ଭୁବନେଶ୍ବର: ବିନା କୌଣସି ମୃତାହତରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡ୍ଫଲ୍ ପ୍ରକ୍ରିୟା ସକାଳ ୧୦ଟା ସୁଦ୍ଧା ଶେଷ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଗୁରୁବାର ମଧ୍ୟରାତ୍ର ପରେ ୧୧୦-୧୨୦ କିଲୋମିଟର ବେଗରେ ପବନ ବହିଥିଲା। ଏହି ବାତ୍ୟା ଏବେ ଉତ୍ତର ଉପକୂଳ ଓଡ଼ିଶା ଉପରେ ୧୦ କିଲୋମିଟର ବେଗରେ କେନ୍ଦ୍ରୀଭୂତ ହୋଇ ଦୁର୍ବଳ ହୋଇପଡ଼ିଛି।
ତେବେ ବାତ୍ୟା ଦୁର୍ବଳ ହୋଇପଡ଼ିବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଯେଉଁ ବିମାନ ସବୁ ବାତିଲା ହୋଇଥିଲା ସେବସବୁକୁ ଉଡ଼ାଣ ପାଇଁ ଅନୁମତି ମିଳିଛି।
ବାତ୍ୟା ଲ୍ୟାଣ୍ଡ୍ଫଲ୍ କରିବା ପରେ କୋଲକାତା ଏବଂ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଚଳାଚଳ ପୁଣି ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟା ଠାରୁ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଉଭୟ ବିମାନବନ୍ଦର ବନ୍ଦ ରହିଥିଲା।
ବାତ୍ୟା ହେତୁ ଏହି ଦୁଇ ପଡୋଶୀ ରାଜ୍ୟ ଦେଇ ଯାଉଥିବା ୪୦୦ରୁ ଅଧିକ ଟ୍ରେନକୁ ବାତିଲ କରାଯାଇଛି। କୋଲକାତା ବନ୍ଦର କର୍ତ୍ତୃପକ୍ଷ ମଧ୍ୟ ସତର୍କତାମୂଳକ ପଦକ୍ଷେପ ଭାବରେ ଶୁକ୍ରବାର ସନ୍ଧ୍ୟା ପର୍ଯ୍ୟନ୍ତ ଜାହାଜ ଚଳାଚଳ ବନ୍ଦ କରି ଦେଇଛନ୍ତି।
ପ୍ରବଳ ବର୍ଷା ଓ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟା ‘ଦାନା’ର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଶୁକ୍ରବାର ଦିନ ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଝାରଖଣ୍ଡର କିଛି ଅଂଶରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ରାତିରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ବାତ୍ୟା ‘ଦାନା’ର ପରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଛନ୍ତି।
  
 Follow Us