ସାରା ବିଶ୍ବରେ ଖାଦ୍ୟଶସ୍ୟ ମହଙ୍ଗା

Advertisment
ମିଲର୍ସଙ୍କଠାରୁ ମାତ୍ରାଧିକ ଭିଟାମିନ ଚାଉଳ କ୍ରୟ: ନିଲମ୍ବିତ ହୋଇପାରନ୍ତି ବରଗଡ଼ ମୁଖ୍ୟ ସିଏସଓ

ନୂଆଦିଲ୍ଲୀ: ଅମଳକୁ ନେଇ ଚିନ୍ତା ଜାରି ରହିଥିବାରୁ ସମଗ୍ର ବିଶ୍ବରେ ଖାଦ୍ୟ ସାମଗ୍ରୀ ଦାମ୍‌ ଦଶନ୍ଧିର ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି। ଏହା ଅନ୍ୟାନ୍ୟ ସାମଗ୍ରୀର ଦରଦାମ୍‌ ସ୍ଥିତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଗତ ଦୁଇ ମାସ ଦାମ୍ କମ୍ ରହିବା ପରେ ଅଗଷ୍ଟରେ ଖାଦ୍ୟ ସାମଗ୍ରୀ ଦାମ୍ ୩.୧% ବଢ଼ିଛି ବୋଲି ଜାତିସଂଘର ତଥ୍ୟରୁ ଜଣାପଡ଼ିଛି। ଆଶା ଠାରୁ କମ୍ ଖାଦ୍ୟଶସ୍ୟ ଅମଳ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବ୍ରାଜିଲ୍‌ରେ ଆଖୁ ଚାଷ ଗୁରୁତର ଭାବେ ପ୍ରଭାବିତ ହୋଇଥିବା ବେଳେ ତୈଳବୀଜ ଯୋଗାଣ ମଧ୍ୟ ହ୍ରାସ ପାଇଛି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍ଏଓ) ପକ୍ଷରୁ କୁହାଯାଇଛି।

ଗତ ଏକ ବର୍ଷ ଭିତରେ ସାରା ବିଶ୍ବରେ ଖାଦ୍ୟ ସାମଗ୍ରୀ ଦାମ୍ ୩୩% ବୃଦ୍ଧି ପାଇଛି। ଏହା ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଓ ସାଧାରଣ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ବିଶେ‌ଷ କରି ଅଧିକ ଗରିବ ଥିବା ଦେଶ ଓ ଆମଦାନି ଉପରେ ନିର୍ଭରଶୀଳ ଥିବା ଦେଶଗୁଡ଼ିକ ବେଶ ଚିନ୍ତିତ ହୋଇପଡ଼ିଛନ୍ତି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଶ୍ରମ ଶକ୍ତିର ଅଭାବ ଦେଖାଦେବା ଏବଂ ପରିବହନ ଖର୍ଚ୍ଚରେ ବୃଦ୍ଧି ଯୋଗୁଁ ଖାଦ୍ୟ ଯୋଗାଣ ଶୃଙ୍ଖଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆସନ୍ତା ମାସରେ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ବହୁତ କମ୍ ବୋଲି ଏଫ୍‌ଏଓର ବରିଷ୍ଠ ଅର୍ଥନୀତିଜ୍ଞ ଆବ୍‌ଡୋଲ୍‌ରେଜା ଆବାସିଆନ୍ କହିଛନ୍ତି। ସେ କହିଛନ୍ତି ଯେ ଦରଦାମ୍ ବୃଦ୍ଧି ହେଲେ ଚାଷୀ ଏବଂ ଉତ୍ପାଦନକାରୀ ନେଉଥିବା ପଦକ୍ଷେପ ଦ୍ବାରା ତାହାର ସମାଧାନ ହୋଇଥାଏ। ଏଥର କିନ୍ତୁ ପାଣିପାଗ ମଧ୍ୟ ଏହାର ଭୂମିକା ନିର୍ବାହ କରୁଛି। ଉତ୍ତର ଆମେରିକାରେ ମରୁଡ଼ି ଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ ରୁଷିଆ ଭଳି ବଡ଼ ଧରଣର କୃଷିଜାତ ସାମଗ୍ରୀ ଉତ୍ପାଦନକାରୀ ଦେଶଗୁଡ଼ିକରେ ପାଣିପାଣ ଦୁର୍ବଳ ରହିଛି, ସେଥିପାଇଁ ଗହମ ଉତ୍ପାଦନ ହ୍ରାସ ପାଇବ ବୋଲି ଏଫ୍‌ଏଓ ଆକଳନ କରିଛି। କାନାଡାରେ ଖାଦ୍ୟ ଭଣ୍ଡାର ଗତ ଚାରି ଦଶନ୍ଧିରେ ସର୍ବନିମ୍ନ ସ୍ତରକୁ ହ୍ରାସ ପାଇବ ବୋଲି ଏହା ଆକଳନ କରିଛି।

ଏଫ୍‌ଏଓ ତଥ୍ୟ ଅନୁଯାୟୀ, ଖାଦ୍ୟଶସ୍ୟ ସୂଚୀରେ ମେ’ ମାସ ତୁଳନାରେ ଅଗଷ୍ଟରେ ୩.୪ ପ୍ରତିଶତ ବୃଦ୍ଧି ହୋଇଛି। ପନିପରିବା ତେଲ ମୂଲ୍ୟ ୬.୭% ବଢ଼ିଥିବା ବେଳେ ଚିନି ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି। ପାଣିପାଗ ଏବେ ସବୁଠୁ ବଡ଼ ଭୂମିକା ନିର୍ବାହ କରୁଛି। ଏହା ସତ୍ତ୍ବେ ଆମେରିକା ସରକାର ଜାରି କରୁଥିବା ସାପ୍ତାହିକ ତଥ୍ୟ ଉପରେ ଏଫ୍ଏଓ ନଜର ରଖିଛି। ଆଗାମୀ ଦିନରେ ଖାଦ୍ୟଶସ୍ୟ ସ୍ଥିତି କିଭଳି ରହିବ ସେହି ତଥ୍ୟକୁ ବିଚାରକୁ ନେବା ପରେ ଆକଳନ କରାଯାଇପାରିବ। ଆସନ୍ତା ଋତୁରେ ଭଲ ବର୍ଷା ହେଉ ବୋଲି ଶ୍ରୀ ଆବାସିଆନ ଆଶାବ୍ୟକ୍ତ କରିଛନ୍ତି। ସେଥିରେ ଯଦି କିଛି ବ୍ୟତିକ୍ରମ ଘଟେ ତେବେ ଲୋକମାନଙ୍କୁ ଚଢ଼ା ଦାମ୍‌ରେ ହିଁ ଖାଦ୍ୟଶସ୍ୟ କିଣିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe