ଅଜଣା କାରଣରୁ ୯୦୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ବାତିଲ ପରେ ଫାଙ୍କା ହୋଇଗଲା ଚୀନ୍‌ ଆକାଶ

Advertisment
ଅଜଣା କାରଣରୁ ୯୦୦୦ରୁ ଊର୍ଦ୍ଧ୍ବ ବିମାନ ଉଡ଼ାଣ ବାତିଲ ପରେ ଫାଙ୍କା ହୋଇଗଲା ଚୀନ୍‌ ଆକାଶ

Image Courtesy of Zee News

ବେଜିଙ୍ଗ୍‌: ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି ସେପ୍ଟେମ୍ବର ୨୧ ତାରିଖ ଦିନ ଚୀନ୍‌ ବହୁସଂଖ୍ୟକ ବିମାନ ଉଡ଼ାଣ ବାତିଲ କରିବା ଯୋଗୁଁ ଚୀନ୍‌ ଆକାଶ ଫାଙ୍କା ହୋଇଯାଇଥିଲା ବୋଲି ‘ଫ୍ଲାଇଟ୍‌ ଟ୍ରାକିଙ୍ଗ୍‌ ୱେବ୍‌ସାଇଟ୍‌’ ‘ଫ୍ଲାଇଟ୍‌ ମାଷ୍ଟର୍‌’ କହିଛି।

‘ଦି ଇପୋକ୍‌ ଟାଇମ୍‌ସ୍‌’ ରିପୋର୍ଟରୁ ଉଦ୍ଧାର କରି ‘ଫ୍ଲାଇଟ୍‌ ମାଷ୍ଟର୍‌’ କହିଛି ଯେ, ସେଦିନ ୯,୫୮୩ଟି ବିମାନ ଉଡ଼ାଣ ବାତିଲ କରାଯିବା ପରେ ଚୀନା ଆକାଶ ଫାଙ୍କା ହୋଇ ଯାଇଥିଲା। କିନ୍ତୁ, କାହିଁକି ଏତେ ସଂଖ୍ୟକ ବିମାନ ଉଡ଼ାଣ ବାତିଲ ହେଲା ତାହା ଜଣାପଡ଼ିନାହିଁ। ସରକାରଙ୍କ ତରଫରୁ ମଧ୍ୟ ଏ ସଂକ୍ରାନ୍ତରେ କ‌ୌଣସି କୈଫିୟତ୍ ଦିଆଯାଇ ନାହିଁ।

ବାତିଲ ହୋଇଥିବା ବିମାନଗୁଡ଼ିକ ହେଉଛି ସେଦିନ ଉଡ଼ାଣ ପାଇଁ ଧାର୍ଯ୍ୟ କରାଯାଇଥିବା ସମୁଦାୟ ବିମାନର ୫୯.୬୬%। ସୂଚନାଯୋଗ୍ୟ, ‘ଫ୍ଲାଇଟ୍‌ ମାଷ୍ଟର୍‌’ ଚୀନ୍‌ରେ ଉଡ଼ାଜାହାଜ, ଟିକେଟ୍‌ କଟା ଏବଂ ଗମନାଗମନ ସେବା ସମ୍ବନ୍ଧୀୟ ସୂଚନାର ଉତ୍ସ ଭାବେ କାର୍ଯ୍ୟ କରେ।

ଏହାଛଡ଼ା, ଗଣମାଧ୍ୟମ ରିପୋର୍ଟରେ ଉଲ୍ଲେଖ ଥିଲା ଯେ, ଚୀନ୍‌ କେତେକ ଆକାଶମାର୍ଗ ପରିବହନ ନାଭିଚକ୍ର (ହବ୍‌) ପ୍ରାୟ ୫୦% ବିମାନ ବାତିଲ କରିଥିଲେ।

publive-image Image Courtesy of Zee News

‘ଦି ଇପୋକ୍‌ ଟାଇମ୍‌ସ୍‌’ ରିପୋର୍ଟରେ ଉଲ୍ଲେଖ ଅଛି, ‘ବେଜିଙ୍ଗ୍‌ କ୍ୟାପିଟାଲ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ ୬୬୨ଟି ବିମାନ ଉଡ଼ାଣ ବାତିଲ କରିବାରୁ ବାତିଲା ହାର ୬୦% ହୋଇଯାଇଥିଲା। ସେହିପରି, ‘ସାଙ୍ଘାଇ ପୁଡୋଙ୍ଗ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ ୬୫୨ ବିମାନ ଉଡ଼ାଣ ବାତିଲ କରିବାରୁ ବାତିଲ ହାର ୫୪% ହୋଇଯାଇଥିଲା। ତା’ସହ ‘ଶେନ୍‌ଝେନ୍‌ ବାଓଆନ୍‌ ବିମାନ ବନ୍ଦର’ ୫୪୨ଟି ବିମାନ ଉଡ଼ାଣ ବାତିଲ କରିବାରୁ ସମୁଦାୟ ବିମାନର ୫୧% ବିମାନ ଉଡ଼ାଣ ବାତିଲ ହୋଇଥିଲା।

ଦେଶର ପଶ୍ଚିମାଞ୍ଚଳରେ ଥିବା ‘ଗୁଇୟାଙ୍ଗ୍‌ ଲୋଙ୍ଗ୍‌ଦୋଙ୍ଗ୍ବାଓ’, ‘ଲାସା ଗୋଙ୍ଗା’ ଏବଂ ‘ଚେଙ୍ଗଡୁ ସିଆଙ୍ଗଫୁ’ ନାମରେ ୩ଟି ଚୀନା ବିମାନ ବନ୍ଦରରେ ବହୁସଂଖ୍ୟକ ବିମାନ ଉଡ଼ାଣ ବାତିଲ ହୋଇଥିଲା। ‘ଗୁଇୟାଙ୍ଗ୍‌ ଲୋଙ୍ଗ୍‌ଦୋଙ୍ଗ୍ବାଓ’ରେ ୫୩୯ ବା ୯୯%, ‘ଲାସା ଗୋଙ୍ଗା’ରେ ୧୫୭ ବା ୯୮% ଏବଂ ‘ଚେଙ୍ଗଡୁ ସିଆଙ୍ଗଫୁ’ରେ ୭୫୨ ବା ୮୭% ବିମାନ ଉଡ଼ାଣ ବାତିଲ ହୋଇଥିଲା। ଦେଶର ଅନ୍ୟାନ୍ୟ ବମାନ ବନ୍ଦରଗୁଡ଼ିକରେ ମଧ୍ୟ ଏମିତି ବିମାନ ଉଡ଼ାଣ ବାତିଲ ହୋଇଥିଲା।

‘ନେଟ୍‌ଇଜ୍‌’ ନାମରେ ଏକ ପ୍ରମୁଖ ଚୀନା ନିଉଜ୍‌ ପୋର୍ଟାଲ୍‌ ରିପୋର୍ଟ କରିଥିଲା ଯେ, ଏକାଧିକ ଚୀନା ପ୍ରଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧି ପାଇବାରୁ ବିମାନ ଉଡ଼ାଣ ବାତିଲ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe