ଆଇଟିବିପି ଯବାନଙ୍କ ଆଖିବୁଜା ଗୁଳିମାଡ଼ : ୫ ସହକର୍ମୀଙ୍କୁ ହତ୍ୟା ପରେ ଯବାନଙ୍କ ଆତ୍ମହତ୍ୟା

Advertisment
ଆଇଟିବିପି ଯବାନଙ୍କ ଆଖିବୁଜା ଗୁଳିମାଡ଼ : ୫ ସହକର୍ମୀଙ୍କୁ ହତ୍ୟା ପରେ ଯବାନଙ୍କ ଆତ୍ମହତ୍ୟା

YThisNews

ନାରାୟଣପୁର : ଛତିଶଗଡ଼ର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ କଡେନାର୍‌ ସ୍ଥିତ ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି) କ୍ୟାମ୍ପ୍‌ରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଛି। ଜଣେ ଯବାନ ଆଖିବୁଜା ଗୁଳିମାଡ଼ କରି ୫ ଜଣ ସାଥୀ ଯବାନଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ବସ୍ତର ଆଇଜି ସୁନ୍ଦରରାଜ ପଟିଲିଙ୍ଗମ୍‌ କହିଛନ୍ତି ଯେ ମୋଟ ୬ ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ଗୁଳିମାଡ଼ର କାରଣ ଜଣାପଡ଼ିନାହିଁ। ଏହି ଘଟଣାରେ ୩ ଜଣ ଯବାନ ଆହତ ମଧ୍ୟ ହୋଇଛନ୍ତି।

ସମସ୍ତ ଯବାନ ଆଇଟିବିପିର ୪୫ ବାଟାଲିୟନର ବୋଲି ଜଣାପଡ଼ିଛି। ଏହି ଅଭାବନୀୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆଖିବୁଜା ଗୁଳିମାଡ଼ କରି ୫ ସହକର୍ମୀଙ୍କ ଜୀବନ ନେଇଥିବା ଯବାନଙ୍କ ନାମ ମୁସ୍‌ଦୁଲ୍‌ ରହମାନ୍‌ ଖାନ୍‌ ବୋଲି ଜଣାପଡ଼ିଛି। ସେ ପଶ୍ଚିମବଂଗ ବାସିନ୍ଦା ବୋଲି ଆଇଜି କହିଛନ୍ତି। ଆଜି ସକାଳ ୯ଟା ବେଳେ କ୍ୟାମ୍ପ୍‌ ଭିତରେ କନେଷ୍ଟବଳ ମୁସ୍‌ଦୁଲ ଅଚାନକ ଗୁଳି ମାଡ଼ କରିବା ଆରମ୍ଭ କରିଦେଇଥିଲେ। ଏଥିରେ ୫ ଜଣ ଯବାନଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହେଲିକପ୍‌ଟର ଯୋଗେ ରାୟପୁର ପଠାଯାଇଥିଲା।

ତେବେ ସହକର୍ମୀଙ୍କ ଉପରେ ଗୁଳି ବର୍ଷା କରିଥିବା ମୁସ୍‌ଦୁଲ ରହମାନ୍‌ଙ୍କୁ ଅନ୍ୟ ଯବାନମାନେ ଗୁଳି କରିଛନ୍ତି କିମ୍ବା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି। ପ୍ରାଥମିକ ତଦନ୍ତରୁ ମୁସ୍‌ଦୁଲ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ତଦନ୍ତକାରୀ ଅଧିକାରୀ କହିଛନ୍ତି। ଏହି ଘଟଣାରେ ମୃତ ଯବାନଙ୍କ ରାଇଫଲ୍‌ର ଯାଞ୍ଚ ମଧ୍ୟ ଚାଲିଛି। ପ୍ରଥମେ ଏହା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ବୋଲି ପ୍ରଚାରିତ ହୋଇଥିଲା, ତେବେ ପରେ ଜଣେ ଯବାନ ହିଁ ଏତେବଡ଼ ଅନର୍ଥ ଭିଆଇଛନ୍ତି ବୋଲି ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe