ବିଜୟୱାଡା: ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଏକ ନଦୀରେ ପାଞ୍ଚଜଣ ସ୍କୁଲ ଛାତ୍ର ବୁଡ଼ି ଯାଇଥିବା ଖବର ମିଳିଛି। ଗତ ମଙ୍ଗଳବାର ଦିନ ଉଦ୍ଧାର କର୍ମଚାରୀମାନେ ୧୧ ରୁ ୧୪ ବର୍ଷ ବୟସ ମଧ୍ୟରେ ପାଞ୍ଚଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲେ।
କୁହାଯାଉଛି କି, ମୃତଦେହ ଉଦ୍ଧାର ହୋଇଥିବା ଛାତ୍ରମାନେ ଇଟୁରୁ ନିକଟ ମୁନେର ସ୍ଥିତ କ୍ରିଷ୍ଣା ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉ ଥିବା ସମୟରେ ପହଁରା ଅଭ୍ୟାସ କରୁଥିବା ବେଳେ ଜଣକ ପରେ ଜଣେ ଏପରି ୫ଜଣ ଛାତ୍ର ନଦୀ ସ୍ରୋତରେ ଭାସି ଯାଇଥିଲେ।
ମୃତକଙ୍କ ମଧ୍ୟରେ ଅଛନ୍ତି, ସନ୍ନି (୧୨), ବାଲା ଜେସୁ (୧୨), ଅଜୟ (୧୨), ରାକେଶ (୧୧) ଏବଂ ଚରଣ (୧୩) ବୋଲି ଜଣାପଡିଛି। ସମସ୍ତେ ଇଟୁରୁ ଜିଲ୍ଲା ପରିଷଦ ଉଚ୍ଚ ବିଦ୍ୟାଳୟରେ ପାଠପଢ଼ୁଥିଲେ।
ପୁଲିସ ସୂତ୍ରରୁ ପ୍ରକାଶ, ସୋମବାର ଅପରାହ୍ନରେ ସଙ୍କ୍ରାନ୍ତି ଛୁଟି ଥିବାରୁ ଛାତ୍ରମାନେ ସାଙ୍ଗ ହୋଇ ନଦୀକୁ ଗାଧେଇବାକୁ ଯାଇଥିଲେ। ଏହି ସମୟରେ ସେମାନଙ୍କ ପିତାମାତା କ୍ଷେତରେ କାମ କରିବାକୁ ଯାଇଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀମାନେ ସେମାନଙ୍କୁ ଗଭୀର ପାଣିକୁ ନଯିବାକୁ ଚେତାବନୀ ଦେଇଥିଲେ କିନ୍ତୁ ସେମାନେ ଚେତାବନୀକୁ ଅଣଦେଖା କରି ଗଭୀର ପାଣିକୁ ପଳାଇଥିଲେ। ଶେଷରେ ସେମାନେ ଏକ ଭଉଁରୀରେ ଫସି ଯାଇଥିଲେ।
ମତ୍ସ୍ୟଜୀବୀମାନେ ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଏହା ପରେ ସେମାନେ ପୁଲିସକୁ ସୂଚନା ଦେଇ ଏନଡିଆରଏଫର ସାହାଯ୍ୟ ଲୋଡିଥିଲେ। ପୁଲିସ ଏବଂ ରାଜସ୍ୱ ବିଭାଗ ସହାୟତାରେ ଏନଡିଆରଏଫ ଟିମ୍ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସର୍ଚ୍ଚ ଅପରେସନ ଜାରି ରଖିଥିଲେ। ମଙ୍ଗଳବାର ଦିନ ପାଞ୍ଚଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
Follow Us