ଛାୟାପଥ ବାହାରେ ପ୍ରଥମ ଗ୍ରହ ଆବିଷ୍କୃତ

Advertisment

୨୮ ନିୟୁତ ଆଲୋକବର୍ଷ ଦୂରରେ ରହିଛି

୨୮ ନିୟୁତ ଆଲୋକବର୍ଷ ଦୂରରେ ରହିଛି

ଛାୟାପଥ ବାହାରେ ପ୍ରଥମ ଗ୍ରହ ଆବିଷ୍କୃତ

ନୂଆଦିଲ୍ଲୀ : ଆମ ମିଲ୍‌କି ୱେ ଗାଲାକ୍ସି ବା ଛାୟାପଥ ବାହାରେ ପ୍ରଥମ ଥର ପାଇଁ ଏକ ଗ୍ରହର ଅନୁସନ୍ଧାନ ବୈଜ୍ଞାନିକମାନେ ପାଇପାରିଛନ୍ତି। ପୃଥିବୀଠାରୁ ପ୍ରାୟ ୨୮ ନିୟୁତ ଆଲୋକବର୍ଷ ଦୂରରେ ଏମ୍‌୫୧ ନାମକ ଗାଲାକ୍ସିରେ ଏହା ରହିଛି। ଆମ ମିଲ୍‌କି ୱେରେ ପୂର୍ବରୁ ଠାବ ହୋଇଥିବା ଗ୍ରହଠାରୁ ଅନେକ ହଜାର ଗୁଣ ଦୂରରେ ଏହା ରହିଛି ବୋଲି ଚନ୍ଦ୍ର ଏକ୍ସ-ରେ ଅବଜରଭେଟୋରି ପକ୍ଷରୁ ନିକଟରେ ସୂଚନା ଦିଆଯାଇଛି। ଉକ୍ତ ସମ୍ଭାବ୍ୟ ଗ୍ରହର ନାମ ଏମ୍‌୫୧-ୟୁଏଲ୍‌ଏସ୍‌-୧ବି ରଖାଯାଇଛି। ହାର୍ଭାର୍ଡ-ସ୍ମିଥସୋନିଆନ୍ ସେଣ୍ଟର ଫର୍ ଆଷ୍ଟ୍ରୋଫିଜିକ୍ସର ଆଷ୍ଟ୍ରୋଫିଜିସିଷ୍ଟ ରୋସାନି ଡି ଷ୍ଟିଫାନୋ ଉକ୍ତ ଗବେଷଣାର ନେତୃତ୍ବ ନେଇ ଗ୍ରହର ସନ୍ଧାନ ପାଇପାରିଛନ୍ତି। ଚନ୍ଦ୍ର ଏକ୍ସ-ରେ ଅବଜରଭେଟୋରିର କହିବାନୁଯାୟୀ, ନୂଆ ଗ୍ରହର ଆବିଷ୍କାର ଏହାର ପରିଭ୍ରମଣରୁ ଜଣାପଡ଼ିଛି। ନକ୍ଷତ୍ର ସାମ୍ନାରେ ଗ୍ରହଟି ଅତିକ୍ରମ କରିବା ସମୟରେ ସେହି ନକ୍ଷତ୍ରର କିଛି ଆଲୋକ ବାଧାପ୍ରାପ୍ତ ହେଉଛି। ଫଳରେ ଉଜ୍ଜ୍ବଳତା ହ୍ରାସ ପାଉଛି। ଶକ୍ତିଶାଳୀ ଦୂରବୀକ୍ଷଣ ଯନ୍ତ୍ରରୁ ଏହା ଜଣାଯାଇଛି। ଛାୟାପଥ ବାହାରେ ଥିବା ଗ୍ରହ ସଂପର୍କରେ ଜାଣିବା ପାଇଁ ସାଧାରଣତଃ ଉକ୍ତ ପ୍ରଯୁକ୍ତି ବ୍ୟବହାର କରାଯାଇଥାଏ। ଏ ପ୍ରକାର ଅନୁଧ୍ୟାନ ପାଇଁ ଜ୍ୟୋତିର୍ବିଜ୍ଞାନୀମାନେ ନାସାର ଚନ୍ଦ୍ର ଏକ୍ସ-ରେ ଅବଜରଭେଟୋରି ଏବଂ ୟୁରୋପିଆନ୍ ସ୍ପେସ୍ ଏଜେନ୍ସିର ଏକ୍ସଏମଏମ-ନ୍ୟୁଟନ ସ୍ପେସ୍‌ ଟେଲିସ୍କୋପ୍‌ ଜରିଆରେ ଆମ ମିଲ୍‌କି ୱେ ବାହାରେ ଥିବା ଅନ୍ୟ ୩ଟି ଛା‌ୟାପଥରେ ଗବେଷଣା କରିଛନ୍ତି।

ସମ୍ଭାବ୍ୟ ଗ୍ରହଟି ୩ ଘଣ୍ଟା ପର୍ଯ୍ୟନ୍ତ ନକ୍ଷତ୍ର ସାମ୍ନାରେ ଗତି କରିଥିଲା। ସେହି ସମୟରେ କରାଯାଇଥିବା ଏକ୍ସ-ରେରୁ ଏହା ଜଣାଯାଇଛି। ଉକ୍ତ ଗ୍ରହଟି ଶନି ଗ୍ରହର ଆକାର ଭଳି। ଏହା ନ୍ୟୁଟ୍ରନ ନକ୍ଷତ୍ର କିମ୍ବା ଏକ କୃଷ୍ଣଗର୍ତ୍ତକୁ ପରିକ୍ରମଣ କରୁଛି। ସୂର୍ଯ୍ୟଠାରୁ ଶନି ଯେତିକି ଦୂରତାରେ ବୁଲୁଛି ନ୍ୟୁଟ୍ରନ ନକ୍ଷତ୍ର ଠାରୁ ତାହା ଦୁଇ ଗୁଣା ଅଧିକ ଦୂରତାରେ ବୁଲୁଛି। ଆମ ସୌରମଣ୍ଡଳ ବାହାରେ ପ୍ରଥମ ଥର ପାଇଁ ୧୯୯୨ ମସିହାରେ ଏକ ଗ୍ରହ ଆବିଷ୍କାର କରାଯାଇଥିଲା। ସେବେଠାରୁ ସୌରମଣ୍ଡଳ ବାହାରେ ଆବିଷ୍କୃତ ଅଧିକାଂଶ ଗ୍ରହ ପୃଥିବୀଠାରୁ ୩ ହଜାର ଆଲୋକବର୍ଷ ଠାରୁ କମ୍ ଦୂରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe