ନୂଆଦିଲ୍ଲୀ : ଆସନ୍ତା ୧୯ ତାରିଖରେ ଦୀପାବଳି ଉତ୍ସବ। କିନ୍ତୁ ଦିଲ୍ଲୀ ଏନସିଆର ବାସିନ୍ଦା ଦୀପାବଳିର ମଜା ଉଠାଇପାରିବେନି। ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ଦିଲ୍ଲୀ ଏବଂ ଏନସିଆରରେ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ବାଣ ବିକ୍ରି ବନ୍ଦ ରହିବ। ଜଷ୍ଟିସ ଏକେ ସିକ୍ରିଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ୨୦୧୬ ନଭେମ୍ବର ୧୧ର ରାୟକୁ ବଜାୟ ରଖି ଦିଲ୍ଲୀ ଏନସିଆରରେ ବାଣ ବିକ୍ରି ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସୁପ୍ରିମ କୋର୍ଟ ଦିଲ୍ଲୀ ପୁଲିସ ଦ୍ୱାରା ଦୋକାନୀମାନଙ୍କୁ ବାଣ ବିକ୍ରି ନେଇ ଦିଆଯାଇଥିବା ସମସ୍ତ ଲାଇସେନ୍ସକୁ ମଧ୍ୟ ରଦ୍ଦ କରିଦେଇଛନ୍ତି।
ତେବେ ନଭେମ୍ବର ୧ ତାରିଖ ପରେ ବାଣବିକ୍ରିକୁ ସୁପ୍ରିମ କୋର୍ଟ ଅନୁମତି ଦେଇଛନ୍ତି। ନଭେମ୍ବର ୧୧, ୨୦୧୬ ରାୟରେ ସୁପ୍ରିମ କୋର୍ଟ ଦିଲ୍ଲୀ ଏନସିଆରରେ ଉଭୟ ହୋଲସେଲ୍ ଏବଂ ଖୁଚୁରା ବେପାରୀଙ୍କ ବାଣବିକ୍ରି ନେଇ ଲାଇସେନ୍ସ ରଦ୍ଦ କରିଥିଲେ ଏବଂ ବାଣ ବିକ୍ରି ବନ୍ଦ କରିଥିଲେ। ସୁପ୍ରିମ କୋର୍ଟଙ୍କର ଏହି ରାୟକୁ କେତେକ ମହଲରୁ ସମାଲୋଚନା କରାଯାଇଛି। ଲେଖକ ଚେତନ ଭଗତ ସୁପ୍ରିମ କୋର୍ଟଙ୍କ ରାୟକୁ ନିନ୍ଦା କରି କହିଛନ୍ତି ଯେ କେବଳ ହିନ୍ଦୁ ଉତ୍ସବମାନଙ୍କରେ କାହିଁକି କଟକଣା ଲଗାଯିବ। ଭଗତ ଟ୍ଵିଟ୍ ମାଧ୍ୟମରେ ବାଣ ବିକ୍ରି ବନ୍ଦକୁ ଖ୍ରିଷ୍ଟମାସରେ ଖ୍ରିଷ୍ଟମାସ ଟ୍ରି ଏବଂ ବକ୍ରି ଇଦ୍ରେ ଛେଳି କଟା ସହ ତୁଳନା କରିଛନ୍ତି। ଭଗତ ପ୍ରଶ୍ନ କରିଛନ୍ତି ନ୍ୟାୟାଳୟ କାହିଁକି ଇଦ୍ ଏବଂ ମହରମ୍ରେ ହେଉଥିବା ରକ୍ତପାତକୁ ବନ୍ଦ କରିପାରୁନାହାନ୍ତି।
Follow Us