ଶ୍ରୀନଗର: ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଚେନାବ ବ୍ରିଜ୍ ଉପରେ ଶ୍ରୀମାତା ବୈଷ୍ଣୋଦେବୀ କାଟ୍ରା ଷ୍ଟେସନରୁ ଶ୍ରୀନଗର ଷ୍ଟେସନ ପର୍ଯ୍ୟନ୍ତ ବନ୍ଦେ ଭାରତ ଟ୍ରେନର ପ୍ରଥମ ପରୀକ୍ଷଣ ଶନିବାର ଅନୁଷ୍ଠିତ ହୋଇଛି। ଏହି ଟ୍ରେନ୍ ଭାରତର ପ୍ରଥମ କେବୁଲ୍-ଷ୍ଟେଡ୍ ରେଳ ସେତୁ ଅଞ୍ଜି ଖଡ଼ ବ୍ରିଜ୍ ଦେଇ ଗତି କରିବ।ଉପତ୍ୟକାର ଥଣ୍ଡା ଜଳବାୟୁରେ ଯାତ୍ରା କରିବା ସମୟରେ ଯାତ୍ରୀଙ୍କ ଆରାମକୁ ଦୃଷ୍ଟିରେ ରଖି ଟ୍ରେନ୍ ଡିଜାଇନ୍ କରିବା ସମୟରେ ଜଳବାୟୁ ଅନୁକୂଳତାକୁ ମଧ୍ୟ ବିଚାରକୁ ନିଆଯାଇଛି। ଏହି ଟ୍ରେନ୍ ବିଯୁକ୍ତ ୩୦ ଡିଗ୍ରି ସେଲସିୟସ୍ ତାପମାତ୍ରାରେ ବି ଚଳାଚଳ କରିପାରିବ। ଚେୟାର-କାର୍ ଟ୍ରେନ୍ରେ ପାଣି ଯେପରି ବରଫ ହେବ ନାହିଁ ସେଥିପାଇଁ ଅତ୍ୟାଧୁନିକ ହିଟିଂ ବ୍ୟବସ୍ଥା ରହିଛି। ବାୟୋ ଟୟଲେଟ୍ ସୁବିଧା ବି କରାଯାଇଛି।
ବିଯୁକ୍ତ ୩୦ ଡିଗ୍ରି ସେଲସିୟସରେ ବି କାର୍ଯ୍ୟ କରେ
ଅତ୍ୟାଧୁନିକ ହିଟିଂ ଓ ବାୟୋ-ଟଏଲେଟ୍ ସୁବିଧା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ପ୍ରୋତ୍ସାହନ ଦେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଦର୍ଶାଇଥିଲେ ଯେ ଅନ୍ୟ କେତେକ ଦେଶ ଭାରତରୁ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବନ୍ଦେ ଭାରତ ଟ୍ରେନ୍କୁ ଅନେକ ଲୋକ ‘ମେକ୍ ଇନ୍ ଇଣ୍ଡିଆ’ ସଫଳତାର କାହାଣୀ ଭାବରେ ଦେଖୁଛନ୍ତି। ଏଥିରେ କବଚ ଜ୍ଞାନକୌଶଳ ଓ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ଶୌଚାଳୟ ତଥା ସମନ୍ୱିତ ବ୍ରେଲ ସାଇନେଜ୍ ଭଳି ସୁରକ୍ଷା ବୈଶିଷ୍ଟ୍ୟରେ ଉନ୍ନତି ଘଟିଛି।
Follow Us