ଶ୍ରୀନଗର : ଜମ୍ମୁ କଶ୍ମୀରର ରାଜୌରି ଏବଂ ନୌସେନା ସେକ୍ଟର ଅଂଚଳର ସୀମାବର୍ତ୍ତୀ ୨୦ରୁ ଅଧିକ ଗ୍ରାମକୁ ଆଜି ପାକିସ୍ତାନ ଟାର୍ଗେଟ୍ କରିଛି। ପାକ୍ ରେଂଜର୍ସଙ୍କ ଗୁଳିଗୋଳା ବର୍ଷା ଯୋଗୁଁ ସ୍ଥିତି ଗମ୍ଭୀର ରହିଛି। ଘର ଛାଡ଼ି ନିରାପଦ ସ୍ଥାନକୁ ପଳାଇଥିବା ଲୋକେ ଘରକୁ ଫେରିପାରୁ ନାହାନ୍ତି। ଆଜି ଗୁଳିଗୋଳା ମାଡ଼ରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଉଭୟ ପକ୍ଷ ଭାରୀ ଯୁଦ୍ଧାସ୍ତ୍ରରେ ଆକ୍ରମଣ ଜାରି ରଖିଛନ୍ତି।
ନୌସେରା ସେକ୍ଟରରେ ଆଜି ଫରଓ୍ଵାର୍ଡ ପୋଷ୍ଟ୍ ଏବଂ ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ପାକ୍ ରେଞ୍ଜର୍ସମାନେ ସକାଳ ୭ଟାରୁ ଗୁଳିଗୋଳା ମାଡ଼ କରିଥିଲେ। ରାଜୌରି ଡେପୁଟି କମିସନର ସାହିଦ ଇକବଲ ଚୌଧୁରିଙ୍କ କହିବା ଅନୁଯାୟୀ ଝାନ୍ଗର, ଧମାକା ଏବଂ କଲାଲ୍ ଅଞ୍ଚଳରେ ବହୁ ସଂଖ୍ୟାରେ ଘର କ୍ଷତିଗ୍ରସ୍ତ ହୋଇଛି। ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନରେ ହତୋତ୍ସାହିତ ପାକିସ୍ତାନ ଏବେ ସୀମାନ୍ତ ଗ୍ରାମଗୁଡ଼ିକରେ ଆତଙ୍କ ସୃଷ୍ଟି କରିଛି। ସୀମାବର୍ତ୍ତୀ ବିଭିନ୍ନ ଗ୍ରାମରୁ ପ୍ରାୟ ୪୦ ହଜାର ବାସିନ୍ଦା ଘର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ୨୨ଟି ଗ୍ରାମ ଜନଶୂନ୍ୟ ହୋଇଯାଇଥିବା ବେଳେ ସାମ୍ବା ଓ ଆର୍ପୁରା ସେକ୍ଟରରେ ୧୫ ହଜାର ଲୋକ ଗାଁ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଏହି ଅଂଚଳରେ ସମସ୍ତ ବିଦ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କୃଷିକାର୍ଯ୍ୟ ଠପ୍ ହୋଇଯାଇଛି।
ସୁରକ୍ଷା ଦୃଷ୍ଟିରୁ ଅତି ସ୍ପର୍ଶକାତର ୧୪ଟି ଗ୍ରାମର ବାସିନ୍ଦାଙ୍କୁ ପରିସ୍ଥିତି ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ହିଁ ରହିବାକୁ କୁହାଯାଇଛି। ସମଗ୍ର ସୀମା ଅଂଚଳରେ ହାଇ ଆଲର୍ଟ ଜାରି କରାଯିବା ସହ ବିଭିନ୍ନ ସାମରିକ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଅନ୍ତର୍ଜାତୀୟ ସୀମାରେ ଅଧିକ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯାଇଛି। ବିଶେଷ କରି ଦକ୍ଷିଣ କଶ୍ମୀରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯିବା ସହ ସୀମାଠାରୁ ୫ କିମି ମଧ୍ୟରେ ଥିବା ଗାଁଗୁଡ଼ିକୁ ଖାଲି କରାଯାଇଛି। ଗୁଳି ବର୍ଷା ଆଳରେ ଭାରତ ଭିତରେ ପଶିବା ପାଇଁ ଶତାଧିକ ଆତଙ୍କବାଦୀ ପାକ୍ ଅଧିକୃତ କଶ୍ମୀରରେ ତୟାର ରହିଥିବାରୁ ସମସ୍ତ ସମ୍ଭାବ୍ୟ ପ୍ରବେଶ ଅଂଚଳରେ ବ୍ୟାପକ ସତର୍କତା ଗ୍ରହଣ କରାଯାଇଛି।
ପାକ୍ ଗୋଳାବର୍ଷା ଜାରି: ସୀମାରେ ଆତଙ୍କ, ଲୋକେ କ୍ୟାମ୍ପ୍ରେ
Advertisment
Follow Us