ନୂଆଦିଲ୍ଲୀ: ପଞ୍ଜାବର ଅମୃତସରରୁ ବିହାରର ସହରସା ଅଭିମୁଖେ ଯାଉଥିବା ଗରିବ ରଥ ଟ୍ରେନ୍ (୧୨୨୦୪)ରେ ଶନିବାର ସକାଳେ ପଞ୍ଜାବର ସିରହିନ୍ଦ ଷ୍ଟେସନ୍ ନିକଟରେ ନିଆଁ ଲାଗିଯାଇଛି। ୧୯ ନମ୍ବର ଏସି ବଗିରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ଲୁଧିଆନାର ଅନେକ ବ୍ୟବସାୟୀ ଏହି ବଗିରେ ଯାତ୍ରା କରୁଥିଲେ। ରେଳବାଇ ଓ ଅଗ୍ନିଶମ ବିଭାଗର ତତ୍ପରତା ବଳରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। କିନ୍ତୁ ଏହି ଦୁର୍ଘଟଣା ଯୋଗୁ ଅନେକ ଟ୍ରେନ୍ ପ୍ରଭାବିତ ହୋଇଛି।
ଟ୍ରେନ୍ ଅମ୍ବାଲାଠାରୁ ଅଧକିଲୋମିଟର ଦୂରରେ ଥିବା ସିରହିନ୍ଦ ଷ୍ଟେସନ୍ ନିକଟରେ ପହଞ୍ଚିବା ପରେ ଏହି ଘଟଣା ଘଟିଥିଲା। ଟ୍ରେନର ଗୋଟିଏ ବଗିରୁ ଧୂଆଁ ଉଠୁଥିବାର ଦେଖି ଯାତ୍ରୀମାନେ ତୁରନ୍ତ ରେଳ କର୍ମଚାରୀଙ୍କୁ ସୂଚନା ଦେଇଥିଲେ। ଡ୍ରାଇଭର ତୁରନ୍ତ ଟ୍ରେନକୁ ଅଟକାଇଥିଲେ, ଯାହା ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା। ସକାଳ ପ୍ରାୟ ସାଢ଼େ ୭ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ରେଳ ଅଧିକାରୀଙ୍କ କହିବାନୁସାରେ, ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ଏବଂ କେହି ମୃତାହତ ହେବାର ଖବର ନାହିଁ। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ, କିନ୍ତୁ ଯାନ୍ତ୍ରିକ ତ୍ରୁଟି କିମ୍ବା ସର୍ଟ ସର୍କିଟ୍କୁ ସମ୍ଭାବ୍ୟ କାରଣ ବୋଲି ବିଶ୍ୱାସ କରାଯାଉଛି। ଅଗ୍ନିକାଣ୍ଡ ଖବର ପ୍ରଚାରିତ ହେବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କ ଖେଳିଯାଇଥିଲା। ଅନେକ ଯାତ୍ରୀ ଟ୍ରେନ୍ ଭିତରେ ନିଜର ଲଗେଜ୍ ଛାଡ଼ି ବାହାରକୁ ଦୌଡ଼ିଥିଲେ। କିନ୍ତୁ ରେଳ କର୍ମଚାରୀଙ୍କ ତତ୍ପରତା ଏବଂ ଅଗ୍ନିଶମ ୟୁନିଟ୍ର ତ୍ବରିତ ପ୍ରତିକ୍ରିୟା ଯୋଗୁ ଏକ ସମ୍ଭାବ୍ୟ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ଅଗ୍ନିକାଣ୍ଡ ହେତୁ ତିନୋଟି କୋଚ୍ କ୍ଷତିଗ୍ରସ୍ତ ହୋଇଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।
Follow Us