ଗୁଳି ଚୋଟରେ ଆହତ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ

Advertisment
ଗୁଳି ଚୋଟରେ ଆହତ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ

Image Courtesy of Mint

ନରା (ଜାପାନ): ହତ୍ୟା ଉଦ୍ୟମ ବୋଲି ମନେହେଉଥିବା ଆକ୍ରମଣରେ ଆହତ ହେବା ପରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅତି ସଙ୍କଟଜନକ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ସେ ‘କାର୍ଡିଓପଲ୍‌ମୋନାରି ଆରେଷ୍ଟ୍‌’ ଅବସ୍ଥାରେ ଅଛନ୍ତି (ଅର୍ଥାତ୍‌ ତାଙ୍କର ହୃତ୍‌ପିଣ୍ଡ ଠିକ୍‌ରୂପେ କାମ କରୁନାହିଁ) ବୋଲି ଟୋକିଓର ପୂର୍ବତନ ଗଭର୍ଣ୍ଣର୍‌ ୟୋଇଚି ମାସୁଜୋ ଟୁଇଟ୍‌ କରି ଲେଖିଛନ୍ତି। ଔପଚାରିକ ଭାବେ କାହାର ମୃତ୍ୟୁ ଘୋଷଣା ପୂର୍ବରୁ ଜାପାନରେ ଏଭଳି କୁହାଯାଇଥାଏ।

publive-image Image Courtesy of The Indian Express

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଭିଡିଓରୁ ଜଣାପଡୁଛି, ଶିଞ୍ଜୋ ଆବେଙ୍କ ଉପରକୁ ୨ ଥର ଗୁଳି ମରାଯାଇଛି। ଆଜି ‘ୟାମାତୋ ସାଇଡାଇଜି ଷ୍ଟେସନ୍‌’ ସମ୍ମୁଖରେ ଆବେ ଏକ ନିର୍ବାଚନୀ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବ‌େଳେ ସ୍ଥାନୀୟ ସମୟ ପୂର୍ବାହ୍ନ ୧୧.୩୦ ବେଳେ ଆକ୍ରମଣର ସରବ୍ୟ ହୋଇଥିଲେ। ଆକ୍ରମଣ ଘଟଣା ଦେଖିଥିବା ଜଣେ ହାଇସ୍କୁଲ୍‌ ଛାତ୍ରୀ ଗଣମାଧ୍ୟମ ‘ଏନ୍‌ଏଚ୍‌କୁ’ କହିଛନ୍ତି ଯେ, ପଛପଟୁ ଜଣେ ଲୋକ ଆସି ଦୁଇ ଥର ଗୁଳି ଚଳାଇଲେ। ପ୍ରଥମ ଗୁଳି ଫୁଟିବା ଶବ୍ଦ ଗୋଟାଏ‌ ଖେଳନା ‘ବାଜୁକା’ (ରକେଟ୍‌ ଲଞ୍ଚର୍‌) ଭଳି ଶବ୍ଦ କଲା। ପ୍ରଥମ ଗୁଳି ମାରିବା ପରେ ଉକ୍ତ ବ୍ୟକ୍ତିଜଣକ ପଛକୁ ଫେରିଯାଇଥିଲେ। ତା’ପରେ ଆକ୍ରମଣକାରୀ ଦ୍ବିତୀୟ ଗୁଳି ଚଳାଇଥିଲେ ଏବଂ ସେଠାରେ ବହୁ ପରିମାଣର ଧଳା ଧୂଆଁ ଉଠିଲା।

‘ଏନ୍‌ଏଚ୍‌କେ’ ରିପୋର୍ଟ ଅନୁସାରେ, ତୁରନ୍ତ ଏକ ମେଡିକାଲ୍‌ ହେଲିକପ୍ଟର୍‌ରେ ଆବେଙ୍କୁ ଦକ୍ଷିଣ କେନ୍ଦ୍ରୀୟ ନରାରେ ଥିବା କାଶିହାରା ନଗରୀର ‘ନରା ମେଡିକାଲ୍‌ ୟୁନିଭର୍ସିଟି’କୁ ସ୍ଥାନାନ୍ତର କରାଯାଇଥିଲା।

ଗିରଫ ହୋଇଥିବା ସନ୍ଦିଗ୍ଧ ଆକ୍ରମଣକାରୀ ହେଉଛନ୍ତି ନରା ସହରନିବାସୀ ୪୧ ବର୍ଷିୟ ସେସୁୟା ୟାମାଗାମି।

‘ବିବିସି’ ରିପୋର୍ଟ ଅନୁସାରେ, ଆବେଙ୍କୁ ଦୁଇଥର ଗୁଳି ମରାଯାଇଥିଲା। ତାଙ୍କ ପଛରେ ବାଜିଥିବା ଦ୍ବିତୀୟ ଗୁଳିଚୋଟ ଯୋଗୁଁ ସେ ତଳେ ପଡ଼ିଯାଇଥିଲେ।

ଆବେଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପାଇବା ପରେ ବିଶ୍ବର ବହୁ ବିଶିଷ୍ଟ ନେତା କ୍ଷୋଭ ପ୍ରକାଶ କରି ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି: ମୋର ପ୍ରିୟ ବନ୍ଧୁ ଆବେ ସିଞ୍ଜୋଙ୍କ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ଖୁବ୍‌ ଉଦ୍‌ବିଗ୍ନ ଲାଗୁଛି। ତାଙ୍କ ପାଇଁ, ତାଙ୍କ ପରିବାର ପାଇଁ ଓ ଜାପାନବାସୀଙ୍କ ପାଇଁ ଆମର ସମବେଦନ ଓ ପ୍ରାର୍ଥନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe