The New Indian Express
ଗୌହାଟୀ : ସିକିମର ମଙ୍ଗନ ଜିଲ୍ଲାରେ ବାଦଲଫଟା ବର୍ଷା ଓ ବନ୍ୟା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବୁଧବାର ରାତିରେ ଏଠାରେ ୨୨୦.୧ ମିଲିମିଟରରୁ ଅଧିକ ବର୍ଷା ହୋଇଥିଲା। ରାଜ୍ୟ ପର୍ଯ୍ୟଟନ ବିଭାଗ ର ସୂଚନା ଅନୁଯାୟୀ, ମଙ୍ଗନ ସହରଠାରୁ ପ୍ରାୟ ୫୦ କିଲୋମିଟର ଦୂର ଲାଚୁଙ୍ଗ ଗାଁରେ ୧୨୦୦ରୁ ଅଧିକ ଦେଶୀ ପର୍ଯ୍ୟଟକ ଓ ୧୫ ଜଣ ବିଦେଶୀ ନାଗରିକ ଫସି ରହିଛନ୍ତି। ବିଦେଶୀ ନାଗରିକଙ୍କ ମଧ୍ୟରେ ବାଂଲାଦେଶର ୧୦, ନେପାଳର ୩ ଓ ଥାଇଲାଣ୍ଡର ୨ ଜଣ ଅଛନ୍ତି।
ପାଗ ସ୍ପଷ୍ଟ ଥିବା ବେଳେ ଫସି ରହିଥିବା ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବା ପାଇଁ ମୁଖ୍ୟ ଶାସନ ସଚିବ ଭିବି ପାଠକ କେନ୍ଦ୍ର ସହ ଆଲୋଚନା ଆରମ୍ଭ କରିଛନ୍ତି। ବିକଳ୍ପ ଭାବେ ସେମାନଙ୍କୁ ସଡ଼କ ପଥରେ ସ୍ଥାନାନ୍ତର କରାଯିବ। ତେବେ ଯୋଗାଯୋଗ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଏକ ସପ୍ତାହ ସମୟ ଲାଗିପାରେ।
ଲାଚୁଙ୍ଗରେ ଫସି ରହିଥିବା ପର୍ଯ୍ୟଟକଙ୍କୁ ସ୍ଥାନାନ୍ତର ସମ୍ପର୍କରେ ମୁଖ୍ୟ ଶାସନ ସଚିବ କହିଛନ୍ତି, ଭୂସ୍ଖଳନ ଯୋଗୁଁ ରାସ୍ତାର ୬ରୁ ୭ଟି ସ୍ଥାନରେ ଅସୁବିଧାର ସମ୍ମୁଖୀନ ହେଉଛୁ। ସୀମା ସଡ଼କ ସଂଗଠନ ଓ ରାଜ୍ୟ ପିଡବ୍ଲ୍ୟୁଡି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି, ରାସ୍ତା ପୁନରୁଦ୍ଧାର ପାଇଁ ଆମକୁ ପ୍ରାୟ ୫ରୁ ୭ ଦିନ ସମୟ ଲାଗିବ। ତେଣୁ ପାଣିପାଗ କୁ ଦୃଷ୍ଟିରେ ରଖି ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ବାୟୁସେନାହେଲିକପ୍ଟର ମାଗିଛନ୍ତି।
Follow Us