The Frontier Post
ମୁମ୍ବାଇ : ମହାରାଷ୍ଟ୍ରର ବିରାରସ୍ଥିତ ଏକ ଘରୋଇ ବ୍ୟାଙ୍କର ମ୍ୟାନେଜରଙ୍କୁ ପୂର୍ବତନ ମ୍ୟାନେଜର ହତ୍ୟା କରିଛନ୍ତି। ଗୁରୁବାର ରାତିରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ବ୍ୟାଙ୍କ ଲୁଟ୍ କରିବା ପାଇଁ ପଶିଥିଲେ ଏବଂ ମହିଳା ଅଧିକାରୀଙ୍କୁ ଧାରୁଆ ଛୁରିରେ ହତ୍ୟା କରିଥିଲେ। ତାଙ୍କୁ ବାଧା ଦେବାକୁ ଯାଇ ବ୍ୟାଙ୍କର ଅନ୍ୟଜଣେ ମହିଳା କର୍ମଚାରୀ ଆହତ ହୋଇଛନ୍ତି। ବିରାରସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ବାଲି ଶାଖାରେ ଏହି ଅଘଟଣ ଘଟିଛି।
ପୁଲିସ ସୂଚନାନୁଯାୟୀ, ଘଟଣା ସମୟରେ (ରାତି ସାଢ଼େ ୮ଟା) ବ୍ୟାଙ୍କରେ ଆସିଷ୍ଟାଣ୍ଟ ମ୍ୟାନେଜର ୟୋଗିତା ବର୍ତକ ଏବଂ କ୍ୟାସିୟର ଶ୍ରଦ୍ଧା କାମ କରୁଥିଲେ। ଏହି ସମୟରେ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଅନିଲ ଦୁବେ ଏବଂ ଅନ୍ୟଜଣେ ବ୍ୟାଙ୍କ ଭିତରକୁ ପଶି କ୍ୟାସ୍ର ଚାବି ଏବଂ ନଗଦ ଟଙ୍କା ଦେବାକୁ ଧମକାଇଥିଲେ। ସେମାନେ ପାଟି କରିବାରୁ ତାଙ୍କୁ ଛୁରି ମାରି ପଳାଇଥିଲେ। ସେଠାରେ ଥିବା କିଛି ଲୋକ ସେମାନଙ୍କ ପିଛା କରି ଦୁବେଙ୍କୁ କାବୁ କରି ନେଇଥିବାବେଳେ ତାଙ୍କ ସହଯୋଗୀ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ୟୋଗିତାଏବଂ ଶ୍ରଦ୍ଧାଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ଡାକ୍ତର ୟୋଗିତାଙ୍କୁ ମୃତ ଘୋଷଣା କରିଥିଲେ। ସଙ୍କଟାପନ୍ନ ଶ୍ରଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ହତ୍ୟାକାଣ୍ଡ ଘଟାଇଥିବା ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଅନିଲ ଦୁବେଙ୍କୁ ପୁଲିସ ଗିରଫ କରିଛି। କୋଟିଏ ଟଙ୍କା ଋଣ ଶୁଝିବା ପାଇଁ ସେ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ କରିଥିବା ସ୍ବୀକାର କରିଛନ୍ତି।
Follow Us