Advertisment

ବାରମ୍ବାର ଅଭିଯୋଗ ପାଇବା ପରେ ଓଢ଼ଣୀ ଟାଣି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ ଉପଜିଲ୍ଲାପାଳ; ନେଲେ ଏଭଳି ପଦକ୍ଷେପ

Advertisment
ବାରମ୍ବାର ଅଭିଯୋଗ ପାଇବା ପରେ ଓଢ଼ଣୀ ଟାଣି ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ ଉପଜିଲ୍ଲାପାଳ; ନେଲେ ଏଭଳି ପଦକ୍ଷେପ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫିରୋଜାବାଦର ଉପଜିଲ୍ଲାପାଳ କୃତି ରାଜଙ୍କ କାମ କରିବାର ଶେଳୀ ତଥା ସେ ନେଉଥିବା ପଦକ୍ଷେପ ଖୁବ ଚର୍ଚ୍ଚା ହେଉଛି। ଏକ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବସ୍ଥାକୁ ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ତେବେ ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ରର ବାସ୍ତବ ଚିତ୍ର କ’ଣ ତାହା ପରଖିବା ପାଇଁ ଉପଜିଲ୍ଲାପାଳ ନିଜ ମୁହଁକୁ ଲୁଚାଇ ସାଧାରଣଲୋକଙ୍କ ଭଳି ଭିତରକୁ ପ୍ରବେଶ କରିଥିଲେ। ଏହାପରେ ତାଙ୍କ ସହିତ ସ୍ବାସ୍ଥ୍ୟକେନ୍ଦ୍ରରେ ଯାହା ଘଟିଥିଲା ତାକୁ ଉପଜିଲ୍ଲାପାଳ ନିଜେ ବଖାଣି କହିଛନ୍ତି।

ଏହି ଘଟଣାକୁ ନେଇ ଆଇଏଏସ ଅଧିକାରୀ କୃତି ରାଜ କହିଛନ୍ତି, ’ଦିଦାମଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନ ଥିବା ନେଇ ଅନେକ ଦିନ ହେବ ଅଭିଯୋଗ ଶୁଣି ଆସୁଥିଲି। ଏପରିକି କୁକୁର କାମୁଡ଼ା ଇଞ୍ଜେକସନ ପାଇଁ ଆସୁଥିବା ରୋଗୀଙ୍କ ସହ ଉଚିତ ବ୍ୟବହାର କରାଯାଉ ନ ଥିବା ବି ଅଭିଯୋଗ ହେଉଥିଲା। ରୋଗୀ ୧୦ଟାରୁ ରୋଗ ଦେଖାଇବାକୁ ଧାଡ଼ି ଲଗାଉଥିବା ବେଳେ ଠିକ ସମୟରେ ଡାକ୍ତରଙ୍କ ଦେଖା ନଥ‌ାଏ। ତେଣୁ ହସ୍ପିଟାଲର ବାସ୍ତବ ଚିତ୍ର କ’ଣ ଜାଣିବାକୁ ହେ‌ଲେ ମୋତେ ଯିବାକୁ ପଡ଼ିବ ବୋଲି ସ୍ଥିର କରିଥିଲି। କିନ୍ତୁ କେମିତି ଯିବ। ମୋ ଯିବା କଥା ଜାଣିଲେ ସ୍ବାସ୍ଥ୍ୟକେନ୍ଦ୍ରର ଯେଉଁସବୁ ତ୍ରୁଟି ଅଛି ତାକୁ କର୍ମଚାରୀମାନେ ତ ସଜାଡ଼ି ଦେବେ କିଛି ଲାଭ ହେବ ନାହିଁ। ତେଣୁ କାହାକୁ କିଛି ନଜଣାଇ ମୁହଁରେ ଓଢ଼ଣୀ ପକାଇ ହଠାତ ଯାଇ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଯାଇଥିଲି।

ସେଠାରେ ପହଞ୍ଚିବା ପରେ ଲୋକେ ଯେଉଁ ସବୁ ଅଭିଯୋଗ କରୁଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ମୋ ସହିତ ସମାନ ଘଟଣା ଘଟିଥିଲା। ଯେମିତି କି ଟିକେଟ କାଟି ଅନେକ ସମୟ ଧରି ଧାଡ଼ିରେ ଛିଡ଼ା ହେବା ପରେ ଯାଇ ଡାକ୍ତର ଆସିଥିଲେ।

ଡାକ୍ତରଙ୍କ ପାଖକୁ ଯିବା ପରେ ସେ ରୋଗୀଙ୍କ କଥା କମ ଅଧିକା ସମୟ ଫୋନରେ ବ୍ୟସ୍ତ ରହୁଥିଲେ। ଡାକ୍ତରଙ୍କ ଠାରୁ ଉଚିତ ବ୍ୟବହାର ବି ପାଇପାରି ନ ଥିଲି। ଏହାପରେ ରେଜିଷ୍ଟର ଯାଞ୍ଚ କରିବାରୁ ବହୁ କର୍ମଚାରୀଙ୍କ ଦସ୍ତଖତ ଥିବା ବେଳେ ସେମାନଙ୍କ ଦେଖା ନ ଥିଲା। ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଅଧିକାଂଶ ଷ୍ଟକ୍‌ ଔଷଧର ବ୍ୟବହାର ତାରିଖ ଶେଷ ହୋଇଯାଇଥିଲା।’

ହସ୍ପିଟାଲରେ ଦେଖାଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ କୃତି ରାଜ ପଚାରିବାରୁ ଡାକ୍ତରଙ୍କଠାରୁ ଆରମ୍ଭ କରି ସୁଇପର ସମସ୍ତେ ନିଜେ ଦୋଷମୁକ୍ତ ହୋଇ ଅନ୍ୟ ମୁଣ୍ଡରେ ଅଠା ବୋଳିବାରେ ବ୍ୟସ୍ତ ଥିଲେ। ଏସବୁ ଭିତରେ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା କ’ଣ ତାହା ଜାଣି ପାରିଥିଲେ ଉପଜିଲ୍ଲାପାଳ।

ସ୍ବାସ୍ଥ୍ୟକେନ୍ଦ୍ରରୁ ଫେରିବା ପରେ ଦାୟିତ୍ୱରେ ଅବେହଳା କରିଥିବା କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି  କୃତି ରାଜ ଏକ ଚିଠି ଲେଖି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe