ଲକ୍ଷ୍ନୌ: ଗଙ୍ଗା ଉଛୁଳିଲା, ଫୁଲିଲା, ବନ୍ୟା ଆଣିଲା ଆଉ ବେଉସା ଛଡ଼େଇନେଲା । ଘାଟରେ ଡଙ୍ଗା ବନ୍ଧାହେଲା, ଘରେ ଜୁଆନ ପୁଅ ରହିଲା, ରୋଜଗାରିଆ ବାପା ଅଟକି ରହିଲା..ଜୀବିକା ଅଟକିଗଲା । ନା ଚୁଲି ଜଳିଲା, ନା ପେଟ ପୂରିଲା । ଡଙ୍ଗା ଚାଲିଲେ ତ ଚୁଲି ଜଳିବ, ଡଙ୍ଗା ଚାଲିଲେ ତ ଘର ଚଳିବ, ଡଙ୍ଗା ଚାଲିଲେ ତ ରୋଗୀଣା ମାଆର ଔଷଧ କିଣା ହେବ ? ଏବେ ଡଙ୍ଗାକୁ ଚାଲିବା ମନା, ଆଉ ଡଙ୍ଗା ନଚାଲିଲେ ଘର କେମିତି ଚଳିବ ?

Advertisment

ହଁ ଆଜ୍ଞା- ନଦୀ ପାଇଁ ବି କେବେ କେବେ ନିଗିଡ଼ି ପଡ଼େ ଆଖିର ଲୁହ । ନଦୀ ସୁଖ ଦିଏ, ଶାନ୍ତି ଦିଏ କେବେ ପୁଣି ଦୁଃଖ ଦିଏ ଲୁହ ବି ଦିଏ । ସେହି ଗଙ୍ଗା ପବିତ୍ରତାର ପ୍ରତୀକ ସାଜିଥିବା ବେଳେ ଏବେ ଦୁଃଖର କାରଣ ସାଜିଛି । ଗଙ୍ଗା ନଦୀରେ ବନ୍ୟାରେ ଉତ୍ତରପ୍ରଦେଶ ଉବୁଟୁବୁ ହେଉଥିବା ବେଳେ ପ୍ରୟାଗରାଜରେ ପୂରା ସ୍ଥିତି ସଙ୍ଗୀନ ହୋଇପଡିଛି । 

ଆଉ ଏତିକି ବେଳେ ଦୁଃଖର କାହାଣୀ ବଖାଣିଛନ୍ତି ଡଙ୍ଗା ଚାଳକ । ବାରଣାସୀରେ ଡଙ୍ଗା ଚଳାଉଥିବା ସୁରେଶ କୁହନ୍ତି- ଡଙ୍ଗା ବନ୍ଦ ଥିବାରୁ ଆମେ ବହୁତ କଷ୍ଟରେ ଚଳୁଛୁ । ୧୫ରୁ ୨୦ ଦିନ ହେବ ଡଙ୍ଗା ବନ୍ଦ ଅଛି । ବନ୍ୟା ପାଇଁ ଡଙ୍ଗା ଚଳାଇବା ଉପରେ କଟକଣା ଗଲାଯାଇଛି । ଡଙ୍ଗା ବନ୍ଦ ଥିବାରୁ ଘର ଚଳାଇବା କଷ୍ଟ ହେଉଛି । ସରକାର, ପ୍ରଶାସନ ଆମକୁ କିଛି ସାହାଯ୍ୟ କରୁ ନାହାନ୍ତି । ଥରେ ଦେଖିବାକୁ ବି ଆସୁ ନାହାନ୍ତି ଆମେ କେମିତି ଅଛୁ ବୋଲି ।

ଅନ୍ୟ ଜଣେ ଡଙ୍ଗା ଚାଳକ ବୁଲୁ କୁହନ୍ତି- ବନ୍ୟା ଆସିଲେ ଡଙ୍ଗା ବନ୍ଦ ହେଇଯାଏ । ଆଉ ଏହି କଟକଣା ଲକ୍ଷ ଲକ୍ଷ ଡଙ୍ଗା ଚାଳକଙ୍କ ପରିବାର ପେଟରେ ଲାତ ମାରେ । ଘର ଚଳିବା ବନ୍ଦ ହୋଇଯାଏ । ଡଙ୍ଗା ଚଳାଇ କିଏ ଘର ଚଳାଏ, କିଏ ପିଲାର ସ୍କୁଲ ଫି ଦିଅ, କିଏ ପୁଣି ରୋଗୀଣା ମାଆର ଔଷଧ କିଣେ । ଯାହା ରଖିଥିଲୁ ସବୁ ସରିବାକୁ ବସିଲାଣି । ଏବେ କରଜ କରି ଘର ଚଳାଉଛୁ, ପେଟ ପୋଷୁଛୁ । କିଛି ଲୋକ ତ ନିଜ ଘରର ବାସନ କୁସନ ବିକି ଖାଦ୍ୟ କିଣୁଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଏ ଯାଏଁ ପ୍ରଶାସନ, ସରକାର କିମ୍ବା ନେତାଙ୍କର ଦେଖା ଦର୍ଶନ ନାହିଁ ।

ଅଧିକ ପଢନ୍ତୁ-

ଗଙ୍ଗା-ଯମୁନାର ଯାତନା: ୭୦ ହଜାର ଲୋକ ବାସହୀନ, ୫ ଲକ୍ଷ ଲୋକ ବନ୍ୟା ପ୍ରଭାବିତ