ହର୍ମୋସିଲୋ: ମେକ୍ସିକୋର ଉତ୍ତର-ପଶ୍ଚିମରେ ଅବସ୍ଥିତ ହର୍ମୋସିଲୋ ସହରର ଏକ ସୁପରମୋର୍କଟର ଡିପାର୍ଟମେଣ୍ଟ ଷ୍ଟୋରରେ ବଡ଼ଧରଣ ଅଗ୍ନିକାଣ୍ଡ ଘଟି ୨୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ୬ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସ୍ତରରେ କୁହାଯାଇଛି। ରାଷ୍ଟ୍ରପତି କ୍ଲାଉଡିଆ ସିନବାମ୍ ‘ଏକ୍ସ’ରେ ଏକ ପୋଷ୍ଟରେ ଏନେଇ ସୂଚନା ଦେଇଛନ୍ତି। ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସେ ସମବେଦନା ଜଣାଇଛନ୍ତି।
ଆଭ୍ୟନ୍ତରୀଣ ମନ୍ତ୍ରୀଙ୍କୁ ଅଧିକ ଉଦ୍ଧାରକାରୀ ଦଳ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମେକ୍ସିକୋର ସୋନୋରା ରାଜ୍ୟରେ ଶନିବାର ୱାଲଡୋ ଷ୍ଟୋରରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଯୋଗୁଁ ନିଆଁ ଲାଗି ବିଷାକ୍ତ ଗ୍ୟାସ ଉତ୍ପନ୍ନ ହେବାରୁ ଅଧିକାଂଶ ଲୋକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ କେତେକ ଶିଶୁ ଥିବା ଗଭର୍ଣ୍ଣର ଆଲଫାନ୍ସୋ ଡ୍ୟୁରାଜୋ କହିଛନ୍ତି। ଅଗ୍ନିକାଣ୍ଡର ଭିଡିଓ ଭାଇରାଲ ହେଉଥିବାବେଳେ ଜଣେ ଲୋକ ଜଳି ଯାଉଥିବାର ଦେଖିବାକୁ ମିଳିଛି। ଅଗ୍ନିକାଣ୍ଡ ଜାଣିଶୁଣି କେହି ଘଟାଇଛନ୍ତି କି ନାହିଁ ତାହା ଜଣାପଡ଼ିନାହିଁ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
Follow Us