ନୂଆଦିଲ୍ଲୀ: ପୁଣି ବିଜେପିକୁ ଟାର୍ଗେଟ କଲେ ଅଖିଳ ଭାରତୀୟ ମଜଲିସ-ଏ-ଇତେହାଦୁଲ ମୁସଲିମିନ (ଏଆଇଏମଆଇଏମ) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ ଓୱେସୀ। ଉତ୍ତରପ୍ରଦେଶର ବିଜେପି ନେତୃତ୍ୱାଧୀନ ସରକାର ଧର୍ମକୁ ନେଇ ଭେଦଭାବ କରୁଥିବାର ଅଭିଯୋଗ କରିଛନ୍ତି ଓୱେସୀ। କାଉଡ଼ିଆମାନଙ୍କ ଉପରେ ଫୁଲ ବର୍ଷା କରି ସେମାନଙ୍କ ସ୍ୱାଗତ କରାଯାଉଥିବା ବେଳେ ବୁଲଡୋଜର ଚଢ଼ାଇ ମୁସଲମାନମାନଙ୍କ ଘର ଭାଙ୍ଗି ଦିଆଯାଉଥିବା କହିଛନ୍ତି ଓୱେସୀ।
ସଂସଦ ବାହାରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଓୱେସୀ କହିଛନ୍ତି ଯେ, "ହେଲିକପ୍ଟର ସାହାଯ୍ୟରେ ଫୁଲ ବର୍ଷା କରିବା ପାଇଁ ଆପଣ ଟିକସଦାତାଙ୍କ ଟଙ୍କା ବ୍ୟବହାର କରୁଛନ୍ତି, ବହୁତ ଭଲ। ଆମେ କେବଳ ଏତିକି ଚାହୁଁଛୁ ଯେ, ଆମ ସହ ମଧ୍ୟ ସମାନ ବ୍ୟବହାର କରାଯାଉ। ଯଦି ଆପଣ ସେମାନଙ୍କ ଉପରେ ଫୁଲ ବର୍ଷା କରୁଛନ୍ତି, ଅନ୍ତତଃପକ୍ଷେ ଆମ ଘର ଭାଙ୍ଗନ୍ତୁ ନାହିଁ। "
ଏକ ଭିଜୁଆଲ୍ ଭାଇରାଲ ହେବା ପରେ ଅସଦୁଦ୍ଦିନ ଓୱେସୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଭାଇରାଲ ଭିଡିଓରେ ମିରଟ ପୁଲିସ୍ ମୁଖ୍ୟ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କାଉଡ଼ିଆଙ୍କୁ ପୁଷ୍ପମାଲ୍ୟ ଦେଉଥିବାର ନଜର ଆସିଛନ୍ତି। ଏହା ସହ ହାପୁରର ଏକ ଜଣେ ପୁଲିସ୍ ଇନ୍ସପେକ୍ଟର କାଉଡ଼ିଆଙ୍କ ପାଦରେ ଯନ୍ତ୍ରଣାରୁ ମୁକ୍ତି ଦେବା ପାଇଁ ଏକ ସ୍ପ୍ରେ ମାରୁଥିବା ଦେଖାଯାଇଛି।
ଏହି ଭିଡିଓ ଭାଇରାଲ ହେବା ପରେ ଓୱେସୀ କହିଛନ୍ତି ଯେ, ଏହା ଭଲ ଯେ ଆପଣ ତାଙ୍କ ପାଦକୁ ମାଲିସ୍ କରୁଛନ୍ତି, କିନ୍ତୁ ତା’ପରେ ଆପଣ ଜଣେ ମୁସଲମାନ ଯୁବକଙ୍କୁ ସହାରନପୁରକୁ ନେଇ ମାଡ ମାରିଛନ୍ତି। ଭେଦଭାବ କରନ୍ତୁ ନାହିଁ। ସମ୍ବିଧାନ ଏହାକୁ ଅନୁମତି ଦିଏ ନାହିଁ।
Follow Us