Image Courtesy of Zee News
କୋଲ୍କାତା: ଆଜି ‘ତୃଣମୂଳ କଂଗ୍ରେସ’ର ‘ବାହୁବଳୀ’ ନେତା ଅନୁବ୍ରତ ମଣ୍ଡଳ ଗିରଫ ହେବା ପରେ ଧନ୍ୟ ଦିଦି, ମାଛ ବିକାଳି ଆଜି ୧୦୦୦ କୋଟି ଟଙ୍କାର ମାଲିକ କହି ‘ବିଜେପି’ ସାଂସଦ ଦିଲୀପ ଘୋଷ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି।
ସେ କହିଛନ୍ତି, ଦୀର୍ଘ ପ୍ରତୀକ୍ଷିତ ଗିରଫଦାରୀ। ସ୍ଥାନୀୟ ବଜାରରେ ଅନୁବ୍ରତ ମାଛ ବିକୁଥିଲେ। ଏବେ ସେ ୧୦୦୦ କୋଟି ଟଙ୍କାର ମାଲିକ। ଧନ୍ୟ କହିବ ମମତା ବାନାର୍ଜୀଙ୍କ ପୃଷ୍ଠପୋଷକତାକୁ।
ଉଲ୍ଲେଖଯୋଗ୍ୟ, ୨୦୨୦ ଗୋରୁ ଚୋରାଚାଲାଣ ମାମଲାରେ ‘ତୃଣମୂଳ କଂଗ୍ରେସ’ର ବୀରଭୂମ ଜିଲ୍ଲା ସଭାପତି ଅନୁବ୍ରତ ଓରଫ୍ ‘କେଷ୍ଟୋ ଦା’ଙ୍କୁ ଗିରଫ କରିବା ଲାଗି ୧୦୦ କେନ୍ଦ୍ରୀୟ ବଳଙ୍କୁ ପ୍ରାୟ ଦେଢ଼ ଘଣ୍ଟା ଲାଗିଥିଲା। ଏଥିପାଇଁ ଗତ ଅଧରାତିରୁ ବୀରଭୂମର ବିଶ୍ବ ଭାରତୀର ରତନକୁଠି ଅତିଥି ଭବନରେ ଯୋଜନା କରାଯାଇଥିଲା। ‘ସିବିଆଇ’ ଅଧିକାରୀମାନେ ଏହି ଅଭିଯାନର ନାମ ରଖିଥିଲେ ‘ଅପରେସନ୍ କେଷ୍ଟୋ’।ବୋଲପୁରରେ କୋଲ୍କାତା ଏବଂ ଆସାନସୋଲ୍ରୁ ୩୫ଜଣ ‘ସିବିଆଇ’ ଅଧିକାରୀ ଆସି ପହଞ୍ଚିଥିଲେ।
Image Courtesy of India Todayଠାକୁର ଘରେ ଆତ୍ମଗୋପନ କରିଥିବା ଅନୁବ୍ରତ ମଣ୍ଡଳଙ୍କୁ ‘ସିବିଆଇ’ ଅଧିକାରୀମାନେ ଘୋଷାଡ଼ି ଘୋଷାଡ଼ି ଆଣିଥିଲେ। ଏହା ପୂର୍ବରୁ ସକାଳ ୯.୩୦ରେ ବୋଲପୁରରୁ ଆସିଥିବା ‘ସିଆର୍ପିଏଫ୍’ର ଯବାନମାନେ ତାଙ୍କ ଘରକୁ ଘେରିଯାଇଥିଲେ।
କିନ୍ତୁ, ଆଶ୍ଚର୍ଯ୍ୟର କଥା ସବୁ ଦିନ ଭଳି ଆଜି ଅନୁବ୍ରତଙ୍କ ଘରେ ତାଙ୍କର କୌଣସି ଅନୁଗାମୀ ନ ଥିଲେ। ସକାଳୁ ଘରେ ନିରବତା ବିରାଜମାନ କରୁଥିଲା। ନିରାପତ୍ତା ରକ୍ଷୀମାନେ ବି ନ ଥିଲେ। ଗୋଟାଏ ଛୋଟ ଦ୍ବାରକୁ ଛାଡ଼ି ବାକି କବାଟ ଓ ଝରକା ସବୁ ବନ୍ଦ ଥିଲା। ଜଣେ ‘ସିବିଆଇ’ ଅଧିକାରୀ ସେ ଦ୍ବାର ବାଟେ ଘରେ ପଶି ଅନୁବ୍ରତଙ୍କୁ ଅପେକ୍ଷା କରି ଦୀର୍ଘ ସମୟ ବସିବା ପରେ ତାଙ୍କ ନମ୍ବରରେ ଫୋନ୍ କରିଥିଲେ। କିନ୍ତୁ, ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ଶେଷରେ ତଦନ୍ତରେ ସହଯୋଗ କରୁ ନ ଥିବା ଦର୍ଶାଇ ତାଙ୍କୁ ଗିରଫ କରାଯାଇଥିଲା।
Follow Us