Telegraph India
ମୁମ୍ବାଇ: ମୁକେଶ ଅମ୍ବାନିଙ୍କ ଝିଆ ଇଶା ଅମ୍ବାନି ଏବଂ ପୂର୍ବତନ ସିଏଜି ରାଜୀବ ମହର୍ଷିଙ୍କୁ ମୁକେଶ ଅମ୍ବାନିଙ୍କ ଆର୍ଥିକ ଶାଖା କମ୍ପାନିରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପୂର୍ବରୁ ରିଲାଏନ୍ସ ଏହାର ଆର୍ଥିକ ସେବା ଶାଖାକୁ ରିଲାଏନ୍ସ ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟସ ଲିମିଟେଡ (ଆରଏସଆଇଏଲ) ନାମରେ ପୃଥକ କରିବ ଏବଂ ପରେ ତାହାକୁ ଜିଓ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ (ଜେଏଫଏସଏଲ) ନାମରେ ତାଲିକାଭୁକ୍ତ କରିବ। ଉକ୍ତ କମ୍ପାନି ଗ୍ରାହକଙ୍କୁ ଋଣ ପ୍ରଦାନ କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ବୀମା, ପେମେଣ୍ଟ, ଡିଜିଟାଲ ବ୍ରୋକିଂ ଏବଂ ଆସେଟ ପରିଚାଳନା ଆଦି କ୍ଷେତ୍ରକୁ ପରିବ୍ୟାପ୍ତ ହେବ। ନୂଆ କମ୍ପାନିର ସେୟାର ଆବଣ୍ଟନ ପାଇଁ ଜୁଲାଇ ୨୦କୁ ରେକର୍ଡ ତାରିଖ ଭାବେ ସ୍ଥିର କରାଯାଇଛି। କମ୍ପାନି ଷ୍ଟକ ଏକ୍ସଚେଞ୍ଜକୁ ଏ ନେଇ ସୂଚନା ଦେଇଛି। କ୍ୟାପିଟାଲ ବା ପୁଞ୍ଜି ଦୃଷ୍ଟିରୁ ରିଲାଏନ୍ସର ଏହି ନୂଆ କମ୍ପାନି ପଞ୍ଚମ ବୃହତ୍ ଫାଇନାନ୍ସର ହେବ। ଏଥିସହିତ ପେଟିଏମ୍, ବଜାଜ ଫାଇନାନ୍ସ କମ୍ପାନି ସହିତ ଏହା ସିଧାସଳଖ ପ୍ରତିଯୋଗିତା କରିବ।
ଗତକାଲି ଅନୁଷ୍ଠିତ କମ୍ପାନିର ବୋର୍ଡ ବୈଠକରେ ନୂଆ ନିର୍ଦ୍ଦେଶକମାନଙ୍କ ନିଯୁକ୍ତିକୁ ମଞ୍ଜୁରି ଦିଆଯାଇଛି। ଇଶା ଅମ୍ବାନି ଓ ଅଂଶୁମାନ ଠାକୁରଙ୍କୁ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଭାବେ ନିଯୁକ୍ତି ମିଳିଥିବାବେଳେ ରାଜୀବ ମହର୍ଷିଙ୍କୁ ଆରଏସଆଇଏଲର ସ୍ବାଧୀନ ନିର୍ଦ୍ଦେଶକଭାବେ ୫ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଛି। ସେହିଭଳି ଆଇବିଏର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହେଟ୍ଟା, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବିମଳ ମନୁ ତନ୍ନାଙ୍କୁ ସ୍ବାଧୀନ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ତେବେ ଏମାନଙ୍କ ନିଯୁକ୍ତି ଉପରେ ଆରଏସଆଇଏଲର ସଦସ୍ୟଙ୍କ ଅନୁମତି ଏବଂ ରିଜର୍ଭ ବ୍ୟାଙ୍କର ମୋହର ଆବଶ୍ୟକ ।
Follow Us