‘ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ’ପାଇଁ ବିକଳ୍ପ ଯୋଜନା : ଚାରି ଦେଶ କରିବେ ଚୀନ୍‌ ମୁକାବିଲା

Advertisment

ଆମେରିକା-ଭାରତ-ଅଷ୍ଟ୍ରଲିଆ-ଜାପାନର ଗୋପନ ବୁଝାମଣା

ଆମେରିକା-ଭାରତ-ଅଷ୍ଟ୍ରଲିଆ-ଜାପାନର ଗୋପନ ବୁଝାମଣା

‘ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ’ପାଇଁ ବିକଳ୍ପ ଯୋଜନା : ଚାରି ଦେଶ କରିବେ ଚୀନ୍‌ ମୁକାବିଲା

U.S. Navy Admiral Harry Harris, left, Commander of the U.S. Pacific Command and Australian Navy Vice Admiral David Johnston take part in a ceremony marking the start of Talisman Saber 2017, a biennial joint military exercise between the United States and Australia, aboard the USS Bonhomme Richard amphibious assault ship in the Pacific Ocean off the coast of Sydney, Australia, Thursday, June 29, 2017. (Jason Reed/Pool via AP)

ସିଡନି : ୟୁରୋପୀୟ ଏବଂ ଏସୀୟ ଦେଶମାନଙ୍କ ମଧ୍ୟରେ ନିଜର ପ୍ରଭାବ ବିସ୍ତାର କରିବା ପାଇଁ ଚୀନ୍‌ ପ୍ରସ୍ତାବିତ ହଜାର ହଜାର କୋଟି ଡଲାରର ଓ୍ଵାନ୍‌ ବେଲ୍ଟ ଓ୍ଵାନ୍‌ ରୋଡ୍‌(ଓବର) ପ୍ରକଳ୍ପକୁ ଫିକା କରିଦେବା ପାଇଁ ଅଷ୍ଟ୍ରେଲିଆ, ଆମେରିକା, ଭାରତ ଓ ଜାପାନ ପରି ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ରମାନେ ଅଣ୍ଟା ଭିଡ଼ିଛନ୍ତି। ପରସ୍ପର ମଧ୍ୟରେ ତାଳମେଳ ରଖି ଆଞ୍ଚଳିକ ଭିତ୍ତିଭୂମି ପ୍ରତିଷ୍ଠା କରି ଚୀନ୍‌ର ଏକଚାଟିଆ କ୍ରମବର୍ଦ୍ଧିଷ୍ଣୁ ବଡ଼ଭାଇପଣିଆକୁ ପ୍ରତିହତ କରିବା ପାଇଁ ଏହି ଚତୁର୍ଶକ୍ତି ଯୋଜନା କରୁଛନ୍ତି। ଆମେରିକାର ଜଣେ ବରିଷ୍ଠ ଅଧିକାରୀଙ୍କ ବକ୍ତବ୍ୟକୁ ଉଦ୍ଧାର କରି ଅଷ୍ଟ୍ରେଲିଆର ଅର୍ଥନୈତିକ ରିପୋର୍ଟରେ ଏଭଳି ଯୋଜନା ସମ୍ପର୍କରେ ଉଲ୍ଲେଖ କରାଯାଇଛି। ତେବେ ପରିକଳ୍ପିତ ପ୍ରକଳ୍ପର ଚୂଡ଼ାନ୍ତ ରୂପରେଖ ସମ୍ପର୍କରେ ସବୁକିଛି ଗୋପନ ରଖାଯାଇଛି।

ଏପରିକି ଯୋଜନା ସମ୍ପର୍କରେ ପ୍ରଘଟ କରିବା ପାଇଁ ଅନୁକୂଳ ସମୟ ଆସିନଥିବାରୁ ଏଇ ସପ୍ତାହରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ମାଲ୍‌କମ୍‌ ଟର୍ନବୁଲ୍‌ଙ୍କ ଆମେରିକା ଗସ୍ତ ବେଳେ ମଧ୍ୟ ସେ ସଂକ୍ରାନ୍ତ କିଛି ଆଭାସ ମିଳିବ ନାହିଁ ବୋଲି ଜଣାଯାଇଛି। ଅପରପକ୍ଷେ, ଏ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଟର୍ନବୁଲ୍‌ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା କୁହାଯାଉଛି। ତେବେ ଚାରି ଦେଶର ଏହି ମିଳିତ ଉଦ୍ୟମକୁ ଓବର୍‌ ପ୍ରକଳ୍ପର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର ନକରି ତାହାର ବିକଳ୍ପ ଭାବେ ବିବେଚନା କରିବାକୁ ଗୁରୁତ୍ୱାରୋପ କରାଯାଉଛି।
ଉକ୍ତ ଆମେରିକୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଚୀନ୍‌ କୌଣସି ଠାରେ ଭିତ୍ତି ଭୂମି ସ୍ଥାପନ କରିବା ଉଚିତ ନୁହେଁ ବୋଲି କେହି କହୁୁନାହାନ୍ତି। ଚୀନ୍‌ର ଉଦ୍ୟମକୁ ମଧ୍ୟ କେହି ପ୍ରତିବାଦ କରୁନାହାନ୍ତି। ତେବେ ଅସଲ କଥା ହେଲା, ଚୀନ୍‌ ନିଜ ତାକତ୍‌ରେ ବନ୍ଦର ନିର୍ମାଣ କରିଦେଇପାରେ; ମାତ୍ର ତାହା ଆର୍ଥିକ ଦୃଷ୍ଟିରୁ ବ୍ୟବହାର ଉପଯୋଗୀ ହୋଇନପାରେ। ଅପରପକ୍ଷେ, ଏହି ଚାରି ଦେଶ କରିଥିବା ଯୋଜନାରେ ବନ୍ଦର ସହିତ ରେଳପଥ ଏବଂ ଉନ୍ନତ ସଡ଼କପଥର ମଧ୍ୟ ସଂଯୋଗୀକରଣ କରାଯିବ। ସୁତରାଂ ତାହା ନିଶ୍ଚିତ ଭାବେ ବ୍ୟାବସାୟିକ ଦୃଷ୍ଟିକୋଣରୁ ଯଥେଷ୍ଟ ବ୍ୟବହାର ଉପଯୋଗୀ ହୋଇପାରିବ। ତେବେ ଚତୁର୍ଶକ୍ତିଙ୍କ ଏହି ପରିକଳ୍ପନା ସମ୍ପର୍କରେ ଅଷ୍ଟ୍ରଲିଆ ବୈଦେଶିକ ମନ୍ତ୍ରୀ ଏବଂ ବାଣିଜ୍ୟ ମନ୍ତ୍ରୀ ପ୍ରଥମେ ନିରବ ରହିଥିଲେ ହେଁ ପରେ ପରୋକ୍ଷରେ ଏହି ପ୍ରସ୍ତାବ ସପକ୍ଷରେ ଇସାରା କରିଛନ୍ତି।
ସେହିପରି ଜାପାନୀ ପ୍ରତିପକ୍ଷ ମଧ୍ୟ ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ସବୁବେଳେ ପାରସ୍ପରିକ ସ୍ୱାର୍ଥ ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ନୂଆ ନୂଆ ଯୋଜନା ମଧ୍ୟ ଖୋଜି ଚାଲିଥାନ୍ତି ବୋଲି କହିଛନ୍ତି। ତେବେ ଚୀନ୍‌ର ଓବର୍‌ ଯୋଜନାକୁ ବିରୋଧ କରିବା ପାଇଁ କିଛି ହେବନାହିଁ ବୋଲି ଜାପାନର ମୁଖ୍ୟ କ୍ୟାବିନେଟ ସଚିବ କହିଛନ୍ତି। ଏହି ଅବସରରେ ଜାପାନର ସରକାରୀ ବିକାଶ ଯୋଜନା-୨୦୧୭ରେ ଉଚ୍ଚମାନର ଭିତ୍ତିଭୂମି ବିକାଶ ସମେତ ସ୍ୱାଧୀନ ଏବଂ ମୁକ୍ତ ଇଣ୍ଡୋ-ପାସିଫିକ୍‌ ରଣନୀତି ସ୍ଥାନ ପାଇଛି ଯାହା ଆମେରିକାର ସମର୍ଥନ ହାସଲ କରିସାରିିଛି। ତାହାକୁ ମଧ୍ୟ ଚୀନ୍‌ର ଓବର୍‌ ଯୋଜନାକୁ ପ୍ରତିହତ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି। ତେବେ ମୋଟାମୋଟି ଭାବେ ଚୀନ୍‌କୁ ବିରୋଧ ନକରି ତାହାର ପ୍ରଭାବକୁ ହ୍ରାସକରିବା ପାଇଁ ଏହି ଚାରି ଦେଶ ତା’ଠାରୁ ଆହୁରି ବୃହତ୍‌ ପ୍ରକଳ୍ପର ଯୋଜନା ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।
ସୂଚନା ଥାଉ କି, ଏସିଆ ଏବଂ ୟୁରୋପ ମହାଦେଶର ୬୦ରୁ ଅଧିକ ଦେଶକୁ ସାମିଲ କରି ଚୀନ୍‌ ରାଷ୍ଟ୍ରପତି ଜି ଜିନପିଙ୍ଗ୍‌ ଏପରି ଓବର୍‌ ପରି ବିଶାଳ ଯୋଜନାର ପରିକଳ୍ପନା କରିଛନ୍ତି। ଏପରିକି ଗତ ମେ ମାସରେ ଏହାର ଉଦ୍‌ଘାଟନୀ ଉତ୍ସବରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିବା ସହ ଉକ୍ତ ପ୍ରକଳ୍ପରେ ୧୨,୪୦୦ କୋଟି ଡଲାର ଅର୍ଥ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି। ଏସିଆ, ୟୁରୋପ ଏବଂ ମଧ୍ୟ ପ୍ରାଚ୍ୟ ସମେତ ଆଫ୍ରିକା ମଧ୍ୟରେ ଗମନାଗମନ ସୁବିଧା ସ୍ଥାପନ କରିବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ୬୫ ଦେଶର ପ୍ରାୟ ୪୫୦ କୋଟି ଲୋକ ଉପକୃତ ହେବେ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe