ନୂଆଦଲ୍ଲୀ : ଲାଗୁଛି ଏୟାର ଇଣ୍ଡିଆକୁ ଶନିଦଶା ପଡ଼ିଛି । ଗତ ଜୁନ ମାସରେ ହୋଇଥିବା ମର୍ମନ୍ତୁଦ ଅହମ୍ମଦାବାଦ ଦୁ୍ର୍ଘଟଣା ପରେ ଏୟାର ଇଣ୍ଡିଆ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହୁଛି । ପ୍ରାୟ ପ୍ରତ୍ୟେକ ଦିନ ଏୟାର ଇଣ୍ଡିଆ ବିମାନରେ କୌଣସି ତ୍ରୁଟି ସଂପର୍କରେ ଖବର ଆସୁଛି । ଆଜି ଦିଲ୍ଲୀରେ ଏୟାର ଇଣ୍ଡିଆର ଏକ ବିମାନ ଅବତରଣ କରିବା ପରେ ଏହାର ଇଂଜିନରେ ନିଆଁ ଲାଗିଯାଇଥିଲା । ଏହା ପରେ ବିମାନରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ତେବେ ଏହି ଘଟଣାରେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ସୂଚନା ଅନୁସାରେ ହଂକଂରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନ (ଏଆଇ ୩୧୫) ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିବା ପରେ ହଠାତ ତାହାର ପଛପାଖରେ ଲାଗିଥିବା ଛୋଟ ଇଂଜିନ ଏପିୟୁ (ଅକଜିଲାରୀ ପାଓ୍ବାର ୟୁନିଟ୍)ରେ ନିଆଁ ଲାଗିଯାଇଥିଲା । ଏହି ସମୟରେ ବିମାନଟିରୁ ଯାତ୍ରୀମାନେ ଓହ୍ଲାଉଥିଲେ । ଏଣୁ ଏହି ଘଟଣାରେ ଯାତ୍ରୀ ଓ କ୍ରୁ ସଦସ୍ୟ ମାନଙ୍କର କୌଣସି କ୍ଷତି ହୋଇନାହିଁ । ତେବେ ଅଗ୍ନିକାଣ୍ଡ ଯୋଗୁଁ ବିମାନର କିଛି କ୍ଷତି ହୋଇଥିବା ଏୟାର ଇଣ୍ଡିଆ କହିଛି ।
ସହାୟକ ପାୱାର ୟୁନିଟ୍ ହେଉଛି ଏକ ଛୋଟ ଇଞ୍ଜିନ ଯାହା ବିମାନ ପାର୍କିଂ ସମୟରେ ପାୱାର ସପ୍ଲାଏ ଏବଂ ଏୟାର କଣ୍ଡିସନିଂ ଭଳି କାର୍ଯ୍ୟ କରେ। ଏହା ଉଡ଼ାଣ ସମୟରେ ମୁଖ୍ୟ ଇଞ୍ଜିନ ପରି କାର୍ଯ୍ୟ କରେ ନାହିଁ, କିନ୍ତୁ ବିମାନର ଉଡ଼ାଣ ପ୍ରସ୍ତୁତି ଏବଂ ପାର୍କିଂ ସମୟରେ ଏହା ଆବଶ୍ୟକ।
Follow Us