ଅପ୍ରତ୍ୟାଶିତ ଓ ପ୍ରଥମ : ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି

ଅପ୍ରତ୍ୟାଶିତ ଓ ପ୍ରଥମ : ସାମ୍ବାଦିକ ସମ୍ମିଳନୀ ଡାକି ପ୍ରଧାନ ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଲେ ସୁପ୍ରିମକୋର୍ଟର ୪ ବରିଷ୍ଠ ବିଚାରପତି

hindustantimes

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ଇତିହାସରେ ଆଜି ଯୋଡ଼ି ହୋଇଛି ଏକ ଅଦ୍ଭୁତପୂର୍ବ ଅଧ୍ୟାୟ। ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ସୁପ୍ରିମ୍‌କୋର୍ଟର ଚାରିଜଣ ବରିଷ୍ଠ ବିଚାରପତି ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ଦେଶର ପ୍ରଧାନ ବିଚାରପତିଙ୍କ ବିରୋଧରେ ବିଷୋଦଗାର କରିଛନ୍ତି। ଅତୀତରେ କେବେ ଦେଶର ସର୍ବୋଚ୍ଚ ଅଦାଲତର ବିଚାରପତିମାନେ ନିଜର ପୁଞ୍ଜିଭୂତ ଅସନ୍ତୋଷକୁ ଏଭଳି ଢ଼ଙ୍ଗରେ ବ୍ୟକ୍ତ କରି ନ ଥିଲେ।

ସୁପ୍ରିମ୍‌କୋର୍ଟର ଚାରି ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଜେ.ଚେଲମେଶ୍ୱର,ରଞ୍ଜନ ଗୋଗୋଇ,ଏମ୍‌.ବି.ଲୋକୁର ଏବଂ କୁରିଅନ ଜୋଶେଫ୍‌ ଶୁକ୍ରବାର ସକାଳେ ଜଷ୍ଟିସ୍‌ ଚେଲେମେଶ୍ୱରଙ୍କ ସରକାରୀ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କୁ ମାମଲା ଆବଣ୍ଟନରେ ବ୍ୟାପକ ଅନିୟମିତତା ହେଉଛି ବୋଲି ଅଭିଯୋଗ କରିଛନ୍ତି। ସେମାନେ  ସିଧାସଳଖ ଏ ନେଇ ପ୍ରଧାନବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଉପରେ ଦୋଷାରୋପ କରିଛନ୍ତି। ସୁପ୍ରିମ୍‌କୋର୍ଟର ପ୍ରଶାସନ ଓ ବିଧିବ୍ୟବସ୍ଥା ଉଚିତ୍‌ ଶୈଳୀରେ ପରିଚାଳିତ ହେଉନାହିଁ ବୋଲି ଅଭିଯୋଗ ବାଢ଼ିଛନ୍ତି ଏହି ଚାରି ବରିଷ୍ଠ ବିଚାରପତି।

ଏହି ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି କି ଏ ନେଇ ସେମାନେ ଦୁଇମାସ ତଳେ ପ୍ରଧାନବିଚାରପତିଙ୍କୁ ଏକ ଚିଠି ଜରିଆରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। କାହିଁକି ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ବିଚାର ଲାଗି ସେମାନଙ୍କୁ ଦିଆ ନ ଯାଇ ତାଙ୍କ ଠାରୁ କନିଷ୍ଠ ବିଚାରପତିଙ୍କୁ ଦିଆଯାଉଛି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଏହି ୪ ବରିଷ୍ଠ ବିଚାରପତି। ଏଥିସହ ସୋରାବୁଦ୍ଦିନ୍‌ ଏନ୍‌କାଉଣ୍ଟର ମାମଲାର ବିଚାର କରୁଥିବା ଜଷ୍ଟିସ୍‌ ବି.ଏଚ୍‌ ଲୋୟାଙ୍କ ସନ୍ଦେହଜନକ ମୃତ୍ୟୁ ସଂପର୍କିତ ମାମଲାର ବିଚାର ପ୍ରକ୍ରିୟାକୁ ନେଇ ସେମାନଙ୍କର ଅମତ ରହିଛି ବୋଲି ପ୍ରକାଶ କରିଛନ୍ତି। ବିଚାରପତିମାନେ ଏକଥା ମଧ୍ୟ କହିଥିଲେ କି, ସାମ୍ବାଦିକ ସମ୍ମିଳନୀ ଡକାଇବା ପୂର୍ବରୁ ସେମାନେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ରଙ୍କୁ ଭେଟିବାକୁ ଯାଇଥିଲେ।

publive-image CJ Deepak Mishra (indiatoday)

ଗଣମାଧ୍ୟମକୁ ଜାରି କରାଯାଇଥିବା ଏକ ଚିଠିରେ ଏହି ୪ ବିଚାରପତି କହିଛନ୍ତି ଯେ ଯଦିଓ ସୁପ୍ରିମ୍‌କୋର୍ଟରେ ମାମଲା ଆବଣ୍ଟନରେ ପ୍ରଧାନବିଚାରପତିଙ୍କ ନିଷ୍ପତ୍ତି ଚୂଡ଼ାନ୍ତ କିନ୍ତୁ ଏହାର ଅର୍ଥ ନୁହେଁ ସେ ସେ ଅନ୍ୟ ବିଚାରପତିଙ୍କ ଠାରୁ ଊର୍ଦ୍ଧ୍ୱରେ। ପ୍ରଧାନ ବିଚାରପତି ହେଉଛନ୍ତି ସମାନଙ୍କ ମଧ୍ୟରେ ପ୍ରଥମ।

ଯଦି ନ୍ୟାୟପାଳିକା ନିଷ୍ପକ୍ଷ ନହୁଏ,ତେବେ ଗଣତନ୍ତ୍ର ବଞ୍ଚ ରହିପାରିବ ନାହିଁ। ଏହାକୁ ବିଚାରକୁ ନେଇ ଆମେ ଦେଶ ସାମ୍ନାରେ ମୁହଁ ଖୋଲିବାକୁ ବାଧ୍ୟହେଲୁ ବୋଲି ଜଷ୍ଟିସ୍‌ ଚେଲମେଶ୍ୱର,ଜଷ୍ଟିସ୍‌ ଗୋଗୋଇ,ଜଷ୍ଟିସ୍‌ ଲୋକୁର୍‌ ଏବଂ ଜଷ୍ଟିସ୍‌ କୁରିଆନ୍‌ ଜୋଶୋଫ୍‌ ମତ ଦେଇଛନ୍ତି। ଏପରି ଅନିୟମିତତା ଲାଗି ପ୍ରଧାନବିଚାରପତିଙ୍କୁ ପଦରୁ ବହିଷ୍କାର କରାଯିବା ଉଚିତ୍‌ କି ବୋଲି ପ୍ରଶ୍ନରେ ବିଚାରପତିମାନେ ‘ଏହା ଦେଶ ବିଚାର କରୁ’ ବୋଲି ମନ୍ତବ୍ୟ ଦେଇଛନ୍ତି।

ନ୍ୟାୟପାଳିକାରେ ଚାଲିଥିବା ଅନିୟମିତାକୁ ନେଇ ଆମେ ଦୁଇ ମାସ ତଳେ ପ୍ରଧାନବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରାଇଛୁ, କିନ୍ତୁ ସେ ଏହାକୁ ଭୃକ୍ଷେପ କରି ନ ଥିଲେ। ମେଡ଼ିକାଲ୍‌ କଲେଜ୍‌ ନାମଲେଖା ଦୁର୍ନୀତି ମାମଲାକୁ ବିଚାର ବରିଷ୍ଠ ବିଚାରପତିଙ୍କ ଖଣ୍ଡପୀଠକୁ ଦିଆ ନ ଯାଇ ଅନ୍ୟ ଏକ ବେଞ୍ଚ୍‌କୁ ଦିଆଗଲା। ଗତ କିଛି ମାସ ହେବ ସୁପ୍ରିମ୍‌କୋର୍ଟରେ ବହୁ ଅନାବଶ୍ୟକ ଘଟଣାବଳି ଘଟିଛି, ଯାହାର ସମାଧାନ ହେବା ଉଚିତ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଚାରପତିମାନେ ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe