Image Courtesy of ZEE News
ଲିଭିଭ୍: ଏବେ ୟୁକ୍ରେନ୍ରେ ରୁଷ୍ର ସାମରିକ ଅଭିଯାନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି ବୋଲି ଜଣେ ଶୀର୍ଷସ୍ତରୀୟ ରୁଷୀୟ ଜେନେରାଲ୍ ସେର୍ଗେଇ ରୁଡ୍ସ୍କୟ କହିଛନ୍ତି।
ରୁଷ୍ ‘ଜେନେରାଲ୍ ଷ୍ଟାଫ୍’ର ପ୍ରଥମ ଉପମୁଖ୍ୟ କର୍ଣ୍ଣେଲ୍ ଜେନେରାଲ୍ ସେର୍ଗେଇ ରୁଡ୍ସ୍କୟ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀର କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଅଭିଯାନର ମୁଖ୍ୟ କାର୍ଯ୍ୟ ସବୁ ମୋଟାମୋଟି ଶେଷ ହୋଇଛି। ୟୁକ୍ରେନ୍ ସଶସ୍ତ୍ରବାହିନୀର ସମ୍ଭାବ୍ୟ ଲଢ଼ିବା କ୍ଷମତା ମଧ୍ୟ ଉଲ୍ଲେଖଯୋଗ୍ୟ ଭାବେ ହ୍ରାସ ପାଇଛି। ମୁଁ ପୁଣି ଥରେ ଗୁରୁତ୍ବାରୋପ କରି କହୁଛି ଯେ, ମୁଖ୍ୟ ଲକ୍ଷ୍ୟ ହାସଲ ପାଇଁ ଆମର ଉଦ୍ୟମ ଉପରେ ଧ୍ୟାନ ନିବେଶ କରିବାକୁ ସେମାନେ (ୟୁକ୍ରେନୀୟ ସଶସ୍ତ୍ରବାହିନୀ) ଆମକୁ ସୁଯୋଗ ଦେଇଛି। ତାହା ହେଉଛି, ଡୋନ୍ବାସ୍କୁ ସ୍ବାଧୀନ କରିବା।
Image Courtesy of India Todayସ୍ମରଣଯୋଗ୍ୟ, ପୂର୍ବରୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଥିଲେ, ଯୋଜନା ଅନୁଯାୟୀ ଯୁଦ୍ଧ ଚାଲିଛି।
ସାମ୍ବାଦିକ ସମ୍ମିଳନୀରେ ରୁଡ୍ସ୍କୟ କହିଛନ୍ତି ଯେ, ଏଯାବତ୍ ୟୁକ୍ରେନ୍ରେ ୧,୩୫୧ଜଣ ରୁଷୀୟ ସେନା କର୍ମଚାରୀ ନିହତ ହୋଇଛନ୍ତି ଓ ୩,୮୨୫ଜଣ ଆହତ ହୋଇଛନ୍ତି।
କିନ୍ତୁ, ‘ନାଟୋ’ ହିସାବ ଅନୁସାରେ, ଯୁଦ୍ଧରେ ୧୫,୦୦୦ ରୁଷୀୟ ସୈନିକ ନିହତ ହୋଇଛନ୍ତି।
ସେହିପରି, ସାଧାରଣ ନାଗରିକମାନଙ୍କୁ ଆକ୍ରମଣ କରୁନାହିଁ ବୋଲି ରୁଷ୍ ଦାବି କରୁଥିଲେ ବି କେତେକ ପ୍ରମାଣରୁ ଜଣାପଡ଼ିଛି ଯେ, ଯୁଦ୍ଧରେ ଅସଂଖ୍ୟ ସାଧାରଣ ନାଗରିକମାନେ ପ୍ରାଣ ହରାଉଛନ୍ତି।
ଏହାଛଡ଼ା, ଆକ୍ରମଣକୁ ମାସେ ପୂରିଯାଇଥିଲେ ସୁଦ୍ଧା ରୁଷୀୟ ସେନା ୟୁକ୍ରେନ୍ର କୌଣସି ପ୍ରମୁଖ ସହରକୁ ଅଧିକାର କରିପାରିନାହିଁ।
Follow Us