Image Courtesy of TOI
ନୂଆଦିଲ୍ଲୀ: ସମ୍ପୂର୍ଣ୍ଣ ଘରୋଇ ଶିଳ୍ପ ଦ୍ୱାରା ରକେଟ୍ ନିର୍ମାଣ କରାଇବାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) କେତେଗୁଡ଼ିଏ କମ୍ପାନି ସହ ମିଳିତ ଉଦ୍ୟମ ଚଳାଇଛି।
ଭାରତୀୟ ମହାକାଶ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଏକ ଆନ୍ତର୍ଜାତିକ ସେମିନାର୍ ଅବସରରେ ଇସ୍ରୋ ଚେଆର୍ମ୍ୟାନ୍ ଏ ଏସ୍ କିରଣ କୁମାର କହିଛନ୍ତି: ୨୦୨୦-୨୧ ସୁଦ୍ଧା ଏ ଭଳି (ସମ୍ପୂର୍ଣ୍ଣରୂପେ ଘରୋଇ ନିର୍ମିତ) ଲଞ୍ଚ୍ ଭେଇକ୍ଲ୍ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ଇସ୍ରୋ ଏକ ମିଳିତ ଉଦ୍ୟମର ଅଂଶ ହେବ। ଏହାକୁ ସାକାର କରାଇବାକୁ କାର୍ଯ୍ୟ ଆଗେଇ ଚାଲିଛି।
ଆଜି ଯାଏ ପୋଲାର୍ ସାଟେଲାଇଟ୍ ଲଞ୍ଚ୍ ଭେଇକ୍ଲ୍ର ଏକ ମାତ୍ର ନିର୍ମାତା ଥିଲା ଇସ୍ରୋ। ପିଏସ୍ଏଲ୍ଭିର ପ୍ରଥମ ଉତ୍କ୍ଷେପଣ ଠାରୁ ଦୁଇ ଦଶନ୍ଧି ମଧ୍ୟରେ ଇସ୍ରୋ ୩୯ଟି କ୍ରମାଗତ ସଫଳ ଉତ୍କ୍ଷେପଣ ଅଭିଯାନ କରିଛି। ବିଦେଶୀ ଗ୍ରାହକମାନଙ୍କୁ ପ୍ରଲୋଭିତ କରିବାକୁ ଚୀନ୍ ସାଟେଲାଇଟ୍ ଉତ୍କ୍ଷେପଣ ଖର୍ଚ୍ଚ କମ୍ କରିବାର ଯୋଜନା କରୁଛି ବୋଲି ପଚରା ଯିବାରୁ ଇସ୍ରୋ ମୁଖ୍ୟ କହିଲେ: ଆମେ ସୁଲଭ ମୂଲ୍ୟ ବଜାୟ ରଖିବୁ। ଅନ୍ୟ ଜଣେ କ’ଣ କରୁଛି ତାହା ଉପରେ ଉତ୍କ୍ଷେପଣ ମୂଲ୍ୟର ସମ୍ପୃକ୍ତି ନାହିଁ। ଏଭଳି ଧାରାରେ ଆମର କାର୍ଯ୍ୟଧାରା ବଦଳାଇବା ସମ୍ଭବ ନୁହେଁ।
ବର୍ଦ୍ଧିଷ୍ଣୁ କୃତ୍ରିମ ଉପଗ୍ରହ ସଂଖ୍ୟା ସଂକ୍ରାନ୍ତରେ କିରଣ କୁମାର କହିଲେ: ସମ୍ପ୍ରତି କକ୍ଷପଥରେ ୪୨ଟି କୃତ୍ରିମ ଉପଗ୍ରହ ଅଛନ୍ତି। ପୃଥିବୀ ଅବଲୋକନ, ଦିଗବାରେଣୀ ଏବଂ ଯୋଗାଯୋଗ ଉଦ୍ଦେଶ୍ୟରେ ଏହି କୃତ୍ରିମ ଉପଗ୍ରହ ସବୁ ବ୍ୟବହୃତ ହେଉଛି। ତଥାପି, ଆମର ଯୋଗାଯୋଗ ନିମନ୍ତେ ଆବଶ୍ୟକ କୃତ୍ରିମ ଉପଗ୍ରହ କମ୍ ଅଛି। ତେଣୁ, ଇସ୍ରୋ ବର୍ଷକୁ ୮-୧୦ଟି ପରିବର୍ତ୍ତେ ୨୦୧୮ ଠାରୁ ପ୍ରାୟ ୨୦ଟି କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରି ଏହାକୁ ଦୁଇଗୁଣ କରିବ। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମେ ୬୦ଟି କୃତ୍ରିମ ଉପଗ୍ରହ ଉତ୍କ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛୁ।
ସେ କହିଛନ୍ତି: ସଚଳ ଥିବା ଲଞ୍ଚ୍ପ୍ୟାଡ୍ରେ ଆମେ ସବୁଠୁ ସର୍ବାଧିକ ଉତ୍କ୍ଷେପଣ କରାଇବାକୁ ଚାହୁଁଛୁ। ଉତ୍କ୍ଷେପଣ ସାମର୍ଥ୍ୟ ବଢ଼ାଇବାକୁ ଶ୍ରୀହରିକୋଟା ଠାରେ ତୃତୀୟ ଲଞ୍ଚ୍ପ୍ୟାଡ୍ ନିର୍ମାଣ କାର୍ଯ୍ୟ ପାଇଁ ଯୋଜନା କରୁଛୁ। ମହାକାଶ ସଂସ୍ଥାନ ୫୦୦ ଶିଳ୍ପ ସହ ସମ୍ପୃକ୍ତ ଅଛି ବୋଲି ଦର୍ଶାଇ ଇସ୍ରୋ ମୁଖ୍ୟ କହିଲେ ଯେ ସମାର୍ଥ୍ୟ ବଢ଼ାଇବାକୁ ସମାଜର ସବୁ ବିଭାଗ ଏବଂ ତାହାର ମେଧାକୁ ଉପଯୋଗ କରିବା ଆବଶ୍ୟକ।
Follow Us