Hindustan Times
ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିୟା ବିଶ୍ବବିଦ୍ୟାଳୟରେ ଆଜି ରାତିରେ ପୁଣି ଗୁଳିକାଣ୍ଡ ଘଟିଛି। ଦୁଇ ଜଣ ଯୁବକ ଏକ ଚଳନ୍ତା ସ୍କୁଟିରୁ ଗୁଳି ଚାଳନା କରିଥିବା ଜଣାପଡ଼ିଛି। ପ୍ରଥମ ଗୁଳି ସେମାନେ ଜାମିଆର ୫ ନମ୍ବର ଗେଟ୍ ନିକଟରେ ଫୁଟାଇଥିଲେ ଏବଂ ଦ୍ବିତୀୟ ଗୁଳି ଗେଟ୍ ନମ୍ବର ୧ରେ ଫୁଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ଗୁଳିକାଣ୍ଡରେ କେହି ଆହତ ହୋଇନଥିଲେ ମଧ୍ୟ ଏହାକୁ ନେଇ ବିଶ୍ବବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଛି । ଗୁଳି ଚଳାଇଥିବା ଯୁବକମାନେ ଯେଉଁ ସ୍କୁଟିରେ ଆସିଥିଲେ ତାହାର ନମ୍ବର ନୋଟ୍ କରି ପୁଲିସକୁ ଦିଆଯାଇଥିବା ଆଇନ ଛାତ୍ର ଅର୍ଶାନ୍ ଅଫାକ୍ କହିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୃତ୍ତମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ ବୋଲି ନିରାପତ୍ତା କର୍ମଚାରୀମାନେ କହିଛନ୍ତି। ୩ ଦିନ ତଳେ ଜାମିଆରେ ସିଏଏ ବିରୋଧୀ ବିକ୍ଷୋଭ ବେଳେ ଜଣେ ନାବାଳକ ଛାତ୍ର ପିସ୍ତଲରୁ ଗୁଳି ଚଳାଇଥିଲା। ଆଜି ପୁଣି ଏହି ଗୁଳିକାଣ୍ଡ ଜାମିଆ ଅଂଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଛି। ସିଏଏ ବିରୋଧରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ ନେଇ ଉକ୍ତ ଅଂଚଳରେ ପୁଣି ଆଇନଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଗୁଳି ଚାଳନା କରିଥିବା ଯୁବକଙ୍କୁ ଠାବ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି।
Follow Us