୋଧରେ ଏତଲା ରୁଜୁ। ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ବେଳେ ଜଣେ ଯୁବତୀ ଏକ କ୍ୟାବ ଚାଳକଙ୍କୁ ମାଡ଼ ମାରୁଥିବା ଦେଖାଯାଇଥିଲା। ଯୁବତୀଜଣକ କ୍ୟାବ ଚାଳକଙ୍କ ଉପରେ ଗାଡ଼ି ଚଢ଼ାଇ ଦେବାର ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିବା ସହ ବିଚ୍ ରାସ୍ତାରେ ତାଙ୍କୁ ମାଡ଼ ମାରିଥିଲେ। ହେଲେ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ଏବେ ଯୁବତୀଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି।
ଜୁଲାଇ ୩୦ରେ ଲକ୍ଷ୍ନୌର କୃଷ୍ଣନଗର ଅଞ୍ଚଳର କେସରୀ ଖେରା ଟ୍ରାଫିକ କ୍ରସିଂରେ ଏହି ଘଟଣା ଘଟିଥିଲା। ଭାଇରାଲ ଭିଡିଓରେ ଯୁବତୀଜଣକ କ୍ୟାବ ଚାଳକ ତାଙ୍କୁ ଧକ୍କା ଦେଇଥିବା ସହ ଦୁର୍ବ୍ୟବହାର କରିଥିବା ନେଇ ଦାବି କରିଥିଲେ। ହେଲେ ସିଗନାଲରେ ଲାଗିଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ଯେ, ଯୁବତୀଜଣକ ସିଗନାଲ ଗ୍ରୀନ ଥିବା ଦେଖି ମଧ୍ୟ ରାସ୍ତା ପାର କରୁଥିଲେ। କ୍ୟାବ ଚାଳକଜଣକ ଯୁବତୀଙ୍କୁ ଦେଖି ହଠାତ ବ୍ରେକ ମାରି ଗାଡ଼ି ଠିଆ କରିଥିଲେ। ଏହା ପରେ ଯୁବତୀଜଣକ ଗାଡ଼ି ପାଖକୁ ଆସି ଚାଳକଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ଗାଡ଼ିରୁ ବାହାର କରି ମାଡ଼ ମାରିଥିଲେ। ଏହା ଦେଖି କ୍ୟାବ ଚାଳକ ମହିଳା ପୁଲିସଙ୍କୁ ଫୋନ କରିବା ପାଇଁ ଫୋନ ବାହାର କରୁଥିବା ବେଳେ ଯୁବତୀଜଣକ ତାଙ୍କ ଫୋନ ଭାଙ୍ଗି ଦେଇଥିଲେ। ଏବେ ପ୍ରକୃତ ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ଯୁବତୀଙ୍କ ବିରୋଧରେ ଏତଲା ରୁଜୁ କରିଛି।
Follow Us