Image Courtesy of India Today
ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ନାଁରେ ବିବାଦୀୟ ମନ୍ତବ୍ୟ ପୋଷ୍ଟ୍ କରାଯାଇଥିବାରୁ ‘ଫେସ୍ବୁକ୍’ର ସିଇଓ ମାର୍କ ଜୁକର୍ବର୍କଙ୍କ ନାଁରେ ଉତ୍ତର ପ୍ରଦେଶର କନ୍ନୌଜ ଜିଲ୍ଲାରେ ମାମଲା ରୁଜୁ କରାଯାଇଛି।
ଜୁକର୍ବର୍ଗଙ୍କ ସହିତ ଆଉ ୪୯ଜଣଙ୍କ ନାଁ ମଧ୍ୟ ଉକ୍ତ ମାମଲାରେ ଦିଆଯାଇଥିବା କଥା ଜଣାପଡ଼ିଛି। କୌତୁହଳ କଥା ହେଉଛି, ଯାଦବଙ୍କ ନାଁରେ ସ୍ବଂୟ ଜୁକର୍ବର୍ଗ କୌଣସି ଆପତ୍ତିଜନକ ପୋଷ୍ଟ୍ ପୋଷ୍ଟ୍ କରି ନାହାନ୍ତି। ରୁଚିହୀନ ମନ୍ତବ୍ୟ ପୋଷ୍ଟ୍ କରିବା ପାଇଁ ତାଙ୍କ ପ୍ଲାଟ୍ଫର୍ମ ବ୍ୟବହୃତ ହୋଇଥିବାରୁ ‘ଏଫ୍ଆଇଆର୍’ରେ ତାଙ୍କ ନାଁ ରହିଛି।
ପ୍ରାପ୍ତ ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ରାଜ୍ୟର କନ୍ନୌଜ ଜିଲ୍ଲା ଅନ୍ତର୍ଗତ ସରହତି ଗାଁର ବାସିନ୍ଦା ଅମିତ କୁମାର ଜୁକର୍ବର୍ଗ ଏବଂ ଅନ୍ୟ ୪୯ଜଣଙ୍କ ନାଁରେ ଉକ୍ତ ମାମଲା ରୁଜୁ କରିଛନ୍ତି। ଅଦାଲତଙ୍କୁ ଲେଖିଥିବା ଆବେଦନ ପତ୍ରରେ କୁମାର ଅଭିଯୋଗ କରିଛନ୍ତି ଯେ, ‘ବୁଆ ବାବୁଆ’ ଶୀର୍ଷକ ‘ଫେସ୍ବୁକ୍’ ପେଜ୍ରେ ସମାଜବାଦୀ ପାର୍ଟିର ମୁଖ୍ୟଙ୍କ ଭାବମୂର୍ତ୍ତି ନଷ୍ଟ କରିବାକୁ ଉଦ୍ୟମ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୧୯ ସଂସଦୀୟ ନିର୍ବାଚନରେ ଦୁଇ ଜନପ୍ରିୟ ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ‘ବିଏସ୍ପି’ ମୁଖ୍ୟ ମାୟାବତୀ ଏବଂ ଅଖିଳେଶ ଯାଦବ ମେଣ୍ଟ ଗଠନ କରିବା ପରେ ‘ବୁଆ ବାବୁଆ’ ଶବ୍ଦ ଦୁଇଟି ଚର୍ଚ୍ଚିତ ହୋଇଥିଲା।
Image Courtesy of Live Lawଜଣେ ବରିଷ୍ଠ ପୁଲିସ କର୍ମଚାରୀଙ୍କ କହିବା ଅନୁସାରେ, ତଦନ୍ତ ସମୟରେ ଅଭିଯୋଗ ପତ୍ରରୁ ଜୁକର୍ବର୍ଗଙ୍କ ନାମ ହଟାଇ ଦିଆଯାଇଛି। କିନ୍ତୁ, ‘ଫେସ୍ବୁକ୍’ ପେଜ୍ର ଆଡ୍ମିନିଷ୍ଟର୍ଙ୍କ ବିପକ୍ଷରେ ତଦନ୍ତ ଚାଲିଛି। କୁମାରଙ୍କ ତରଫରୁ ମାମଲା ରୁଜୁ କରିବା ପାଇଁ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ଧରମବୀର ସିଂହ ପୁଲିସକୁ କହିଛନ୍ତି।
ଏ ସଂକ୍ରାନ୍ତରେ ମେ ୨୫ ତାରିଖ ଦିନ କୁମାର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କ ନିକଟକୁ ପଠାଇଥିବା ଆବେଦନ ପତ୍ରର କୌଣସି ଉତ୍ତର ମିଳି ନ ଥିଲା। ତେଣୁ, ସେ ‘ଏଫ୍ଆଇଆର୍’ ଫାଇଲ କରି ଉକ୍ତ ଘଟଣାରେ ମାମଲା ରୁଜୁ କରିବା ଲାଗି ଦାବି କରିଥିଲେ।
Follow Us