Photograph: (sambad.in)
ମଥୁରା: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲା ଅନ୍ତର୍ଗତ ଖାପରପୁର ଥାନା ମହାବନ ଅଞ୍ଚଳରେ ଥିବା ଖାପରପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଘର ଭିତରେ ଗୋଟିଏ ପରିବାରର ପାଞ୍ଚ ଜଣ ସ୍ୱାମୀ, ସ୍ତ୍ରୀ ଓ ସେମାନଙ୍କର ତିନି ପିଲାଙ୍କ ମୃତଦେହ ମିଳିଥିଲା। ଖବର ପାଇବା ମାତ୍ରେ ପୁଲିସ ଓ ବରିଷ୍ଠ ଅଧିକାରୀମାନେ ଫରେନସିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।
ମୃତ ମନିଷ ପେସାରେ ଜଣେ କୃଷକ ଥିଲେ, ଯିଏ ତାଙ୍କ ପରିବାର ସହିତ ରହୁଥିଲେ। ତାଙ୍କର ଅନ୍ୟ ଦୁଇ ଭାଇ ମଧ୍ୟ ତାଙ୍କ ଘର ପାଖରେ ରୁହନ୍ତି। ସକାଳେ ମନିଷଙ୍କ ଘରର କବାଟ ଅଧିକ ସମୟ ପର୍ଯ୍ୟନ୍ତ ଖୋଲି ନ ଥିଲା। ମନୀଷଙ୍କ ପୁତୁରାଙ୍କ କହିବା ଅନୁସାରେ, କବାଟ ଭିତରୁ ବନ୍ଦ ଥିବାରୁ ଏହାକୁ ଭାଙ୍ଗିବାକୁ ପଡ଼ିଥିଲା। ସେଠାରେ ମନିଷ (୩୫), ତାଙ୍କ ପତ୍ନୀ ସୀମା (୩୨), ପାଞ୍ଚ ବର୍ଷର ଝିଅ ହନି, ଚାରି ବର୍ଷୀୟା ପ୍ରିୟାଂଶୀ ଓ ଦୁଇ ବର୍ଷର ପୁଅ ପଙ୍କଜଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।
ପୁଲିସର ପ୍ରାଥମିକ ତଦନ୍ତରେ ରୋଷେଇ ଘର କାନ୍ଥରେ ଲେଖା ଥିବା ଏକ ମେସେଜ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ଲେଖାଥିଲା- ‘ଆମେ ନିଜେ ଆତ୍ମହତ୍ୟା କରୁଛୁ’। ଏହା ବ୍ୟତୀତ ଘଟଣାସ୍ଥଳରୁ କାଗଜରେ ଲେଖାଯାଇଥିବା ଏକ ସୁଇସାଇଡ୍ ନୋଟ୍ ଓ ମୃତକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି। ଫୋନରେ ଏକ ଭିଡିଓ ଦେଖିବାକୁ ମିଳିଛି ଯେଉଁଥିରେ ମୃତ ବ୍ୟକ୍ତି ଆତ୍ମହତ୍ୟା ବିଷୟରେ କହିଛନ୍ତି।
ଆହୁରି ପଢ଼ନ୍ତୁ: Neglected: ଡାକ୍ତରଙ୍କ ଗୁରୁତର ଅବହେଳା: ୪ ମାସରୁ ଉର୍ଦ୍ଧ୍ବ ଅସହ୍ୟ ଯନ୍ତ୍ରଣା ଭୋଗିଲେ ପୀଡ଼ିତା
ମୃତଦେହ ନିକଟରୁ କ୍ଷୀର ଗ୍ଲାସ ମିଳିବା ପରେ ପରିବାର କ୍ଷୀରରେ ବିଷ ମିଶାଇ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ଏହି ଘଟଣାରେ ପରିବାରର ଅନ୍ୟ ସଦସ୍ୟ ସମ୍ପୂର୍ଣ୍ଣ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ମନିଷ ଓ ସୀମା ୨୦୧୮ରେ ବିବାହ କରିଥିଲେ ଏବଂ ସେମାନଙ୍କର କାହା ସହିତ କୌଣସି ଝଗଡା କିମ୍ବା ବିବାଦ ହୋଇ ନ ଥିଲା। ତାଙ୍କ ବାପାଙ୍କ ମୃତ୍ୟୁ ପରେ ପରିବାର ସ୍ୱାଭାବିକ ଜୀବନଯାପନ କରୁଥିଲେ। ବର୍ତ୍ତମାନ ପୁଲିସ ଗ୍ରାମବାସୀ ଓ ସମ୍ପର୍କୀୟଙ୍କୁ ପଚରାଉଚରା କରି ଆତ୍ମହତ୍ୟାର କାରଣ ଜାଣିବାକୁ ଚେଷ୍ଟା କରୁଛି।
Follow Us