ଆଉ ଏକ କୋଭିଡ୍ ମେଡିକାଲରେ ନିଆଁ, ୧୧ ମୃତ

ଅହମଦାବାଦ ପରେ ବିଜୟୱାଡ଼ା, ୩୦ ଜଣ ଆହତ, ଜୀବନ ବଞ୍ଚାଇବା ପାଇଁ ଛାତ ଉପରୁ ଡେଇଁ ପଡ଼ିଲେ

ଆଉ ଏକ କୋଭିଡ୍ ମେଡିକାଲରେ ନିଆଁ, ୧୧ ମୃତ

New Indian Express

ହାଇଦ୍ରାବାଦ୍ : ଅହମଦାବାଦ କୋଭିଡ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡ ଘଟଣାକୁ ୩ ଦିନ ନପୂରୁଣୁ ଆଜି ପୁଣି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରେ ଅନୁରୂପ ଘଟଣା ଘଟିଛି। ବିଜୟୱାଡ଼ାରେ କୋଭିଡ୍‌ ଚିକିତ୍ସା କେନ୍ଦ୍ର ପାଲଟିଥିବା ଏକ ହୋଟେଲ୍‌ରେ ଅଗ୍ନିକାଣ୍ଡ ଘଟି ୧୧ ଜଣ ରୋଗୀ ପ୍ରାଣ ହରାଇଛନ୍ତି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି। ହୋଟେଲ୍‌ ସ୍ବର୍ଣ୍ଣ ପ୍ୟାଲେସ୍‌ରେ ଆଜି ସକାଳ ପ୍ରାୟ ୫ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଦୁର୍ଘଟଣା ସମୟରେ ୩୦ ଜଣ ରୋଗୀ ଏଠାରେ ଚିକିତ୍ସାଧୀନ ଥିଲେ। ୧୦ରୁ ଅଧିକ ହସ୍ପିଟାଲ୍‌ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଥମେ ତଳ ମହଲାରେ ନିଆଁ ଲାଗିଥିଲା ଏବଂ ପରେ ଏହା ପ୍ରଥମ ଏବଂ ଦ୍ବିତୀୟ ମହଲାକୁ ବ୍ୟାପିଯାଇଥିଲା। ସର୍ଟ‌୍ ସର୍କିଟ୍‌ ଯୋଗୁଁ ନିଆଁ ଲାଗିଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ନିଆଁ ଲାଗିଯିବାପରେ ହସ୍ପିଟାଲ୍‌ରେ ‌ରୋଗୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଭୟରେ ୨ ଜଣ ରୋଗୀ ଜୀବନ ବଞ୍ଚାଇବାପାଇଁ ହସ୍ପିଟାଲ୍‌ ଛାତରୁ ଡେଇଁ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ ଗଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ତେବେ ଅନ୍ୟ ରୋଗୀମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ଏବଂ ଏହି କୋଭିଡ୍‌ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଭ‌ାବେ ଖାଲି କରାଯାଇଛି।

publive-image BOOM

ସୂଚନାନୁଯାୟୀ ହୋଟେଲ୍‌ ସ୍ବର୍ଣ୍ଣ ପ୍ୟା‌ଲେସ୍‌କୁ ରମେଶ ହସ୍ପିଟାଲ୍‌ସ ଲିଜ୍‌ରେ ନେଇଥିଲା। ତେବେ ଅଗ୍ନି ସୁରକ୍ଷା ନିର୍ଦ୍ଦେଶକ ଜୟରାମ ନାଏକଙ୍କ କହିବା ଅନୁଯାୟୀ ହୋଟେଲ୍‌ଟି ସୁରକ୍ଷା ନିୟମର ଉଲ୍ଲଂଘନ କରିଥିଲା। ଉକ୍ତ ଘଟଣାରେ ତଦନ୍ତ ଆରମ୍ଭ ହେବ ଏବଂ ହୋଟେଲ୍‌, ହସ୍ପିଟାଲ୍‌ ମ୍ୟାନେଜମେଣ୍ଟ୍‌ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଉଭୟ ହୋଟେଲ୍‌ ଏବଂ ହସ୍ପିଟାଲ୍‌ ମ୍ୟାନେଜମେଣ୍ଟ୍‌ ବିରୋଧରେ ମାମଲା ରୁଜୁ ହୋଇଛି। କୋଭିଡ୍‌ କେନ୍ଦ୍ରରେ ପରିଣତ ହୋଇଥିବା ଏହି ହୋଟେଲ୍‌ରେ ଅନେକ ଭିଆଇପି ରୋଗୀ ମଧ୍ୟ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡି ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe