ଭାରତର କୃଷି ଅଞ୍ଚଳରେ ବନ୍ୟା ଓ ନିଅଣ୍ଟିଆ ବର୍ଷା ବିପଦ ବଢ଼ାଇଛି

ଭାରତର କୃଷି ଉତ୍ପାଦନକାରୀ ଅଞ୍ଚଳଗୁଡ଼ିକ ମିଶ୍ରିତ ବୃଷ୍ଟିପାତର ସମ୍ମୁଖୀନ ହେଉଛନ୍ତି। କେତେକ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନ୍ୟ କେତେକ ଅଞ୍ଚଳରେ...

Untitled-22

ନୂଆଦିଲ୍ଲୀ: ଭାରତର କୃଷି ଉତ୍ପାଦନକାରୀ ଅଞ୍ଚଳଗୁଡ଼ିକ ମିଶ୍ରିତ ବୃଷ୍ଟିପାତର ସମ୍ମୁଖୀନ ହେଉଛନ୍ତି। କେତେକ ଅଞ୍ଚଳରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଅନ୍ୟ କେତେକ ଅଞ୍ଚଳରେ ବୃଷ୍ଟିପାତର ଅଭାବ ରହିଛି, ଯାହା ଖାଦ୍ୟ ମୁଦ୍ରାସ୍ଫୀତି ଆଶଙ୍କା ବଢ଼ାଉଛି ବୋଲି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ସାମଗ୍ରିକ ବୃଷ୍ଟିପାତ ୭ ପ୍ରତିଶତ ବଳକା ଥିବା ବେଳେ ବିଭିନ୍ନ ଅଞ୍ଚଳ ମଧ୍ୟରେ ପାର୍ଥକ୍ୟ ଏକ ଆହ୍ବାନ ହୋଇ ରହିଛି।

ଉତ୍ତର-ପଶ୍ଚିମ ଭାରତର ପ୍ରମୁଖ କୃଷି ରାଜ୍ୟଗୁଡିକ ଚଳିତ ବର୍ଷ ମିଶ୍ରିତ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ରାଜସ୍ଥାନ, ପଞ୍ଜାବ ଓ ହରିୟାଣା ପରି କେତେକ ରାଜ୍ୟ ବନ୍ୟା ପରିସ୍ଥିତି ସହିତ ସଂଘର୍ଷ କରୁଛନ୍ତି, ଯେତେବେଳେ କି ଉତ୍ତରପ୍ରଦେଶରେ ବର୍ଷାଭାବ ଦେଖାଦେଇଛି। ୧ ଜୁନ୍ ୨୦୨୫ରୁ ୨୨ ସେପ୍ଟେମ୍ବର ୨୦୨୫ ମଧ୍ୟରେ ହୋଇଥିବା ସମୁଦାୟ ବୃଷ୍ଟିପାତ ଦୀର୍ଘକାଳୀନ ହାରାହାରିଠାରୁ ୭ ପ୍ରତିଶତ ଅଧିକ ଥିଲା, ଯାହା ୨୦୨୪ର ସମାନ ଅବଧିରେ ୫ ପ୍ରତିଶତ ବଳକା ଥିଲା। ତେବେ ବର୍ଷାର ଅସମାନ  ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ଚିନ୍ତାର ବିଷୟ ଭାବେ ଉଭା ହୋଇଛି। ଉତ୍ତର-ପଶ୍ଚିମ ଅଞ୍ଚଳରେ ଗତ ବର୍ଷ ୬ ପ୍ରତିଶତ ତୁଳନାରେ ୩୧ ପ୍ରତିଶତ ଅଧିକ ବର୍ଷା ହୋଇଛି। ଏହି ଅଞ୍ଚଳ ମଧ୍ୟରେ ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ଭଳି ରାଜ୍ୟ ଅଛନ୍ତି, ଯାହା ଫସଲ ଉପରେ ଗୁରୁତର ପ୍ରଭାବ ପକାଉଛି। ଅନ୍ୟପକ୍ଷରେ ପୂର୍ବାଞ୍ଚଳରେ ୧୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଦକ୍ଷିଣ ଭାରତରେ ୯ ପ୍ରତିଶତ ବଳକା ବର୍ଷା ହୋଇଛି, ଯାହା ଗତ ବର୍ଷ ରେକର୍ଡ ହୋଇଥିବା ୧୫ ପ୍ରତିଶତ ବଳକା ତୁଳନାରେ କମ୍। ପ୍ରମୁଖ କୃଷି ଉତ୍ପାଦନକାରୀ ରାଜ୍ୟଗୁଡ଼ିକ ବିଭିନ୍ନ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି। ରାଜସ୍ଥାନ, ପଞ୍ଜାବ ଓ ହରିୟାଣାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଉତ୍ତରପ୍ରଦେଶରେ ୪ ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। ଗୁଜରାଟ, ତେଲେଙ୍ଗାନା, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଭଲ ବଳକା ବର୍ଷା ପରିଲକ୍ଷିତ ହୋଇଛି, ଯାହା ଫସଲ ସମ୍ଭାବନାକୁ ମଜବୁତ କରିଛି। ଅନ୍ୟପକ୍ଷରେ ଛତିଶଗଡ଼, ଉତ୍ତରପ୍ରଦେଶ  ଓ ବିହାର ଭଳି ରାଜ୍ୟରେ ଏବେ ବି ବର୍ଷାର ଅଭାବ ରହିଛି। ବିଶେଷ କରି ବିହାରରେ ଗତ ବର୍ଷ ତୁଳନାରେ ୨୮ ପ୍ରତିଶତ ନିଅଣ୍ଟ ରହିଛି। ଉପଭୋକ୍ତା ବ୍ୟାପାର ବିଭାଗର ତଥ୍ୟରୁ ଜଣାପଡିଛି ଯେ, ଅଗଷ୍ଟରେ ପନିପରିବା, ଡାଲି ଓ ମସଲାର ମୂଲ୍ୟ ମଧ୍ୟମ ଥିବା ବେଳେ ଶସ୍ୟ, ଚିନି, କ୍ଷୀର, ସୋରିଷ ତେଲ, ସୋୟା ତେଲ ଓ ସୂର୍ଯ୍ୟମୁଖୀ ତେଲ ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe