ଆଇଫୋନ-୧୧ ବଦଳରେ ଡେଲିଭର କରିଥିଲେ ସାବୁନ, ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା

ଆଇଫୋନ-୧୧ ବଦଳରେ ଡେଲିଭର କରିଥିଲେ ସାବୁନ, ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା

ନୂଆଦିଲ୍ଲୀ: ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା। ଆଇଫୋନ-୧୧ ବଦଳରେ ସାବୁନ ଡେଲିଭର କରିଥିବାରୁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ଉପଭୋକ୍ତା କମିସନ। ଏହି ଜରିମାନା ଉଭୟ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ଲଗାଯାଇଛି। ସେବାର ଅଭାବ ତଥା ଅନୁଚିତ ବ୍ୟାବସାୟିକ ଅଭ୍ୟାସ ଏବଂ ଗ୍ରାହକଙ୍କୁ ମାନସିକ ଯନ୍ତ୍ରଣା ଓ ଶାରୀରିକ ନିର୍ଯାତନା ଦେଇଥିବାରୁ ଏହି ଦଣ୍ଡ ମିଳିଛି। ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀ ଆଇଫୋନ-୧୧ ପାଇଁ ନେଇଥିବା ଟଙ୍କା ସହ ୨୫ହଜାର ଟଙ୍କା ଦେବେ।

ମିଳିଥିବା ସୂଚନା ମୁତାବକ, କର୍ଣ୍ଣାଟକର ଜଣେ ଛାତ୍ର ହର୍ଷା ଏସ ୪୮,୯୯୯ଟଙ୍କା ଦେଇ ଫ୍ଲିପକାର୍ଟରୁ ଆଇଫୋନ-୧୧ ଅର୍ଡର କରିଥିଲେ। ଅର୍ଡର ଡେଲିଭର ହେବା ପରେ ପ୍ୟାକେଟ ଭିତରେ ୧୪୦ଗ୍ରାମର ସାବୁନ ଓ ଏକ ଛୋଟ ଫିଚର ଫୋନ୍ ଥିବା ଦେଖିଥିଲେ। ଏଥିପାଇଁ ସେ ରିଫଣ୍ଡ ମାଗିଥିଲେ ବି ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା। ରିଫଣ୍ଡ ନମିଳିବାରୁ ହର୍ଷା ଉପଭୋକ୍ତା କମିସନର ଦ୍ବାରସ୍ତ ହୋଇଥିଲେ। ହର୍ଷା ଫୋନ ପାଇଁ ଦେଇଥିବା ୪୮,୯୯୯ଟଙ୍କା ସହ କ୍ଷତିପୂରଣ ମଧ୍ୟ ଦେବାକୁ ଆବେଦନ କରିଥିଲେ।

ହର୍ଷାଙ୍କ ଆବେଦନ ଉପରେ ଶୁଣାଣି କରି ଉପଭୋକ୍ତା କମିସନ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ଫୋନ ପାଇଁ ନେଇଥିବା ୪୮,୯୯୯ଟଙ୍କା ସହ ଜରିମାନା ଆକାରରେ ୨୫ହଜାର ଦେବାକୁ କହିଛନ୍ତି।

ଉପଭୋକ୍ତା କମିସନ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ଲୋକେ ଅନଲାଇନ ସପିଂ କରିବାକୁ ପସନ୍ଦ କରୁଛନ୍ତି, କାରଣ ଏହା ସମୟ ଓ ଅର୍ଥ ବଞ୍ଚାଉଛି। ଏଭଳି ସ୍ଥିତିରେ ପ୍ରଡକ୍ଟ ଡେଲିଭର କରିବା ପରେ ଇ-କମର୍ସ କମ୍ପାନିମାନଙ୍କର ଦାୟିତ୍ବ ଶେଷ ହେବା ଉଚିତ୍ ନୁହେଁ।ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବା କମ୍ପାନିର ଦାୟିତ୍ବ। ଟଙ୍କା ନେବା ପରେ ଭୁଲ ଜିନିଷ ଦେଇ ଗ୍ରାହକଙ୍କୁ ଠକିବା ଆଦୌ ଗ୍ରହଣୀୟ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe