ବିହାର ବିଧାନସଭା ନିର୍ବାଚନ ଚର୍ଚ୍ଚାରେ ୫ ବିବାଦ

ନିର୍ବାଚନ ଆୟୋଗ ଆଜି ଅପରାହ୍ଣ ୪ଟାରେ ବିହାର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଦାୟିତ୍ବ ଗ୍ରହଣ କରିବାର....

election comission sfsf

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଆଜି ଅପରାହ୍ଣ ୪ଟାରେ ବିହାର ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାର ଦାୟିତ୍ବ ଗ୍ରହଣ କରିବାର କିଛି ମାସ ମଧ୍ୟରେ ଆୟୋଗ ବିରୋଧରେ ବହୁ ଅଭିଯୋଗ ଆସିଛି। ଯୋଗ୍ୟ ଭୋଟରଙ୍କୁ ତାଲିକାରୁ ବାଦ୍ ଦେବା, ତଥ୍ୟ ଆକ୍ସେସ୍ ଉପରେ ରୋକ୍ ଲଗାଇବା, ସିସିଟିଭି ଫୁଟେଜ୍ ପ୍ରକାଶ ନ କରିବା ଏବଂ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍)ରେ ହେରଫେରକୁ ନେଇ ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଅଭିଯୋଗକୁ ଇସିଙ୍କ ପକ୍ଷରୁ ଅସ୍ବୀକାର କରାଯାଇଛି। ୨୦୨୪ ଲୋକସଭା ନିର୍ବାଚନ ପରେ ଏହା ପ୍ରଥମ ପ୍ରମୁଖ ନିର୍ବାଚନ ଏବଂ କୁମାରଙ୍କ ନେତୃତ୍ୱରେ ପ୍ରଥମ ରାଜ୍ୟ ନିର୍ବାଚନ ହେବ। 

ଭୋଟର ତାଲିକାରୁ ‌ନାମ ହଟାଇବା ଅଭିଯୋଗ

ଝଡ଼ର କେନ୍ଦ୍ରରେ ରହିଛି ବିହାର ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ଯାହା ଫଳରେ ଭୋଟର ତାଲିକାରୁ ୬୮ ଲକ୍ଷରୁ ଅଧିକ ନାମ ହଟାଇ ଦିଆଯାଇଛି, ଯାହା ଦୁଇ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ପ୍ରଥମ ପ୍ରକ୍ରିୟା। ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି ଯେ, ଏସ୍‌ଆଇଆର୍‌ ଦ୍ୱାରା ଲକ୍ଷ ଲକ୍ଷ ପ୍ରକୃତ ଭୋଟରଙ୍କୁ ବାଦ୍ ଦିଆଯାଇଛି, ଯାହା ମହିଳା, ସଂଖ୍ୟାଲଘୁ ଓ ପ୍ରବାସୀ ଶ୍ରମିକଙ୍କୁ ପ୍ରଭାବିତ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭୋଟର ଅଧିକାର ଯାତ୍ରା ସମୟରେ ଏହାକୁ ବିହାର ପାଇଁ ‘ଭୋଟ୍ ଚୋରିର ଏକ ନୂତନ ରୂପ’ ବୋଲି କହିଛନ୍ତି। ଆୟୋଗ ଏହି ଅଭିଯୋଗକୁ ଭିତ୍ତିହୀନ ଓ ମାନହାନିପୂର୍ଣ୍ଣ କହି ଖାରଜ କରି କହିଛନ୍ତି ଯେ, ନକଲି, ମୃତ ଓ ସ୍ଥାନାନ୍ତରିତ ଲୋକଙ୍କ ନାମ ହଟାଇବା ପାଇଁ ସଂଶୋଧନ ଜରୁରୀ। ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା ଏକ ସତ୍ୟପାଠରେ ନିର୍ବାଚନ କମିସନ କହିଛନ୍ତି ଯେ ଡ୍ରାଫ୍ଟ ରୋଲରୁ ହଟାଇବା ଅର୍ଥ ସ୍ଥାୟୀ ଭାବେ ହଟାଇବା ନୁହେଁ ଏବଂ ସମସ୍ତ ରାଜନୈତିକ ଦଳକୁ ବୁଥ୍‌ସ୍ତରୀୟ ତଥ୍ୟ ପ୍ରଦାନ କରାଯାଇଛି। ଭୁଲ୍ ଥିଲେ ପ୍ରମାଣ ସହ ସଂଶୋଧନ ପାଇଁ ଆବେଦନ କରାଯାଇପାରିବ। 

ସତ୍ୟପାଠ ଦାବି ଓ ରାହୁଲଙ୍କ ଜବାବ

ରାହୁଲ ଗାନ୍ଧୀ ତାଙ୍କ ଭୋଟ୍ ଚୋରି ଦାବିକୁ ପ୍ରମାଣିତ କରି ସାତ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରନ୍ତୁ କିମ୍ବା ସର୍ବସାଧାରଣରେ କ୍ଷମା ମାଗନ୍ତୁ ବୋଲି ନିର୍ବାଚନ କମିସନ କହିଥିଲେ। ସିଇସି ଜ୍ଞାନେଶ କୁମାର କହିଛନ୍ତି ଯେ, ଲୋକ ପ୍ରତିନିଧିତ୍ୱ ଆଇନ ଅନୁଯାୟୀ, ଭିତ୍ତିହୀନ ରାଜନୈତିକ ମନ୍ତବ୍ୟକୁ ବୈଧ ଅଭିଯୋଗ ଭାବରେ ବିବେଚନା କରାଯାଇପାରିବ ନାହିଁ। ମିଥ୍ୟା ଦାବି ଭୋଟରଙ୍କ ବିଶ୍ୱାସକୁ କ୍ଷତି ପହଞ୍ଚାଇଥାଏ ଏବଂ କ୍ରମାଗତ ଭୁଲ ସୂଚନା ଆଇନଗତ ପରିଣାମକୁ ଆକର୍ଷିତ କରିପାରେ। ବିରୋଧୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏହି ଦାବିକୁ ଅଯୌକ୍ତିକ ବୋଲି କହି ଯୁକ୍ତି ବାଢ଼ିଥିଲେ ଯେ, ନିର୍ବାଚନୀ ସମାଲୋଚନା ପାଇଁ ରାଜନୈତିକ ନେତାମାନଙ୍କୁ ସତ୍ୟପାଠ ଦାଖଲ କରିବାକୁ ବାଧ୍ୟ କରିବାର କୌଣସି ଉଦାହରଣ ନାହିଁ। ରାହୁଲ ଗାନ୍ଧୀ କହିଛନ୍ତି ଯେ, ନିର୍ବାଚନ କମିସନ ପ୍ରଥମେ ଏକ ସତ୍ୟପାଠ ଦାଖଲ କରୁ ଯେ, ଏହାର ଭୋଟର ତାଲିକା ତ୍ରୁଟିମୁକ୍ତ। 

‘ଭୋଟ ଚୋରି’ ଅଭିଯୋଗ 

କଂଗ୍ରେସ ଅଭିଯୋଗ କରିଛି ଯେ, ନିର୍ବାଚନ ଆୟୋଗ ଜାଣିଶୁଣି ମେସିନ୍-ରିଡେବଲ୍ ଫର୍ମାଟରେ ଡିଜିଟାଲ୍ ଭୋଟର ତାଲିକା ପ୍ରକାଶ କରୁନାହାନ୍ତି, ଯାହାଦ୍ୱାରା ଦଳଗୁଡିକ ଯାଞ୍ଚ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଗାନ୍ଧୀ କହିଛନ୍ତି ଯେ, କଂଗ୍ରେସ ଏକାଧିକ ରାଜ୍ୟରେ ‘ଯୋଜନାବଦ୍ଧ ଭୋଟର ଦମନ ପ୍ରୟାସ’ ଉପରେ ଏକ ‘ଶ୍ୱେତପତ୍ର’ ପ୍ରକାଶ କରିବାକୁ ଯୋଜନା କରିଛି। ଆୟୋଗ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହି ଦୋହରାଇଛନ୍ତି ଯେ, ସମସ୍ତ ସ୍ୱୀକୃତିପ୍ରାପ୍ତ ଦଳ ଆଇନ ଅନୁଯାୟୀ ନିର୍ଦ୍ଧାରିତ ଫର୍ମାଟ୍‌ରେ ଭୋଟର ତାଲିକା ଗ୍ରହଣ କରନ୍ତି। ଗୋପନୀୟତା ଓ ଡାଟା ସୁରକ୍ଷା ଆଇନ ତଥ୍ୟ ପ୍ରକାଶ କରିବାରେ ପ୍ରତିବନ୍ଧକ ଲଗାଇଥାଏ ଯାହା ପ୍ରୋଫାଇଲିଂ କିମ୍ବା ଅପବ୍ୟବହାରକୁ ସକ୍ଷମ କରିପାରେ।

ଇଭିଏମ୍ ଓ ସିସିଟିଭି ବିବାଦ

ଇଭିଏମ୍‌ର ବିଶ୍ୱସନୀୟତା ଓ ଭୋଟ୍ ଗଣନାରେ ସ୍ୱଚ୍ଛତାକୁ ନେଇ ବିରୋଧୀମାନେ ଦୀର୍ଘ ଦିନ ଧରି ରହି ଆସୁଥିବା ସନ୍ଦେହକୁ ପୁନଃପ୍ରକାଶ କରିଛନ୍ତି। କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ଓ ବାମପନ୍ଥୀ ଦଳ ଅଭିଯୋଗ କରିଛନ୍ତି ଯେ, ଇଭିଏମ୍ ତଥ୍ୟ ଓ ଗଣତି କେନ୍ଦ୍ରରୁ ସମ୍ପୂର୍ଣ୍ଣ ସିସିଟିଭି ଫୁଟେଜ୍ ପ୍ରକାଶ କରିବାକୁ ନିର୍ବାଚନ କମିସନ ମନା କରିବା ଫଳାଫଳର ନିରପେକ୍ଷ ଯାଞ୍ଚରେ ବାଧା ସୃଷ୍ଟି କରୁଛି। ଷ୍ଟ୍ରଙ୍ଗ୍ ରୁମ୍ ଏବଂ ମତଦାନ କେନ୍ଦ୍ରରୁ ସିସିଟିଭି ଫୁଟେଜ୍ ୪୫ ଦିନ ପରେ କାହିଁକି ହଟାଯାଉଛି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ତେଣେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ଦର୍ଶାଇ ଆୟୋଗ ଇଭିଏମ୍ ବ୍ୟବହାରକୁ ସମର୍ଥନ କରିଛନ୍ତି। ଏଥିରେ କୁହାଯାଇଛି ଯେ, ଇଭିଏମ୍ ହେଉଛି ଷ୍ଟାଣ୍ଡଏଲୋନ୍, ଅଣ-ନେଟ୍‌ୱାର୍କ ମେସିନ୍ ଯାହାକୁ ଟ୍ୟାମ୍ପରିଂ କିମ୍ବା ହ୍ୟାକ୍ କରାଯାଇପାରିବ ନାହିଁ। ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ରାଣ୍ଡମାଇଜଡ୍ ଟେଷ୍ଟିଂ ଏବଂ ଭିଭିପାଟ୍ (ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍) ଯାଞ୍ଚ କରାଯାଉଛି। ସିସିଟିଭି ପ୍ରସଙ୍ଗରେ ନିର୍ବାଚନ କମିସନ କହିଛନ୍ତି ଯେ, ଏହା ସର୍ବସାଧାରଣରେ ପ୍ରକାଶ କରାଯାଇପାରିବ ନାହିଁ, କାରଣ ଏହା ବାଲଟ୍ ଗୋପନୀୟତା ଓ ମତଦାନ କେନ୍ଦ୍ରର ସୁରକ୍ଷାକୁ ସାଲିସ୍ କରିପାରେ। କୁମାର ଭୋଟର, ବିଶେଷକରି ମହିଳା ଭୋଟରଙ୍କ ଗୋପନୀୟତା ବିଷୟରେ ଉଲ୍ଲେଖ କରି କହିଛନ୍ତି ଯେ ମହିଳାଙ୍କ ସିସିଟିଭି ଫୁଟେଜ୍ ସର୍ବସାଧାରଣରେ ଉପଲବ୍ଧ କରାଯିବା ଉଚିତ ନୁହେଁ।

ସୁପ୍ରିମ୍‌କୋର୍ଟଙ୍କ ଯାଞ୍ଚ ଓ ସ୍ୱାଧୀନତା ପ୍ରଶ୍ନ

ଇସିଙ୍କ ବିଶ୍ୱସନୀୟତା ମଧ୍ୟ କୋର୍ଟରେ ପରୀକ୍ଷା କରାଯାଉଛି। ସୁପ୍ରିମ୍‌କୋର୍ଟ ଉଭୟ ଏସ୍‌ଆଇଆର୍‌ ପ୍ରକ୍ରିୟା ଓ ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ ଆଣିଥିବା ଆଇନକୁ ଚ୍ୟାଲେଞ୍ଜ କରି ଏକାଧିକ ଆବେଦନର ଶୁଣାଣି କରୁଛନ୍ତି। ଆୟୋଗ କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ସ୍ୱାୟତ୍ତତା ସହିତ କାର୍ଯ୍ୟ କରୁଛି ଏବଂ ଏହାର ନିଯୁକ୍ତି ପ୍ରକ୍ରିୟା ସାମ୍ବିଧାନିକ ଭାବରେ ହୋଇଛି। ଏହା ଜ୍ଞାନେଶ କୁମାରଙ୍କ ଅଧୀନରେ ପ୍ରବର୍ତ୍ତିତ ଅନେକ ସ୍ୱଚ୍ଛତା ପଦକ୍ଷେପ ବିଷୟରେ ସୂଚାଇଛି, ଯେଉଁଥିରେ ହିତାଧିକାରୀଙ୍କ ପରାମର୍ଶ, ଇଭିଏମ୍ ସଚେତନତା ଡ୍ରାଇଭ୍ ଏବଂ ନିର୍ବାଚନ ଅଧିକାରୀଙ୍କ ପାଇଁ ଭିଭିପାଟ୍ ତାଲିମ ଆଦି ରହିଛି। ଏହା ସତ୍ତ୍ବେ ବିରୋଧୀ ନେତାମାନେ ଉଭୟ ଇଭିଏମ୍ କାର୍ଯ୍ୟକାରିତା ଓ ଭୋଟର ତାଲିକା ପରିଚାଳନାର ନ୍ୟାୟିକ ତଦାରଖ ଦାବି ଜାରି ରଖିଛନ୍ତି। ଇସି ଜୋର ଦେଇ କହିଛନ୍ତି ଯେ ଏହିପରି ତଦାରଖ ଏକ ସ୍ୱାଧୀନ ସାମ୍ବିଧାନିକ ସଂସ୍ଥାର କାର୍ଯ୍ୟରେ ହସ୍ତକ୍ଷେପ ହେବ। 

୧୭ଟି ନୂଆ ସଂସ୍କାର

ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ନଭେମ୍ବର ୬ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବ। ନଭେମ୍ବର ୧୪ରେ ଭୋଟ୍ ଗଣନା କରାଯିବ। ବିଜ୍ଞାନ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ (ଏସ୍‌ଆଇଆର୍‌) ପରେ ହେବାକୁ ଥିବା ଏହି ମତଦାନ ଦେଶର ଅନ୍ୟାନ୍ୟ ରାଜ୍ୟରେ ଭୋଟର ତାଲିକା ଶୁଦ୍ଧ କରିବାର ରାସ୍ତା ଦେଖାଇବ।
ସେହି ୧୭ଟି ପଦକ୍ଷେପ ହେଲା:
୧. ବୁଥ୍‌ସ୍ତରୀୟ ଏଜେଣ୍ଟମାନଙ୍କୁ ତାଲିମ- ରାଜନୈତିକ ଦଳଗୁଡ଼ିକ ଦ୍ବାରା ନିଯୁକ୍ତ ବୁଥ୍‌ସ୍ତରୀୟ ଏଜେଣ୍ଟ୍‌ (ବିଏଲ୍‌ଏ)ମାନଙ୍କୁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ସମର୍ଥନ କରିବାର ବିଭିନ୍ନ ଦିଗ ଉପରେ ତାଲିମ ଦିଆଯାଇଛି। 
୨. ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ– ବିହାର ସମେତ ଦେଶର ବିଭିନ୍ନ ସ୍ଥାନରୁ ୭,୦୦୦ରୁ ଊର୍ଦ୍ଧ୍ୱ ବିଏଲ୍‌ଓ ଓ ବିଏଲ୍‌ଓ ସୁପରଭାଇଜରଙ୍କୁ ନୂଆଦିଲ୍ଲୀସ୍ଥିତ ଆଇଆଇଆଇଡିଇଏମ୍‌ରେ ପ୍ରଶିକ୍ଷଣ ଦିଆଯାଇଛି। 
୩. ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ- ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପ୍ରସ୍ତୁତିକୁ ସୁଦୃଢ଼ କରିବା ଲାଗି ବିହାରର ପୁଲିସ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଛି। 
୪. ବିହାରରେ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ - କୌଣସି ଯୋଗ୍ୟ ମତଦାତା ଯେପରି ବାଦ୍ ପଡ଼ିବେ ନାହିଁ ଏବଂ କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କୁ ସାମିଲ ନ କରିବା ଲାଗି ଭୋଟର ତାଲିକାର ଶୁଦ୍ଧିକରଣ ବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରିଚାଳନା କରାଯାଇଛି।  
୫. ଅଧିକାରୀମାନଙ୍କ ପାରିଶ୍ରମିକ ବୃଦ୍ଧି- ବିଏଲ୍‌ଓଙ୍କ ପାରିଶ୍ରମିକ ଦ୍ୱିଗୁଣିତ କରାଯାଇଛି, ବିଏଲ୍‌ଓ ସୁପରଭାଇଜର ଏବଂ ମତଦାନ/ଗଣତି କର୍ମଚାରୀ, ସିଏପିଏଫ୍, ମନିଟରିଂ ଟିମ୍ ଓ ମାଇକ୍ରୋ ପର୍ଯ୍ୟବେକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି। ପ୍ରଥମ ଥର ପାଇଁ ଇଆର୍‌ଓ ଓ ଏଇଆର୍‌ଓଙ୍କୁ ପାରିଶ୍ରମିକ ପ୍ରଦାନ ବ୍ୟବସ୍ଥା କରାଯାଇଛି। 
୬. ଇପିଆଇସିର ମାଗଣା ବିତରଣ:
ନିର୍ବାଚନ ଫଟୋ ପରିଚୟପତ୍ର (ଇପିଆଇସି)ରେ ଅପଡେଟ୍‌ ସହିତ ୧୫ ଦିନ ମଧ୍ୟରେ ପହଞ୍ଚାଇବାକୁ ନିଶ୍ଚିତ କରିବା ଲାଗି ନୂଆ ଏସ୍‌ଓପି। ଏଥିରେ ପହଞ୍ଚାଇବାର ପ୍ରତ୍ୟେକ ପର୍ଯ୍ୟାୟରେ ଏସ୍‌ଏମ୍‌ଏସ୍‌ ପ୍ରଦାନକୁ ନିଶ୍ଚିତ କରାଯିବ।
୭. ବିଏଲ୍‌ଓଙ୍କ ପାଇଁ ଫଟୋ ପରିଚୟ ପତ୍ର- କ୍ଷେତ୍ରସ୍ତରରେ ପାରଦର୍ଶିତା ଓ ଜନସାଧାରଣଙ୍କ ବିଶ୍ୱାସ ବଢ଼ାଇବା ଲାଗି ବିଏଲ୍‌ଓମାନଙ୍କୁ ଦିଆଯାଉଥିବା ପରିଚୟପତ୍ରଗୁଡ଼ିକୁ ଗୋଟିଏ ନିର୍ଦ୍ଦିଷ୍ଟ ମାନର କରାଯାଇଛି।
୮. ମତଦାନ କେନ୍ଦ୍ରରେ ମୋବାଇଲ୍‌ ଜମା ସୁବିଧା- ମୋବାଇଲ୍ ଫୋନ୍ ଜମା କରିବା ପାଇଁ ଭୋଟରଙ୍କ ଲାଗି ମତଦାନ କେନ୍ଦ୍ର ବାହାରେ କାଉଣ୍ଟର କରାଯିବ। 
୯. ସ୍ପଷ୍ଟ ଭୋଟର ସୂଚନା ସ୍ଲିପ୍ (ଭିଆଇଏସ୍) - ଭୋଟରଙ୍କ ସହଜ ଯାଞ୍ଚ ପାଇଁ କ୍ରମିକ ଓ ପାର୍ଟ ନମ୍ବରକୁ ପ୍ରମୁଖ ଭାବରେ ପ୍ରଦର୍ଶିତ କରାଯିବ।
୧୦. ୱାନ୍ ଷ୍ଟପ୍ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ- ଇସିଆଇନେଟ୍ ଆପ୍‌ରେ ଅନେକ ଗୁରୁତ୍ୱପୂର୍ଣ୍ଣ ସେବା ରହିଛି। ଏଥିରେ ରିଅଲ୍ ଟାଇମ୍ ମତଦାନ ଅପଡେଟ୍ ସାମିଲ ରହିଛି। ପ୍ରିଜାଇଡିଂ ଅଫିସରମାନେ ମତଦାନ ଦିନ ପ୍ରତି ଦୁଇ ଘଣ୍ଟାରେ ଥରେ ଇସିଆଇନେଟ୍ ଆପ୍‌ରେ ମତଦାନ ତଥ୍ୟ ଅପଲୋଡ୍ କରିବେ ଯାହାଫଳରେ ଆନୁମାନିକ ମତଦାନ ଧାରା ଅପଡେଟ୍ କରିବାରେ ସମୟକୁ ହ୍ରାସ କରାଯାଇପାରିବ।
୧୧.  ୧,୨୦୦ ଭୋଟରରେ ସୀମିତ ରହିବ ମତଦାନ କେନ୍ଦ୍ର- ଉଚ୍ଚ ଆବାସିକ ସୌଧ ଓ ସୋସାଇଟିରେ ଭିଡ଼ ହ୍ରାସ ଓ ଛୋଟ ଧାଡ଼ିକୁ ସୁନିଶ୍ଚିତ କରିବା ପାଇଁ ଅତିରିକ୍ତ ବୁଥ୍ ଖୋଲାଯିବ ଏବଂ ପ୍ରତ୍ୟେକ ବୁଥ୍‌ରେ ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧,୨୦୦ ଭିତରେ ସୀମିତ ରହିବ।
୧୨. ମତଦାନ କେନ୍ଦ୍ରର ୧୦୦ ମିଟର ବାହାରେ ପ୍ରାର୍ଥୀଙ୍କ ବୁଥ୍‌ ରହିବ- ଭୋଟରଙ୍କୁ ଅନୌପଚାରିକ ପରିଚୟପତ୍ର ପ୍ରଦାନ କରିବା ଲାଗି ମତଦାନ ଦିନ ପ୍ରାର୍ଥୀମାନେ ଯେକୌଣସି ମତଦାନ କେନ୍ଦ୍ରର ମାତ୍ର ୧୦୦ ମିଟର ବାହାରେ ବୁଥ୍ ସ୍ଥାପନ କରିପାରିବେ।
୧୩. ମତଦାନ କେନ୍ଦ୍ରରେ ୧୦୦% ୱେବ୍‌କାଷ୍ଟିଂ- ମତଦାନ ପ୍ରକ୍ରିୟାର କୌଣସି ଉଲ୍ଲଙ୍ଘନ ନ କରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ସୁରୁଖୁରୁରେ ଚାଲିବା ସୁନିଶ୍ଚିତ କରିବା ପାଇଁ ମତଦାନ କେନ୍ଦ୍ରରେ ୧୦୦% ୱେବ୍‌କାଷ୍ଟିଂ କରାଯିବ।
୧୪. ଇଭିଏମ୍ ବାଲଟ୍ ପେପର ନିର୍ଦ୍ଦେଶାବଳୀ ସଂଶୋଧନ- ଇଭିଏମ୍ ବାଲଟ୍ ପେପରକୁ ଅଧିକ ପଠନଯୋଗ୍ୟ କରିବା ପାଇଁ ନିର୍ଦ୍ଦେଶାବଳୀରେ ସଂଶୋଧନ କରାଯାଇଛି। ଇଭିଏମ୍‌ରେ ପ୍ରଥମ ଥର ପାଇଁ ପ୍ରାର୍ଥୀଙ୍କ ରଙ୍ଗୀନ ଫଟୋ ରହିବ।
୧୫. ମେଳ ଖାଉ ନ ଥିବା ମାମଲାରେ ଭିଭିପାଟ୍ ଗଣତି ବାଧ୍ୟତାମୂଳକ- ଫର୍ମ ୧୭ସି ଓ ଇଭିଏମ୍ ଡାଟା ମଧ୍ୟରେ ମେଳ ଖାଉ ନ ଥିଲେ ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ।
୧୬. ପୋଷ୍ଟାଲ ବାଲଟ୍ ଗଣତିକୁ ସୁବ୍ୟବସ୍ଥିତ କରାଯିବ- ପୋଷ୍ଟାଲ ବାଲଟ୍ ପେପର ଗଣତି ପରେ ଇଭିଏମ୍/ଭିଭିପାଟ୍‌ର ଶେଷ (ଦ୍ୱିତୀୟ) ରାଉଣ୍ଡ ଗଣତି ହେବ।
୧୭. ଡିଜିଟାଲ ଇଣ୍ଡେକ୍ସ କାର୍ଡ ଓ ରିପୋର୍ଟ- ସମସ୍ତ ହିତାଧିକାରୀଙ୍କ ପାଇଁ ନିର୍ବାଚନମଣ୍ଡଳୀ ସ୍ତରରେ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ ତଥ୍ୟର ଉପଲବ୍ଧତାକୁ ପ୍ରୋତ୍ସାହିତ କରିବା ପାଇଁ ଟେକ୍ନୋଲୋଜି ପରିଚାଳିତ ବ୍ୟବସ୍ଥା କରାଯିବ।

Untitled-17

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe